ଜାତୀୟ ରାଜପଥରେ ମାଲବାହୀ ଟ୍ରକ ଓ କାର ମୁହାଁମୁହିଁ ଧକ୍କା, ଜଣେ ମୃତ 

ବାହାନଗା: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଖନ୍ତାପଡା ଥାନା ନିକଟରେ ମାଲବାହୀ ଟ୍ରକ ଓ କାର ମୁହାଁମୁହିଁ ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବାର ସୂଚନା ମିଳିଛି। ସୂଚନା ଅନୁସାରେ ଖନ୍ତାପଡା ଥାନାରୁ ଶହେ ମିଟର ଦୂରରେ ଥିବା ଏକ ଡାଇଭର୍ଶନ ନିକଟରେ ବାଲେଶ୍ୱର ଅଭିମୁଖେ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ( ଓଆର-୦୯-କେ-୪୯୯୫) ସହିତ କୋଲକାତାରୁ ଆସୁଥିବା କାର ( ଡବ୍ଲୁବି-୦୪-ଜି-୭୭୬୮) ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ଟ୍ରକ ତଳେ ପଶି ଯାଇଥିଲା। କାରରେ ଥିବା ଚାଳକ ଓ ଅନ୍ୟ ଜଣେ ବ୍ୟକ୍ତି ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଖନ୍ତାପଡା ଥାନା ଏସଆଇ କାଞ୍ଚନ ମଳିକ ପହଞ୍ଚି ଘଟଣାସ୍ଥଳରେ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସ ଜରିଆରେ ଉଭୟଙ୍କୁ ବାଲେଶ୍ୱର ସଦର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରିଥିଲେ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭର ଜଣକ ମୃତ୍ୟୁବରଣ କରିଥିଲେ। ଗୁରୁତର ଅବସ୍ଥାରେ ଅନ୍ୟ ଆହତଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଗୁରୁତର ଆହତ ଜଣକ ହେଲେ କୋଲକାତା ଅଂଚଳର ଡାକ୍ତର ଦେବଲୀନ ସର୍ଖେଲ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଦୁର୍ଘଟଣା ପାଇଁ ଜାତୀୟ ରାଜପଥରେ ଯାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ କ୍ରେନ ସାହାଯ୍ୟରେ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର