ଖୋର୍ଦ୍ଧା: ଖୋର୍ଦ୍ଧା ଉପଖଣ୍ଡର ୬ ବ୍ଲକରୁ ୪ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଛନ୍ତି। ଦୁଇଟିରେ ବିଜେପି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଛନ୍ତି। ତେବେ ୨୦୨୪ ନିର୍ବାଚନ ପାଇଁ ଉପଖଣ୍ଡର ୩ ବିଧାନସଭା ଆସନର ବିଧାୟକମାନେ ଦଳ ନୁହେଁ ନିଜ ଗଡ ସୁରକ୍ଷିତ ରଖିବାକୁ ଗୋଟି ଚାଳନା କରିଥିବା ଅଧ୍ୟକ୍ଷ ନିର୍ବାଚନରୁ ସ୍ପଷ୍ଟ ହୋଇଛି।

Advertisment

ବେଗୁନିଆ ବୋଲଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ୨୧ ସମିତି ସଭ୍ୟ ବିଶିଷ୍ଟ ବେଗୁନିଆ ବ୍ଲକରେ ଆଜି ବେଗୁନିଆ ବିଧାୟକଙ୍କ ସମର୍ଥକ ପ୍ରକାଶ ଚନ୍ଦ୍ର ବଳିଆରସିଂହ ଓ କଂଗ୍ରେସ ଛାଡ଼ି ବିଜେଡିରେ ମିଶି ଥିବା ପ୍ରଦୀପ ସାହୁଙ୍କ ସମର୍ଥକ ଲକ୍ଷ୍ମୀକ୍ଷର ସୁବୁଦ୍ଧିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଲକ୍ଷ୍ମୀଧର  ଗୋଟିଏ ଭୋଟରେ ବେଗୁନିଆ ବିଧାୟକଙ୍କ ସମର୍ଥକଙ୍କୁ ହରାଇ ବିଜୟୀ ହୋଇଥିଲେ । ଏହାପରେ ପ୍ରକାଶଙ୍କ ସମର୍ଥକମାନେ ବିଜୟୀ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ସମିତି ସଭ୍ୟଙ୍କୁ ଭୟଭୀତ କରିବା ସହ ବ୍ଲକ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଅପରପକ୍ଷରେ, ୧୯ ସମିତି ସଭ୍ୟ ଆସନ ବିଶିଷ୍ଟ ବୋଲଗଡ଼ରେ ଅଧ୍ୟକ୍ଷ ନିର୍ବାଚନ ଶାନ୍ତିପୂର୍ଣ୍ଣ ଥିଲା । ଏଥିରେ ବିଜେଡି ସମର୍ଥିତ ହୁଲ୍ଲାସ ପ୍ରଧାନ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି ।

୨୦୨୪ ନିର୍ବାଚନ ପାଇଁ ବିଧାୟକଙ୍କ ଗୋଟି ଚାଳନା

୩ଟିରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ

ଗୋଟିଏରେ ଦଳୀୟ ପ୍ରାର୍ଥୀଙ୍କ ସହ କଡ଼ା ମୁକାବିଲା

ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ ବିବାଦ ଜଳଜଳ ହୋଇ ସ୍ପଷ୍ଟ ହୋଇଛି । ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଓ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରାର୍ଥୀ ଚୟନ ଓ ସମର୍ଥନକୁ ନେଇ କିଛି ଦିନ ଧରି ଟଣାଓଟରା ଚାଲିଥିଲା । ନନ୍ଦପୁର ସମିତି ସଭ୍ୟ ପ୍ରକାଶ ସାମନ୍ତରାୟଙ୍କୁ ଖୋର୍ଦ୍ଧା ବିଧାୟକଙ୍କ ସମର୍ଥନ ରହିଥବା ଆଲୋଚନା ହେଉଥିବା ବେଳେ ରାଜେନ୍ଦ୍ର ସାହୁ ବଙ୍ଗିଦା ସମିତି ସଭ୍ୟ ଶ୍ରୀମୟୀ ପ୍ରିୟଦର୍ଶିନୀଙ୍କୁ ସମର୍ଥନ ଦେଉଥିଲେ ।

ଏପରିକି ଖୋର୍ଦ୍ଧା ବ୍ଲକର ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ନେଇ ପୁରୀ ଲୋକନାଥ ମନ୍ଦିରରେ ଶ୍ରୀମୟୀ ପ୍ରିୟଦର୍ଶିନୀଙ୍କୁ ସମର୍ଥନ ଦେବାକୁ ବିଧାୟକ ରାଜେନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଶପଥ ପାଠ କରାଉଥିବା ଭିଡ଼ିଓ ଭାଇରାଲ୍ ହୋଇଥିଲା । ତେବେ ଏଥିରେ ତାଙ୍କର ସମ୍ପୃକ୍ତିକୁ ବିଧାୟକ ସାହୁ ଅସ୍ୱୀକାର କରିଛନ୍ତି । କିନ୍ତୁ ଆଜି ନିର୍ବାଚନରେ ଶ୍ରୀମୟୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି ।

ସେହିଭଳି ୨୬ ସମିତି ସଭ୍ୟ ଆସନ ବିଶିଷ୍ଟ ଟାଙ୍ଗୀ ବ୍ଲକର ଅଧ୍ୟକ୍ଷ ପଦବୀ ପାଇଁ ରାଜେନ୍ଦ୍ର ସାହୁଙ୍କ ସମର୍ଥିତ ରିଶ୍ନା ମାନ୍ଧାତା ଓ ଜ୍ୟୋତିରିନ୍ଦ୍ର ନାତ ମିତ୍ରଙ୍କ ସମର୍ଥିତ ଗୀତାଂଜଳି ପାଟ୍ଟଷାଣୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଶେଷ ମୁହୂର୍ତ୍ତ ଯାଏଁ ଉଭୟ ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ରିଶ୍ନାଙ୍କୁ ସମର୍ଥନ ଦେଉଥିବା ୧୬ ସମିତି ସଭ୍ୟଙ୍କୁ ଜିଲ୍ଲା ବାହାରକୁ ନେଇ କିଛି ଦିନ ରଖିବାକୁ ପଡ଼ିଥିଲା । ଆଜିର ନିର୍ବାଚନରେ ରିଶ୍ନା ନିଜ ଦଳ ସମର୍ଥିତ ଗୀତାଂଜଳିଙ୍କୁ ୬ଟି ଅଧିକ ଭୋଟ ପାଇ ପରାଜିତ କରିଛନ୍ତି ।

ବହୁ ବିବାଦୀୟ ଥିବା ଚିଲିକା-ବାଣପୁର ବିଧାନସଭା ଆସନରେ ନିର୍ବାଚନ ପୂର୍ବରୁ ହିଁ ଦଳର ପୂର୍ବତନ ବିଧାୟକ ରଘୁନାଥ ସାହୁ ଓ ତାଙ୍କ ସମର୍ଥକ ଦଳରୁ ନିଲମ୍ବନ ହୋଇଥିବା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅସହଯୋଗ କରିଥିଲେ। ଖୋର୍ଦ୍ଧା ଉପଖଣ୍ଡର ସମସ୍ତ ଜିଲ୍ଲା ପରିଷଦ ଆସନରେ ବିଜେଡି ଜିତି ଥିବା ବେଳେ କେବଳ ଚିଲିକା ଓ ବାଣପୁରରେ ବିଜେପି ସମର୍ଥିତ ଜିଲ୍ଲାପରିଷଦ ଓ ସମିତି ସଭ୍ୟ ପ୍ରାର୍ଥୀ ଜିତିଥିଲେ।

ନିର୍ବାଚନ ସମୟରେ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବ ନିଜର ନିର୍ବାଚନମଣ୍ଡଳୀରେ ଯେତିକି ସଂଗଠନକୁ ସୁଦୃଢ଼ କରିବାକୁ ଉଦ୍ୟମ କରିଥିଲେ ତା’ ଠାରୁ ଢେର ଅଧିକ ପରିମାଣରେ ଖୋର୍ଦ୍ଧାର ଟାଙ୍ଗୀ ବ୍ଲକରେ ମନୋନିବେଶ କରିଥିଲେ। ନିଜର ପୈତୃକ ଗାଁ ବଡ଼ପୋଖରିଆରେ ନିର୍ବାଚନରେ ସମସ୍ତ ସରପଂଚ ଓ ସମିତି ସଭ୍ୟ ଓ ୱାର୍ଡ଼ ସଭ୍ୟ ଅପ୍ରତିଦ୍ୱନ୍ଦ୍ୱୀ କରିବାରେ ତାଙ୍କର ଭୂମିକା ଅଧିକ ରହିଥିଲା । ଏପରିକି ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ପାଇଁ ଗୀତାଂଜଳିଙ୍କୁ ମଧ୍ୟ ସମର୍ଥନ ଦେଇ ଜିତାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଜ ନିର୍ବାଚନମଣ୍ଡଳୀରେ ସେ ବିଫଳ ହୋଇଛନ୍ତି । ତେଣୁ ଗଡ ସୁରକ୍ଷା ପାଇଁ ସମସ୍ତଙ୍କ ପ୍ରୟାସ ଏଥିରୁ ସ୍ପଷ୍ଟ ହୋଇଛି।