ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଆଜି ସନ୍ଧ୍ୟାରେ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଜେଇଇ ପରୀକ୍ଷା ଫଳ ବୁକ୍ଲେଟ୍ ମାଧ୍ୟମରେ ଜାରି କରିଛନ୍ତି। ବି.ଟେକ୍ରେ ଶୋଭିତ୍ ପଟେଲ ଟପ୍ପର ହୋଇଛନ୍ତି। ଛାତ୍ରଛାତ୍ରୀ ସେମାନଙ୍କର ର୍ୟାଙ୍କ ଜାଣିବା ପାଇଁ ୱେବ୍ସାଇଟ୍ www.ojee.nic.in ଏବଂwww.odishajee.comରେ କ୍ଲିକ କରନ୍ତୁ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ସବୁ ବିଷୟ ଲାଗି କମ୍ପ୍ୟୁଟର ଆଧାରିକୃତ ପରୀକ୍ଷା (ସିବିଟି) ହୋଇଥିଲା। ୨୧ଟି ସହରରେ ୫୪ଟି କେନ୍ଦ୍ରରେ ପରୀକ୍ଷା ପରିଚାଳନା କରାଯାଇଥିଲା। ଓଡ଼ିଶା ବାହାରେ ୩ଟି ସହର ଯଥା କୋଲକାତା, ରାଂଚି ଓ ପାଟଣାର ୫ଟି କେନ୍ଦ୍ରରେ ମଧ୍ୟ ପରୀକ୍ଷା ହୋଇଥିଲା। ଚଳିତ ବର୍ଷ ମୋଟ ୭୯ ହଜାର ୭୫୪ ଜଣ ଛାତ୍ରଛାତ୍ରୀ ସେମାନଙ୍କର ନାମ ପଂଜିକରଣ କରିଥିଲେ। କିନ୍ତୁ ଏଥିରୁ ୪୯ ହଜାର ୨୬୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
ସୂଚନାଯୋଗ୍ୟ, କୋଭିଡ୍-୧୯ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଓଜେଇଇ ପରୀକ୍ଷାକୁ ବାରମ୍ବାର ଘୁଂଚାଯାଇଥିଲା। ଶେଷରେ ଏହି ପରୀକ୍ଷା ଗତ ଅକ୍ଟୋବର ୧୨ରୁ ୨୨ ମଧ୍ୟରେ ଶେଷ କରାଯାଇଥିଲା। ଏହି ପରୀକ୍ଷା ବି.ଟେକ୍, ଲେଟରାଲ୍ ଏଣ୍ଟ୍ରି-ଟେକ୍ (ଡିପ୍ଲୋମା), ଲେଟ୍ରାଲ୍ ଏଣ୍ଟି୍ର-ଟେକ୍(ବିଏସ୍ସି), ବି.ଫାର୍ମ, ଏମ୍ବିଏ, ଏମ୍ସିଏ, ଇଣ୍ଟିଗ୍ରେଟେଡ ଏମ୍ବିଏ, ଲେଟ୍ରାଲ ଫାର୍ମ, ଏମ୍ ଫାର୍ମ, ଏମ୍ ଆର୍କିଟେକ୍, ଏମ୍ ପ୍ଲାନ ଓ ଏମ୍ ଟେକ୍ ପାଠ୍ୟକ୍ରମ ପାଇଁ ହୋଇଥିଲା।