ଟ୍ରାଇର ସେପ୍ଟେମ୍ବର ରିପୋର୍ଟ, ମୋବାଇଲ ଗ୍ରାହକ ବୃଦ୍ଧିରେ ଓଡ଼ିଶା ପ୍ରଥମ

ଦେଶରେ ୧୧୯ କୋଟି ୫୨ ଲକ୍ଷ ଟେଲିଫୋନ୍ ଗ୍ରାହକ

ପଞ୍ଜାବ ଦ୍ବିତୀୟ, ଆସାମ ତୃତୀୟ, କଶ୍ମୀରରେ ସର୍ବାଧିକ ଗ୍ରାହକ କମିଛନ୍ତି

ଭୁବନେଶ୍ବର: ଦେଶର ୨୨ଟି ଟେଲିକମ୍ ସର୍କଲ ମଧ୍ୟରୁ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ସବୁଠୁ ଅଧିକ ରହିଛି। ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ୧.୧୩ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଓଡ଼ିଶା ପଛକୁ ପଞ୍ଜାବ ଦ୍ବିତୀୟ ସ୍ଥାନରେ ଥିବାବେଳେ ଆସାମ ତୃତୀୟ ସ୍ଥାନରେ ରହିଛି। ୨୨ଟି ଟେଲିଫୋନ ସର୍କଲ ମଧ୍ୟରୁ ୧୯ଟି ସର୍କଲରେ ମୋବାଇଲ ଫୋନ୍ ଗ୍ରାହକଙ୍କ ସଂଖ୍ୟା ବଢ଼ିଥିବାବେଳେ ୩ଟି ସର୍କଲରେ ଗ୍ରାହକଙ୍କ ସଂଖ୍ୟା କମିଛି। ଗ୍ରାହକଙ୍କ ସଂଖ୍ୟା କମିଥିବା ସର୍କଲ ଗୁଡ଼ିକ ହେଲା ମୁମ୍ବାଇ, ବିହାର ଏବଂ ଜମ୍ମୁ କଶ୍ମୀର। ଜମ୍ମୁ କଶ୍ମୀରର ମୋବାଇଲ ଗ୍ରାହକ ହ୍ରାସ ସର୍ବାଧିକ -୧.୦୯ ପ୍ରତିଶତ ରହିଥିବାବେଳେ ବିହାର‌େର -୦.୨୮ ପ୍ରତିଶତ ଏବଂ ମୁମ୍ବାଇ‌େର -୦.୦୩ ପ୍ରତିଶତ ହ୍ରାସ ଘଟିଛି। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଭିନ୍ନ ପ୍ରକାର କଟକଣା ଯୋଗୁ ସେଠାରେ ମୋବାଇଲ ଫୋନ୍ ଗ୍ରାହକଙ୍କ ସଂଖ୍ୟାରେ ସର୍ବାଧିକ ହ୍ରାସ ଘଟିଥିବା ଅନୁମାନ କରାଯାଉଛି। କିନ୍ତୁ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ବିହାରରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୫୪୮ ଜଣ ଗ୍ରାହକ ହ୍ରାସ ପାଇଥିବାବେଳେ ଜମ୍ମୁ କଶ୍ମୀରରେ ୧ ଲକ୍ଷ ୨୫ ହଜାର ୩୩୩ ଏବଂ ମୁମ୍ବାଇରେ ୧୦୬୫୪ଜଣ ମୋବାଇଲ ଗ୍ରାହକ କମିଯାଇଛନ୍ତି।

ଟ୍ରାଇର ଓଡ଼ିଶା ରିପୋର୍ଟକୁ ବିଶ୍ଳେଷଣ କରିବାରୁ ଏହା ଜଣାଯାଇଛି ଯେ, ଚଳିତବର୍ଷ ଅଗଷ୍ଟ ମାସରେ ଓଡ଼ିଶାରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ ୩ ହଜାର ୪୫୧ ଥିବାବେଳେ ସେପ୍ଟେମ୍ବରରେ ଏହି ସଂଖ୍ୟା ୩ କୋଟି ୨୮ ଲକ୍ଷ ୭୨ ହଜାର ୧୯୫କୁ ବୃଦ୍ଧି ପାଇଛି। ଅର୍ଥାତ୍ ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଓଡ଼ିଶାରେ ୩ ଲକ୍ଷ ୬୮ ଜହାର ୭୪୪ ଜଣ ମୋବାଇଲ ଗ୍ରାହକ ଯୋଡ଼ି ହୋଇଛନ୍ତି। ତେବେ ଏଥିରେ ବିଏସଏନଏଲ୍ ଏବଂ ଜିଓର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଏହି ଦୁଇ କମ୍ପାନିର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଅନ୍ୟ କମ୍ପାନି ଗୁଡ଼ିକର ଗ୍ରାହକ ସଂଖ୍ୟା ହ୍ରାସ ପାଇଛି। ସେପ୍ଟେମ୍ବର ମାସରେ ଓଡ଼ିଶାରେ ବିଏସଏନଏଲ ୫ ଲକ୍ଷ ୮୪ ହଜାର ୫୭ ଜଣ ଗ୍ରାହକଙ୍କୁ ଯୋଡ଼ିଥିବାବେଳେ ଜିଓ ୨ ଲକ୍ଷ ୭୫୩ ଜଣ ମୋବାଇଲ ଫୋନ୍ ଗ୍ରାହକଙ୍କୁ ଯୋଡ଼ିଛି। ବିଏସଏନଏଲର ମୋଟ ମୋବାଇଲ ଫୋନ୍ ଗ୍ରାହକଙ୍କ ସଂଖ୍ୟା ସାରା ଦେଶରେ ସେପ୍ଟେମ୍ବର ମାସରେ ୭ ଲକ୍ଷ ୩୭ ହଜାର ୯୨୮ ବୃଦ୍ଧି ଘଟିଥିବାବେଳେ ଏଥିରେ ଓଡ଼ିଶାର ଗ୍ରାହକଙ୍କ ସଂଖ୍ୟା ୫ ଲକ୍ଷ ୮୪ ହଜାର ୫୭ ରହିଛି। ସେପ୍ଟେମ୍ବର ମାସରେ ସାରା ଦେଶରେ ଜିଓ ୬୯ ଲକ୍ଷ ୮୩ ହଜାର ୧୪୬ ଜଣ ନୂଆ ଗ୍ରାହକଙ୍କୁ ଯୋଡ଼ିଥିବାବେଳେ ଏମାନଙ୍କ ମଧ୍ୟରୁ ଓଡ଼ିଶାର ୨ ଲକ୍ଷ ୭୫୩ ଜଣ ଗ୍ରାହକ ଅଛନ୍ତି। ଅନ୍ୟପକ୍ଷରେ ସେପ୍ଟେମ୍ବରରେ ଓଡ଼ିଶାରେ ମୋଟ ୩୨୩୭ ଜଣ ନୂଆ ଲ୍ୟାଣ୍ଡଲାଇନ୍ ଗ୍ରାହକ ଯୋଡ଼ି ହୋଇଛନ୍ତି। ଅଗଷ୍ଟରେ ରାଜ୍ୟର ଲ୍ୟାଣ୍ଡଲାଇନ ଟେଲିଫୋନ୍ ଗ୍ରାହକଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୮୨୯ ରହିଥିବାବେଳେ ସେପ୍ଟେମ୍ବରରେ ଏହା ୨ ଲକ୍ଷ ୨୬ ହଜାର ୬୬ରେ ପହଞ୍ଚିଛି।

ଦେଶରେ ୧୧୯ କୋଟି ୫୨ ଲକ୍ଷ ଟେଲିଫୋନ୍ ଗ୍ରାହକ
ଭୁବନେଶ୍ବର: ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଦେଶରେ ମୋଟ ଟେଲିଫୋନ୍ ଗ୍ରାହକଙ୍କ ସଂଖ୍ୟା ୧୧୯ କୋଟି ୫୨ ଲକ୍ଷରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭ କୋଟି ୩୭ ଲକ୍ଷ ହୋଇଥିବାବେଳେ ଲ୍ୟାଣ୍ଡଲାଇନ୍ ଗ୍ରାହକଙ୍କ ସଂଖ୍ୟା ୨ କୋଟି ୧୪ ଲକ୍ଷ ରହିଛି। ଫଳରେ ଦେଶରେ ଟେଲିଫୋନ ସାନ୍ଦ୍ରତା ୯୦.୫୨ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ୍ ୧୦୦ ‌ଜଣ ଲୋକରେ ୯୦.୫୨ ଜଣ ଟେଲିଫୋନ୍ ବ୍ୟବହାର କରୁଛନ୍ତି।

ସମ୍ବନ୍ଧିତ ଖବର