ଲଣ୍ଡନ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ କୋଭିଡ୍-୧୯ ନିରୋଧୀ ଟିକା ‘ଏଜେଡ୍ଡି ୧୨୨୨’ର ପ୍ରାଥମିକ ନୈଦାନିକ ପରୀକ୍ଷାରୁ ସକାରାତ୍ମକ ଫଳାଫଳ ମିଳିଛି। ଏହି ଟିକା ନେଇଥିବା ଲୋକଙ୍କ ଶରୀରରେ ସୁରକ୍ଷାକାରୀ ପ୍ରତିରୋଧ କ୍ଷମତା ତ୍ବରାନ୍ବିତ ହେଉଛି ବୋଲି ବ୍ରିଟିସ୍ ମେଡିକାଲ୍ ଜର୍ଣ୍ଣାଲ୍ ‘ଲାନ୍ସେଟ୍’ ରିପୋର୍ଟ କରିଛି। ଏହି ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ଠାରେ କୌଣସି ସାଙ୍ଘାତିକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନାହିଁ।
ଗବେଷକମାନେ କହିଛନ୍ତି ଯେ, ତାଙ୍କର ପରୀକ୍ଷାମୂଳକ କୋଭିଡ୍-୧୯ ଟିକା ୧୮ ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କ ଶରୀରରେ ଦ୍ବିଗୁଣିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ଘଟୁଥିବା ଦେଖିଛନ୍ତି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟସ୍ଥିତ ଜେନିର୍ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦେଶକ ଡାକ୍ତର ଆଡ୍ରିଆନ୍ ହିଲ୍ କହିଛନ୍ତି, ପ୍ରାୟ ସମସ୍ତଙ୍କ ଶରୀରରେ ଆମେ ଉତ୍ତମ ରୋଗ ପ୍ରତିରୋଧକ କ୍ଷମତା ଦେଖୁଛୁ। ଏହି ଟିକାର ଉତ୍ତମ ଗୁଣ ହେଉଛି, ପ୍ରତିରୋଧ ବ୍ୟବସ୍ଥାର ଦୁଇ ବାହୁକୁ ସକ୍ରିୟ କରାଇଦେବା।
/sambad/media/post_attachments/wp-content/uploads/2020/07/v-2.jpg)
ହିଲ୍ ଆହୁରି ମଧ୍ୟ କହିଛନ୍ତି ଯେ, ଶରୀରରେ ସଂକ୍ରମଣ ଅବରୋଧ କରିବାର ମୁଖ୍ୟ ଉପାଦାନ ନିଷ୍କ୍ରିୟକାରୀ ଆଣ୍ଟିବଡ଼ି ଭଳି ସୂକ୍ଷ୍ମ କଣିକା ସୃଷ୍ଟି ହେଉଛି। ଏଥିସହ ଏହି ଟିକା କରୋନାଭାଇରସ୍ ସହ ଲଢ଼ିବାକୁ ଶରୀରରେ ଥିବା ଟି-ସେଲ୍ରେ ପ୍ରତିକ୍ରିୟା କରାଉଛି।
ଏହି ଟିକାରେ ବାହକ ଭାବେ ଦିଆଯାଇଛି ଗୁଣସୂତ୍ର ପରିବର୍ତ୍ତନ କରାଯାଇ ଦୁର୍ବଳ କରାଯାଇଥିବା ସିମ୍ପାଞ୍ଜି ଏଡିନୋଭାଇରସ୍। ଏଥିରେ ମିଶାଯାଇଛି ସାର୍ସ-କୋଭ୍-୨ ସ୍ପାଇକ୍ ପ୍ରୋଟିନ୍ର ଗୁଣସୂତ୍ରୀୟ ଉପାଦାନ। ଏଡିନୋଭାଇରସ୍ ହେଉଛି ସାଧାରଣ ସର୍ଦ୍ଦି କରାଉଥିବା ଗୋଟାଏ ଉତ୍ତମ ସ୍ବଭାବର ଭୂତାଣୁ। ତେଣୁ ଏହି ଟିକା ନେବା ନିରାପଦ।