ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟର: ଜଣେ ମୃତ, ୧ ଗୁରୁତର

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ବୁଢ଼ୀମାଲ ଶଗଡ଼ିଆ ନାଳ ନିକଟରେ ବୁଧବାର ଅପରାହ୍ଣରେ ଏକ ବାଇକ୍‌କୁ ଟ୍ରାକ୍ଟର ଧକ୍କା ଦେଇଛି। ଏଥିରେ ବାଇକ୍ ଚାଳକ କଣ୍ଟାମାଳ ଥାନା ରୁଣ୍ଡିମହୁଲ ପଞ୍ଚାୟତ ଟାଙ୍ଗିଆପାଲି ଗାଁର ସ୍ୱାଧୀନ ଦନ୍ତାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପଛରେ ବସିଥିବା ବରଗାଁ ପଞ୍ଚାୟତ କୁମେଲବନ୍ଧ ଗାଁର ରାଜେଶ କବାଟ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ବୁଧବାର ଅପରାହ୍ଣ ୫ଘଣ୍ଟା ସମୟରେ କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ମାତାକୂପା ରାସ୍ତାର ବୁଢ଼ୀମାଲ ଶଗଡ଼ିଆ ନାଳ ନିକଟରେ ମାତାକୁପା ପଟରୁ ଯାଉଥିବା ଟ୍ରାକ୍ଟର (ଓଡି ୩୧ଜେ ୧୫୯୫) ସାମନା ପଟୁ ଆସୁଥିବା ବାଇକ୍‌ (ଓଡି ୩୧ଏଚ୍‌ ୦୦୩୨)କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଉଭୟ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଥିଲା। ଫଳରେ ସ୍ୱାଧୀନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଉଭୟ ମୃତକ ଓ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏପଟେ ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ମାରିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ଡାକ୍ତରଖାନାକୁ ପଠାଇଥିବା ବେଳେ ଗୁରୁତର ରାଜେଶଙ୍କୁ କଣ୍ଟାମାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ପଠାଇ ଦିଆଯାଇଛି। କଣ୍ଟାମାଳ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଛି।

ସମ୍ବନ୍ଧିତ ଖବର