ମୟୂରଭଞ୍ଜରେ ମେଲିଛି ଆଇପିଏଲ୍‌ ବେଟିଂର କଳାବାଦଲ: ଫାଇନାଲ୍‌ ପୂର୍ବରୁ ପୁଲିସ ହାତରେ ଦୁଇ ପ୍ରମୁଖ ବୁକି

ବାରିପଦା: ମୟୂରଭଞ୍ଜରେ ମେଲିଛି ଆଇପିଏଲ ବେଟିଂର କଳାବାଦଲ। ମଙ୍ଗଳବାର ଆଇପିଏଲ-୨୦୨୦ର ଫାଇନାଲ ପୂର୍ବରୁ ପୁଲିସ୍‌ ହାବୁଡ଼ରେ ପଡ଼ିଛନ୍ତି ଜିଲ୍ଲାରେ ଏହି କାରବାରର ମୁଖ୍ୟ ସୂତ୍ରଧର ପାଲଟିଥିବା ଦୁଇ ପ୍ରମୁଖ ବୁକି। ଖୋଦ୍‌ ପୁଲିସ୍‌ ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ସ୍ମିତ୍‌ ପି ପରମାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଦୁଇ ପ୍ରମୁଖ ବୁକିଙ୍କୁ ଧରି ଅଧିକ ତଦନ୍ତ ଆରମ୍ଭ ହୋଇଛି। ଆସନ୍ତାକାଲି ଫାଇନାଲ୍‌ ମ୍ୟାଚ୍‌ ଥିବାରୁ ଏହାକୁ ଅତ୍ୟନ୍ତ ଗୋପନ ରଖି ପଚରାଉଚୁରା ଜାରି ରଖିଛି ପୁଲିସ।

ଧରାପଡ଼ିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ବାରିପଦା ଟାଉନ୍‌ ଥାନା ବଡ଼ବଜାର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ବ୍ରାହ୍ମଣଶାସନ ଅଞ୍ଚଳର। ଅଟକ ଦୁଇଜଣଙ୍କ ମଧ୍ୟରୁ ଜଣେ ବାରିପଦାର ଏକ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ମଧ୍ୟ ଜଣାପଡ଼ିଛି। ଜିଲ୍ଲାର ଅଧିକାଂଶ ବ୍ଲକ୍‌ ମୁଖ୍ୟାଳୟରେ ଏହି ବେଟିଂ କାରବାର ଜୋର ଧରିଥିବା‌ବେଳେ ସଦରମହକୁମା ବାରିପଦା ସହରରେ ଏହା କାୟା ବିସ୍ତାର କରିଛି। ସହରର ବଡ଼ବଜାର, ମଧୁବନ, ପାଲବଣି, ମୁର୍ଗାବାଡ଼ି, ଲାଲବଜାର, ବେଲଗଡ଼ିଆ, କେଏମବିଏମ ଅଞ୍ଚଳ ସହିତ ଏକ ଜଣାଶୁଣା ହୋଟେଲ୍‌ରେ ଏହି କାରବାର ବେଶ ସନ୍ତର୍ପଣର ସହିତ ଚାଲୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ମୋବାଇଲ୍‌ ଓ କମ୍ପ୍ୟୁଟର ମାଧ୍ୟମରେ ଏହି ଖେଳ ଚାଲିଛି। ‘କ୍ରିକେଟ ଲାଇନ ଗୁରୁ’ ଆପ୍‌ ପାଲଟିଛି ଏହାର ପ୍ରମୁଖ ମାଧ୍ୟମ।

ମୋବାଇଲ୍‌ରେ ଏହି ଆପ୍‌ ଡାଉନଲୋଡ୍‌ କଲାପରେ କ୍ରିକେଟ୍‌ ସହିତ ଅନ୍ୟାନ୍ୟ ଖେଳ ସହ ଜଡ଼ିତ ଦାମ(ମାର୍କେଟ୍‌ ରେଟ) ଜଣାପଡ଼ିଥାଏ। ବିଶେଷକରି ଆଇପିଏଲ ସମୟରେ ଏହା ଜୋର ଚାଲିଛି। ଏହି ଆପ୍‌ ମାଧ୍ୟରେ ଉଇକେଟ୍‌ ପଡ଼ିଲେ ଦାମ କମୁଥିବାବେଳେ ଛକା ଚୌକା ବର୍ଷା ହେଲେ ଦାମବଢ଼ିଥାଏ। ସେହି ଅନୁସାରେ ଡାର୍କ ନେଟ୍‌ ତଥା ଅନ୍ଧାରରେ ରହି ଜିତିବା ଆଶାରେ ଲକ୍ଷାଧିକ ଟଙ୍କାର ବାଜି ଲାଗିଥାଏ। ଏହି ବେଟିଂର ମୁଖ୍ୟ କାର୍ପଟଦାରଙ୍କୁ କିନ୍ତୁ ଏଯାଏଁ କେହି ଜାଣିନାହାନ୍ତି କିମ୍ବା ଦେଖିନାହାନ୍ତି। ସମ୍ପୂର୍ଣ୍ଣ ଦକ୍ଷିଣୀ ଫିଲ୍ମ‌ ଢାଞ୍ଚାରେ ଚାଲିଛି ଏହି ଖେଳ। ଅନ୍ଧାରୀ ସୋର୍ସରେ ଲକ୍ଷ ଲକ୍ଷ ଟଙ୍କାର ବାଜି ଲାଗୁଛି। ଏହି ଖେଳରେ ବାଜିରେ ଟଙ୍କା ଲଗାଉଥିବା ଲୋକ ଲାଭ ମଧ୍ୟ ପାଉଥିବା ଜଣାପଡ଼ିଛି। ତେବେ ଅଧିକାଂଶ କ୍ଷତିରେ ମଧ୍ୟ ପଡ଼ୁଛନ୍ତି। ସର୍ଟକଟ୍‌ରେ ଅଧିକ ଲାଭ ଆଶାରେ ଯୁବପୀଢ଼ି ଏହି ବେଟିଂ ଶିକାର ହେଉଥିବା ଜଣାପଡ଼ିଛି। ଏପରିକି ଟଙ୍କା ହରାଇ ଚୋରି ଭଳି ନାନା ବେଆଇନ କାରବାରକୁ ମଧ୍ୟ କିଛି ଯୁବକ ଆପଣାଉଥିବା ଦେଖିବାକୁ ମିଳୁଛି।

US Mobile Sports Betting Is A Multi-Million Dollar Industry
USA Online Sportsbooks

ଗୁଗୁଲ୍‌ ପେ, ଫୋନ୍‌ ପେ ଭଳି ଆପ୍‌ ମାଧ୍ୟମରେ ଚାଲିଛି ଟଙ୍କା ନେଣଦେଣ କାରବାର। ଦୁଇ ନମ୍ବର କାମ ଏକ ନମ୍ବର ବ୍ୟବସ୍ଥାରେ ଚାଲିଛି। ଯାହାଫଳରେ ଏହା ବହୁସଂଖ୍ୟକ ଗ୍ରାହକ ସୃଷ୍ଟି କରିବାରେ ସମର୍ଥ ହେଉଛି। କେବଳ ଆଇପିଏଲ ସମୟରେ ନୁହେଁ ବର୍ଷତମାମ କ୍ରିକେଟ୍‌ରେ ବାରିପଦାରେ ଅନଲାଇନ ବେଟିଂ କାରବାର ଚାଲୁଥିବା ଜଣାପଡ଼ିଛି। ଅତ୍ୟନ୍ତ ସନ୍ତର୍ପଣରେ ଚାଲୁଥିବା ଏହି କାରବାର ସମ୍ପର୍କରେ କିନ୍ତୁ କାହାକୁ କିଛି ସୂଚନା ନମିଳିବା ଚିନ୍ତାର ବିଷୟ। ଅଟକ ଥିବା ଦୁଇ ବୁକିଙ୍କୁ ପୁଲିସ୍‌ ଜୋରଦାର ପଚରାଉଚୁରା କଲେ ବାରିପଦା ସହରରେ ଚାଲିଥିବା କ୍ରିକେଟ ବେଟିଂ ସମ୍ପର୍କରେ ବହୁ ତଥ୍ୟ ପାଇପାରିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର