୬୬ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ପଞ୍ଚମ ବୃହତ୍‌ ଜୈବିକ ବିନାଶ ଘଟିଥିଲା। କ୍ରେଟାସିଅସ୍‌ ପାଲୋଜେନ୍‌ ଏକ୍‌ଷ୍ଟିଙ୍କସନ୍‌ ଇଭେଣ୍ଟ୍‌ ନାମରେ ଏହା ଜଣାଶୁଣା। ଆଗକୁ ଆସୁଥିବା ମହାବିନାଶକୁ ସେବୋମାନିଆନ୍‌ ଟ୍ୟୁରୋଦିଅ୍ରାନ୍‌ ବାଉଣ୍ଡରି ଇଭେଣ୍ଟ୍‌ର ନାମ ଦିଆଯାଇଛି। ଇତିହାସର ଏହି ଷଷ୍ଠ ବୃହତ୍‌ ବିଲୁପ୍ତି ଆରମ୍ଭ ହୋଇସାରିଛି। ପୂର୍ବ ବିଲୁପ୍ତଗୁଡ଼ିକଠାରୁ ଏହା ଆହୁରି ଭୟଙ୍କର ହେବ। ଜନସଂଖ୍ୟା ବୃଦ୍ଧି ଓ ଅତ୍ୟଧିକ ଉପଭୋଗ ବନ୍ୟପ୍ରାଣୀଙ୍କ ବିନାଶର କାରଣ ପାଲଟିବ। ଫଳରେ ପରିବେଶର ସନ୍ତୁଳନ ନଷ୍ଟ ହୋଇଯିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି।

Advertisment

ପ୍ରୋସିଡିଙ୍ଗସ୍‌ ଅଫ୍‌ ଦି ନ୍ୟାସନାଲ୍‌ ଏକାଡେମୀ ଅଫ୍‌ ସାଇନ୍ସ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପୃଥିବୀର ବିଭିନ୍ନ ସ୍ଥାନରେ ଆଞ୍ଚଳିକ ଓ ସ୍ଥାନୀୟ ସ୍ତରରେ ଶତାଧିକ କୋଟି ପ୍ରାଣୀ ମୂଳ‌େପାଛ ହୋଇସାରିଲେଣି। ପ୍ରାଣୀଙ୍କର ଏହି ‘ଜୈବିକ ବିନାଶ’ ମାନବ ସଭ୍ୟତାର ଭିତ୍ତିଭୂମିକୁ ଏକ ପ୍ରଚଣ୍ଡ ପ୍ରହାର ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ପୂର୍ବ ଅଧ୍ୟୟନଗୁଡ଼ିକରୁ ଜଣାପଡ଼ିଛି ଯେ, ବିଭିନ୍ନ ପ୍ରଜାତିର ପ୍ରାଣୀ ନିୟୁତ ନିୟୁତ ବର୍ଷ ପୂର୍ବରୁ ଯେଉଁ ହାରରେ ଲୋପ ପାଉଥିଲେ ଏବେ ତା’ଠାରୁ ଅଧିକ ବିଲୁପ୍ତି ପଥରେ ରହିଛନ୍ତି। ଏହାଦ୍ବାରା କ୍ରମଶଃ ‌‘ଜୈବ ବିବିଧତା’ ନଷ୍ଟ ହେବାରେ ଲାଗିଛି। ହଜାର ହଜାର ପ୍ରଜାତିର ପ୍ରାଣୀଙ୍କ ଏକତୃତୀୟାଂଶ ବିନାଶକୁ ବୈଜ୍ଞାନିକମାନେ ଏବେ ବିପଦଜନକ ଭାବେ ଗ୍ରହଣ କରୁନାହାନ୍ତି। ସେମାନଙ୍କ ମତରେ ସମସ୍ତ ପ୍ରକାର ପ୍ରାଣୀଙ୍କ ମଧ୍ୟରୁ ନିକଟରେ କିଛି ଦଶନ୍ଧି ଭିତରେ ୫୦% ଜୀବଙ୍କ ବିଲୁପ୍ତି ଏବେ ଚିନ୍ତାର କାରଣ। ଏହି ଜୈବିକ ବିନାଶ ପରିବେଶ, ଅର୍ଥନୀତି ଓ ସାମାଜିକ ସ୍ଥିତିକୁ ପ୍ରଭାବିତ କରିଛି। ଏହି ଧାରା ବଳବତ୍ତର ରହିଲେ ଆଗକୁ ମଣିଷକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଗବେଷକମାନେ ଚେତାଇ ଦେଇଛନ୍ତି।

କଥା-ଫରୁଆ: ‘‘ମାଗିଲା ହାତ ତଳକୁ’’

ପଦେ କଥା ହେଲେ ମଧ୍ୟ ଏହାର ଗୁରୁତ୍ବ ଅନେକ। ଏହା ଅନେକ ସମୟରେ ଆମ ଜୀବନକୁ ପ୍ରଭାବିତ କରିଥାଏ। କେହି କେହି କହନ୍ତି ମଗାଯଚା ସଂସାର। ମାନେ ସଂସାର ଭିତରେ ଘର କରିଥିଲେ ମାଗି ଯାଚି ଚଳିବା ଆବଶ୍ୟମ୍ଭାବୀ। ମାଗିବା ଅର୍ଥ କାହାଠାରୁ ଆଶା କରିବା ଓ ଯାଚିବା ଅର୍ଥ କେହି ନ ମାଗିଲେ ମଧ୍ୟ ତାଙ୍କୁ ଯାଚିକରି ଦେବା। ଅନେକ ସମୟରେ ଆମେ ଆପଣାର ସ୍ବାର୍ଥ ଓ ଲାଭ/ ଲୋଭ ପାଇଁ ଅନ୍ୟ ନିକଟରେ ହାତ ପତେଇଥାଉ, ଅର୍ଥାତ ମାଗିଥାଉ। ମାତ୍ର ମାଗିବା ଅର୍ଥ ନିଜକୁ ନ୍ୟୁନ କରିବା। ଯେ ଦିଏ ସେ ସବୁବେଳେ ସମ୍ମାନର ଅଧିକାରୀ ହୁଏ। ଅନ୍ୟପକ୍ଷରେ ଯେ ମାଗିକରି ନିଏ ତା’ର ସମ୍ମାନ ହାନି ହୁଏ। ସେଥିଲାଗି କୁହାଯାଏ ଦେଉଥିବା ହାତ ଉପରେ ଓ ନେଉଥିବା ହାତ ତଳେ। ତେଣୁ ଏଇ ନ୍ୟୁନଭାବକୁ ବୁଝାଇ କୁହାଯାଏ, ‘‘ମାଗିଲା ହାତ ତଳକୁ’’। ସେଥିପାଇଁ ଅତିକଷ୍ଟରେ ନ ପଡ଼ିବା ଯାଏ କାହାଠାରୁ ହାତ ପତେଇ ମାଗିବା ଅନୁଚିତ।

ଶବ୍ଦତୋଡ଼ା

publive-image

‘ପନିପରିବା’ ଅନେକ ପଦାର୍ଥକୁ ବୁଝାଏ। ରୋଷେଇବାସ ଲାଗି ବ୍ୟବହୃତ ଫଳ ଓ ପତ୍ର ପ୍ରାୟତଃ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ଉଦାହରଣ ସ୍ବରୂପ କଞ୍ଚାରେ ଖାଉଥିବା ଫଳ ଭିତରୁ ଅନେକ ପନିପରିବାରେ ଗଣା ହୁଅନ୍ତି ନାହିଁ। ଧରାଯାଉ ସଜନାଛୁଇଁ। ଏହାକୁ କେବଳ ରାନ୍ଧିକରି ଖାଇହେବ। ଅନ୍ୟପକ୍ଷରେ ମୁଗଛୁଇଁ, ଛୁଇଁ ପର୍ଯ୍ୟାୟର ହେଲେ ମଧ୍ୟ ତାହା ପନିପରିବାରେ ଯାଏ ନାହିଁ। ଆମ୍ବ, ପଣସ, ସପୁରି, ଖଜୁରି, ପାଚିଲା କଦଳୀ ଆଦି ଏବେ ରୋଷେଇରେ ବ୍ୟବହୃତ ହେଲେଣି ହେଲେ ସେ ସବୁ ଫଳ। ସେମିତି ଜାମୁକୋଳି, ପିଜୁଳି, ସପେଟା ଆଦି ରୋଷେଇରେ ଲାଗନ୍ତି ନାହିଁ। ସେ ସବୁ କେବଳ ଫଳ। ‘ପନିପରିବା’ ଶବ୍ଦଟି ଏକ ‌େଯୗଗିକ ଶବ୍ଦ। ପନି ଆସିଛି ପର୍ଣ୍ଣରୁ ବା ପତ୍ରରୁ। ତେଣୁ ପନି କହିଲେ ପତ୍ର/ଶାଗ ସମ୍ବନ୍ଧୀୟ ରୋଷେଇ-ଯୋଗ୍ୟ ଦ୍ରବ୍ୟ। ମାତ୍ର ପରିବା କହିଲେ ତାହା କେବଳ ରୋଷେଇ-ଯୋଗ୍ୟ ଫଳକୁ ହିଁ ବୁଝାଇଥାଏ। ଯେମିତି କି କଞ୍ଚା କଦଳୀ, ଆଳୁ, ବାଇଗଣ, ଜହ୍ନି, ଭେଣ୍ଡି, କୋବି, କାଙ୍କଡ଼ ଇତ୍ୟାଦି। ମଜାକଥା ହେଲା ମୂଳା, ବିଟ୍‌, ଗାଜର, କାକୁଡ଼ି, ବିଲାତି ବାଇଗଣ ଆଦି କଞ୍ଚାରେ ଖିଆଗଲେ ମଧ୍ୟ ସବୁ ପରିବା ଭାବରେ ଜଣାଶୁଣା।