ଚଣ୍ତିଖୋଲ, : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଳାଶ୍ରୀଠାରେ ଗତ ୭ ତାରିଖ ରାତିରେ ବନବିଭାଗ ଦ୍ବାରା ଦୁଇ ମୂର୍ତ୍ତିପଥର ବୋଝେଇ ଟ୍ରାକ୍ଟର ଜବତ ଘଟଣାରେ ପୁଲିସ ଆଜି ଜଣକୁ ଉଠାଇ ନେଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ଚୋରା ମୂର୍ତ୍ତିପଥର ଜବତ ଘଟଣାରେ ବନବିଭାଗ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଅପରପକ୍ଷରେ ସେହିଦିନ ଏହି ଘଟଣାକୁ ନେଇ ଥାନାରେ ୪ଟି ମାମଲା ରୁଜୁ ହୋଇଥିଲା।
ସୂଚନାଯୋଗ୍ୟ ଯେ ଗତ ୭ ତାରିଖ ରାତିରେ ମୂର୍ତ୍ତିପଥର ଟ୍ରାକ୍ଟର ସାଇଡ୍ ମରାକୁ କେନ୍ଦ୍ରକରି କଳାଶ୍ରୀଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହୋଇଥିଲା। ଏଥିରେ ବଡ଼ଚଣା ବିଜୁ ଛାତ୍ର ଜନତାଦଳର ଉପସଭାପତି ଅମିତାଭ ଜେନାଙ୍କୁ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ବାମୀ ଯଶୋଦୀପ୍ତ ସାମଲ ଓ ତାଙ୍କର ଚାରି ସହଯୋଗୀ ରାସ୍ତାରେ ଅଟକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ସେହିପରି ଗୋପାଳପୁର କ୍ଷେତ୍ର ଚିକିତ୍ସାଳୟର ଡାକ୍ତର ସୁବାସ ପଣ୍ତା ମଧ୍ୟ ଚିକିତ୍ସାଳୟ ପରିସରରେ ତାଙ୍କୁ ହତ୍ୟା ଧମକ ସହ ଜଣେ ମହିଳା କର୍ମଚାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଅଭିଯୋଗ କରିଥିଲେ। ଏହି ଦୁଇ ଘଟଣାକୁ ନେଇ ପୁଲିସ କେସ୍ ନମ୍ବର ୨୭୬ ଓ ୨୭୭ରେ ଦୁଇଟି ମାମଲା ରୁଜୁ କରିଥିଲା।
ଅପରପକ୍ଷରେ ପ୍ରତାପ ଜେନା ଓ ହରିଶଚନ୍ଦ୍ର ଭୂୟାଁ ରାସ୍ତାରେ ଆସୁଥିବା ସମୟରେ ତାଙ୍କୁ ଏକ ଚୋରା ମୂର୍ତ୍ତିପଥର ବୋଝାଇ ଟ୍ରାକ୍ଟର ସାଇଡ୍ ମାରିଥିଲା। ଏହାର ପ୍ରତିବାଦ କରିବାରୁ ଅମିତାଭ ଜେନା , ବଣ୍ଟି ସାମଲ, ନାରାୟଣ ପ୍ରଧାନ ମିଳିତ ଭାବେ ମାରଧର କରିବା ସହ ବେକରେ ବନ୍ଧୁକ ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଥିଲେ। ସେହିପରି ବେଙ୍ଗ ଦଳାଇ ନାମକ ଜଣେ ମହିଳା ଡାକ୍ତର ସୁବାସ ପଣ୍ତା, ଜିଲ୍ଲାପରିଷଦ ସଭ୍ୟ ବିପିନ ବିହାରୀ ଜେନା ଓ ଆଦିକନ୍ଦ ସାହୁଙ୍କ ନାମରେ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ ୪ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି।
ଆଜି ପୁଲିସ ଟୁନା ସାହୁଙ୍କୁ ଉଠାଇ ନେଇଛି। ଅପରପକ୍ଷରେ ଅମିତାଭ ଜେନାଙ୍କୁ ଆକ୍ରମଣ ଘଟଣାକୁ ବ୍ଲକ ଛାତ୍ର ବିଜେଡି ପକ୍ଷରୁ ନିନ୍ଦା କରାଯାଇ ତୁରନ୍ତ ସଂପୃକ୍ତ ବିଜେପି କର୍ମୀମାନଙ୍କୁ ଗିରଫ କରିବାକୁ ବାଲିଚନ୍ଦ୍ରପୁର ଥାନାରେ ଦାବିପତ୍ର ପ୍ରଦାନ କରାଯାଇଛି। ସେହିପରି ଏହି ଘଟଣାରେ ସଂପୃକ୍ତ ଥିବା ବିଜେପି ଓ ବିଜେଡି କର୍ମୀମାନଙ୍କୁ ଗିରଫ କରିବା ପାଇଁ ରାଜ୍ୟ ଯୁବ କଂଗ୍ରେସ ଯୁଗ୍ମସମ୍ପାଦକ ସୁୁଦୀପ ସାମଲ ଥାନାରେ ଦାବିପତ୍ର ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/balichandrapur-police.jpg)