ରାଣୀପଥର ଘାଟିରେ ଦୁର୍ଘଟଣା : ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ, ୨ଆହତ

ହରଭଙ୍ଗା : ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାନ୍ତ ରାଣୀପଥର ଘାଟିରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ବାଇକ୍‌କୁ ଧକ୍କା ଦେବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ପୁଅ ଏବଂ ୮ବର୍ଷର ନାତି ଆହତ ହୋଇ ହୋଇଛନ୍ତି। ମୃତ ବୃଦ୍ଧା ଜଣକ ହେଲେ ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ ଶୁକପାଲି ଗ୍ରାମର ଭାରତୀ ସେଠୀ(୬୦)। ଆହତମାନେ ହେଲେ ମୃତ ମହିଳାଙ୍କ ପୁଅ ଧର୍ମୁଧର ସେଠୀ (୪୦) ଏବଂ ନାତି ହୃଷୀକେଶ ସେଠୀ(୮) ।

ପ୍ରାପ୍ତ ସୂଚନାମତେ, ଧର୍ମୁଧର ତାଙ୍କ ମା’ ଓ ଭଣଜାଙ୍କ ସହିତ କୌଣସି କାର୍ଯ୍ୟରେ ଫିରିଙ୍ଗିଆ ଯାଇ ବାଇକ ଯୋଗେ ଘରକୁ ଫେରୁଥିଲେ। ଚାରିଛକ ପଟୁ ଫୁଲବାଣୀ ପଟକୁ ଯାଉଥିବା ଏକ କାର୍‌ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରାଣୀପଥର ଘାଟି ନିକଟରେ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକରୁ ସମସ୍ତେ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ଘଟାଇ କାର୍‌ଟି ସେଠାରୁ ଦ୍ରୁତ ଗତିରେ ପଳାଇଥିଲା। ପରେ ସେହିରାସ୍ତା ଦେଇ ଆସୁଥିବା ଅନ୍ୟ ଯାତ୍ରୀମାନେ ଦୁର୍ଘଟଣା ସମ୍ପର୍କରେ ଜାଣି ଚାରିଛକ ସ୍ଥିତ ହରଭଙ୍ଗା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାକୁ ନେଇଥିିଲେ। ଡାକ୍ତର ଭାରତୀଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଧର୍ମୁଧର ଏବଂ ତାଙ୍କର ଭଣଜା ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁରୁଣାକଟକ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ନେବାକୁ ପ୍ରସ୍ତୁତ ହେବା ସହ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର