ପର୍ଯ୍ୟଟନ କ୍ଷେତ୍ରରେ କମାଲ୍‌ କରୁଛି ଓଡ଼ିଆ ପୁଅ ଶିବଦତ୍ତଙ୍କ ଷ୍ଟାର୍ଟଅପ୍‌

ତପନ ମହାରଣା

ଭୁବନେଶ୍ୱର ( ତପନ ମହାରଣା) : ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ଅଗ୍ରଣୀ ଦେଶଭାବେ ଗଣା ହେଉଛି । ଷ୍ଟାର୍ଟଅପ୍‌ ପାଇଁ ଅନୁକୂଳ ପରିବେଶ ଗଢିବାଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଦେଶର ଯୁବପିଢି ମଧ୍ୟ ଚାକିରି ପଛରେ ଗୋଡ଼ାଇବା ଅପେକ୍ଷା ଷ୍ଟାର୍ଟଅପ ଗଢିବା ପାଇଁ ଆଗଭର ହେଉଛନ୍ତି ।

ଓଡ଼ିଶାର ଜଣେ ଯୁବକ ଷ୍ଟାର୍ଟଅପ୍‌ କ୍ଷେତ୍ରରେ ସାରା ଦେଶରେ ପ୍ରସଂଶାର ପାତ୍ର ହୋଇଛନ୍ତି । ସେ ହେଉଛନ୍ତି ଶିବଦତ୍ତ ଦାସ ।  ଭିକ୍ଟୋରିିଆ ଡିଜାଇନ ଷ୍ଟୁଡିଓର ସହ-ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବଦତ୍ତ ଦେଶବିଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ସୁନାମ କମାଇଛି । ୨୦୧୭ରେ ଶ୍ରେଷ୍ଠ ଷ୍ଟାର୍ଟଅପ ପାଇଁ ସେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇଥିଲେ ।

ଶିବଦତ୍ତ ଭୁବନେଶ୍ୱରର ମୂଳ ବାସିନ୍ଦା । ବିଜେଇଏମ ସ୍କୁଲ ଓ ମହର୍ଷି କଲେଜରୁ ଶିକ୍ଷା ଶେଷ କରିବା ପରେ ସେ ବିଦେଶରେ ଏମବିଏ କରିଛନ୍ତି । ପାଠପଢାପରେ ଭାରତୀ ଆକ୍ସା, ଟାଟା ଏଆଇଜି, ରିଲାଏନ୍ସ ନିପ୍ପନ ପରି କମ୍ପାନିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ଯ୍ୟ କରିଛନ୍ତି । ତେବେ ୨୦୧୬ରେ ସେ ଚାକିରି ଛାଡ଼ି ନିଜସ୍ୱ କମ୍ପାନି ଆରମ୍ଭ କଲେ । ଏହାର ନାଁ ହେଉଛି ଭିକ୍ଟୋରିିଆ ଡିଜାଇନ ଷ୍ଟୁଡିଓ । ଡେଷ୍ଟିନେସନ ୱେଡିଂ ଓ କର୍ପୋରେଟ ଇଭେଣ୍ଟ ମ୍ୟାନେଜମେଣ୍ଟ  କ୍ଷେତ୍ରରେ ଏହି କମ୍ପାନି ଏବେ ଭାରତର ଏକ ସଫଳ ନାମ । ଲୋକପ୍ରିୟ ବଲିଉଡ୍ ସେଲିବ୍ରିଟି, ଶିଳ୍ପପତି, କ୍ରିକେଟିୟରଙ୍କ ପାଇଁ ସଫଳତାର ସହ ଇଭେଣ୍ଟ ପରିଚାଳନା କରିଛି ଏହି କମ୍ପାନି ।

ଏବେ ତାଙ୍କ କମ୍ପାନିର କାର୍ଯ୍ୟାଳୟ ମୁମ୍ବାଇ ସମେତ ଦୁବାଇ, ଲଣ୍ଡନ ଓ ଆମଷ୍ଟରଡାମରେ ରହିଛି । ନିଜର ଏହି ସଫଳତା ଯାତ୍ରାରେ ଓଡ଼ିଶାକୁ ମଧ୍ୟ ଯୋଡ଼ିବାକୁ ସେ ଉଦ୍ୟମ ଆରମ୍ଭ କରିଛନ୍ତି। ଓଡ଼ିଶାକୁ ମଧ୍ୟ ଡେଷ୍ଟିନେସନ ୱେଡିଂ କ୍ଷେତ୍ରରେ ଏକ ଲୋକପ୍ରିୟ ଡେଷ୍ଟିନେସନ୍ କରିବାକୁ ସେ ଉଦ୍ୟମ କରୁଛନ୍ତି ।

ତେବେ ଓଡ଼ିଶା ସଂପର୍କରେ ସେ କହିଛନ୍ତି ଯେ ଓଡ଼ିଶାରେ ଅନେକ ସୁନ୍ଦର ସ୍ଥାନ ରହିଛି । କିନ୍ତୁ ଏଠାରେ ଉତ୍ତମ ଭିତ୍ତିଭୂମି, ହୋଟେଲ, ଅନ୍ତର୍ଜାତୀୟ ବିମାନ ସେବା ଆଦିର ଅଭାବ ରହିଛି । ଏଗୁଡ଼ିକର ବିକାଶ କରା ନଗଲେ ଆମ ରାଜ୍ୟକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସମ୍ଭବ ହେବ ନାହିଁ । ଗୋଆ, ରାଜସ୍ଥାନ ଏ କ୍ଷେତ୍ରରେ ଅନେକ ନିବେଶ କରିଛନ୍ତି । ସେଥିପାଇଁ ଏହି ଦୁଇ ରାଜ୍ୟରେ ବିବାହ କରିବାକୁ ଦେଶ ବିଦେଶର ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ଆସୁଛନ୍ତି ।

ଓଡ଼ିଶାର ପୁରୀ ଓ ଭୁବନେଶ୍ୱର ଗୋଆ ବା ରାଜସ୍ଥାନ ପରି ଏକ ଆକର୍ଷଣୀୟ ବିବାହସ୍ଥଳୀ ହୋଇପାରିବ । ବିଶେଷକରି ପୁରୀ ଅନ୍ତର୍ଜାତୀୟ ଓ ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ହୋଇପାରିବ । କିନ୍ତୁ ଆମକୁ ପ୍ରଥମେ ଭିତ୍ତିଭୂମି ଓ ଦକ୍ଷମାନବ ସମ୍ବଳର ବିକାଶ କରିବାକୁ ହେବ । ଅଧିକରୁ ଅଧିକ ଅନ୍ତର୍ଜାତୀୟ ଓ ଜାତୀୟ ସହରକୁ ଆମ ରାଜ୍ୟରୁ ବିମାନ ସେବା ଆରମ୍ଭ କରିବାକୁ ହେବ ବୋଲି ଶିବଦତ୍ତ କହନ୍ତି।

ସମ୍ବନ୍ଧିତ ଖବର