ଆସାମ ବନ୍ୟା: ୨୪ ଜିଲ୍ଲାର ୨୪ ଲକ୍ଷ ଲୋକ ପ୍ରଭାବିତ, ମୃତ୍ୟୁ ସଂଖ୍ୟା ୧୧୦ ଛୁଇଁଲା
ଗୌହ୍ବାଟୀ: ଆସାମରେ ହୋଇଥିବା ବନ୍ୟାରେ ୨୪ ଜିଲ୍ଲା ପ୍ରଭାବିତ ହୋଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ପ୍ରାୟ ୨୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ରହିଛି। ୧,୦୯,୬୬୦.୫୩ ହେକ୍ଟଟର ଚାଷ ଜମି ନଷ୍ଟ ହୋଇ ଯାଇଥିବା ବେଳେ ଜଳ ସ୍ତର ବଢ଼ିଯିବାରୁ ୨,୨୫୪ ଗ୍ରାମ ଜଳାଶୟ ହୋଇଥିବା ଆସାମ ଷ୍ଟେଟ୍ ଡିଜାଷ୍ଟର୍ ମ୍ୟାନେଜ୍ମେଣ୍ଟ ଅଥରିଟି ପକ୍ଷରୁ ଜାଣିବାକୁ ମିଳିଛି। ଏବେ ସୁଦ୍ଧା ରାଜ୍ୟରେ ବନ୍ୟା ହେତୁ ୧୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ବନ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ଧିମାଜୀ, ଲକ୍ଷ୍ମୀପୁର, ବିଶ୍ବନାଥ, ଦାରଙ୍ଗ, ବକ୍ସା, ନାଲବରି, ବରପେଟା, ଚିରାଙ୍ଗ, ବୋନଗଇଗାଓଁ, କୋକ୍ରାଝର, ଧୁବରି, ସାଉଥ୍ ସଲମରା, ଗୋଲ୍ପରା, କାମରୁପ, କାମରୁପ ମେଟ୍ରୋପଲିଟାନ୍, ମୋରିଗାଓଁ, ନାଗାଓଁ, ଗୋଲାଘାଟ, ଜୋର୍ହଟ, ମଜୁଲି, ଶିବସାଗର, ଦିବ୍ରୁଗଡ଼, ତିନ୍ସୁକିଆ ଏବଂ କଚର।
ସୋମବାର ବ୍ରହ୍ପପୁତ୍ର ନଦୀରେ ଜଳ ସ୍ତର ବଢ଼ି ଦିବ୍ରୁଗଡ଼ର କେତେକ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଥିଲ। ସରକାର ବନ୍ୟା ପ୍ରପୀଡ଼ିତମାନଙ୍କୁ ସାହାଯ୍ୟ କରିବାକୁ ୨୭୬ଟି ରିଲିଫ୍ ଶିବିର ସହ ୧୯୨ଟି ରିଲିଫ୍ ବିତରଣ କେନ୍ଦ୍ର ସ୍ଥାପନ କରିଥିଲେ।
ବନ୍ୟାରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି ଗୋଲ୍ପରା। ଏହି ଅଞ୍ଚଳରୁ ୪.୫୯ ଲୋକ ପ୍ରଭାବିତ ହୋଇଥିବା ସୂଚନା ରହିଛି। ଦ୍ବିତୀୟ ପ୍ରଭାବିତ ଅଞ୍ଚଳ ହେଉଛି ବରପେଟା। ଏଠାରୁ ୩.୩୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ମୋରିଗାଓଁରେ ୩.୩୫ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଥିବା ସୂଚନା ରହିଛି।
କାଜିରଙ୍ଗା ଜାତୀୟ ଉଦ୍ୟାନରୁ ବନ୍ୟା ହେତୁ ୧୧୩ ଜଣ ପ୍ରାଣିଙ୍କ ଜୀବନ ଯାଇଛି। ୧୪୦ ଜଣ ପ୍ରାଣିଙ୍କୁ ଉଦ୍ୟାନରୁ ଉଦ୍ଧାର କରାଯାଇଛି ବୋଲି ସୂଚନା ରହିଛି।