ଭୁବନେଶ୍ବର: ଆମ ସଂସ୍କୃ୍ତିରେ ‘ତଅପୋଇ’ ଭଳି ଅନେକ କାହାଣୀ ଅଛି। କିନ୍ତୁ ତାକୁ କେହି ନିଜ ଲେଖାରେ ସ୍ଥାନ ଦେଇନାହାନ୍ତି। ଓଡ଼ିଆମାନେ କିଛି ଲେଖନ୍ତି କି ପଢ଼ନ୍ତି ନାହିଁ। ସେଥିପାଇଁ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏକ ସଂକଟ ମଧ୍ୟ ଦେଇ ଗତି କରୁଛି। ଏଭଳି ସଂକଟରୁ ମୁକୁଳିବା ପାଇଁ ଆମକୁ ଆମ ସଂସ୍କୃତି ଉପରେ ଅଧିକରୁ ଅଧିକ ଲେଖିବାର ଆବଶ୍ୟକତା ଅଛି। ବିଶ୍ବରେ ଯେଉଁଠି ଥିଲେ ବି ଓଡ଼ିଆମାନେ ଓଡ଼ିଶାର ସଂସ୍କୃତି ଉପରେ ଲେଖନ୍ତୁ। ପକ୍ଷୀଘର ପ୍ରକାଶନୀ ପକ୍ଷରୁ ଭାରତୀୟ କୂଟନୀତିଜ୍ଞ ଅରୁଣ କୁମାର ସାହୁଙ୍କ ତିନୋଟି ପୁସ୍ତକ ‘ଶୂନ୍ୟର ସନ୍ତୁଳନ’, ‘ଯାଯାବରର ଯାତ୍ରା’ ଓ ‘ତ୍ରିନିଦାଦ୍ ଆଣ୍ଡ ଟବାଗୋ ଏ ଡିପ୍ଲୋମାଟସ୍ କଲଚରାଲ୍ ଏକ୍ସପେଡିସନ୍’ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଖ୍ୟାତ ସାହିତ୍ୟିକ ପ୍ରଫେସର୍ ଶାନ୍ତୁନ କୁମାର ଆଚାର୍ଯ୍ୟ ଆଜି ଏପରି ଆହ୍ବାନ ଦେଇଛନ୍ତି।
ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ସାଂସ୍କୃତିକ ଅନୁଷ୍ଠାନ ‘ସୁର ମନ୍ଦିର’ ପକ୍ଷରୁ ସାହିତ୍ୟ ଓ ନୃତ୍ୟକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ନୃତ୍ୟାକ୍ଷର’ ଅବସରରେ ଏହି ପୁସ୍ତକ ଉନ୍ମୋଚନ ହୋଇଥିଲା। ବିଶିଷ୍ଟ ଅତିଥି କଥାକାର ଗୌରହରି ଦାସ କହିଲେ, ଅରଣ୍ୟକୁ ଅତିକ୍ରମ କଲେ ଅଭିଜ୍ଞତା ଯେପରି ସବୁ ପ୍ରାଣୀଙ୍କର ଭିନ୍ନଭିନ୍ନ, ସେହିପରି ଜୀବନକୁ ଭୋଗ କରିବାର ଅଭିଜ୍ଞତା ମଧ୍ୟ ସବୁ ଲେଖକଙ୍କର ଭିନ୍ନଭିନ୍ନ। ରାଷ୍ଟ୍ରଦୂତ ଅରୁଣ କୁମାର ସାହୁ ଏକଦା ‘କଥା ଅଙ୍କୁର’ ପ୍ରତିଯୋଗିତାରେ ବିଜୟୀ ହେବା କଥା ଏବେ ବି ମନେ ରଖିଥିବାରୁ ସେ କୃତଜ୍ଞତା ଜଣାଇଥିଲେ।
କଥାଶିଳ୍ପୀ ଅଜୟ ସ୍ବାଇଁ କହିଲେ, ଏବେ ବହିର ଆଦର କମୁଥିଲେ ହେଁ ବହି ଲେଖା କମି ନାହିଁ। ପୁସ୍ତକର ଲେଖକ ଶ୍ରୀ ସାହୁ ତାଙ୍କ ରଚିତ ୩ଟି ପୁସ୍ତକ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ତାଙ୍କ ରଚିତ କିଛି କବିତା ଓ ଅଜାଦୀ କି ଅମୃତ ମହୋତ୍ସବର ଆଧାରରେ କିଛି ଦେଶାତ୍ମବୋଧ କବିତାକୁ ଶ୍ରୀନିବାସ ଘଟୁଆରୀ, ଦୀପ୍ତିରାଣୀ ସାମନ୍ତ, ମନୁଆ ଦାସ, ଦେବଦତ୍ତ ପତି କବିତା ପାଠ କରିଥିଲେ। ପରେ ସୁର ମନ୍ଦିର ପକ୍ଷରୁ ନୃତ୍ୟ ଶିଳ୍ପୀମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଗୁରୁ ଜ୍ୟୋତ୍ସ୍ନାରାଣୀ ସାହୁ ସ୍ବାଗତ ଭାଷଣ ଓ ପକ୍ଷୀଘରର ସଂପାଦକ ବନୋଜ ତ୍ରିପାଠୀ ଅତିଥି ପରିଚୟ ଦେଇଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।