ପ୍ରକୃତିଠୁ ବଳି ପଡ଼ୁଛି ପ୍ରଶାସନର ମାଡ଼: ଖୋଲା ଆକାଶ ତଳେ କ୍ବିଣ୍ଟାଲ-କ୍ବିଣ୍ଟାଲ ଧାନ, ଚିନ୍ତାରେ ଚାଷୀ

ସମ୍ବଲପୁର: ପ୍ରକୃତି ଚେତାବନୀ ଦେଲା, ପ୍ରଶାସନ ସୁଧୁରି ଯାଉ ନହେଲେ ଚାଷୀ ବରବାଦ ହୋଇଯିବ। ଅଦିନିଆ ବର୍ଷା ସହିତ ବିଳମ୍ବିତ ଧାନ ବିକ୍ରି ଚାଷୀର ଚିନ୍ତା ବଢାଇ ଦେଇଛି। ଶୁକ୍ରବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ତେବେ ବର୍ଷା ପରିମାଣ ବେଶି ନଥିବାରୁ ବଡ଼ କ୍ଷତିରୁ ଚାଷୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ବିଣ୍ଟାଲ-କ୍ବିଣ୍ଟାଲ ଧାନ ଖୋଲା ଆକାଶ ତଳେ ଥିବାରୁ ପ୍ରତି ମୁହୂର୍ତ୍ତରେ ପ୍ରକୃତିର ମାଡ଼ ଆଶଙ୍କା ରହିଛି। ଟୋକନ୍‌ ସମସ୍ୟା ସମାଧାନ କରାଯାଇ ଯଥାଶୀଘ୍ର ଧାନ ବିକ୍ରି ବ୍ୟବସ୍ଥା ପାଇଁ ଚାଷୀମାନେ ଦାବି କରିଛନ୍ତି।

ଶନିବାର ସକାଳେ ବିଭିନ୍ନ ଗାଁରେ ଚାଷୀ ଧାନ ଶୁଖାଇବାରେ ଲାଗିପଡ଼ିଥିଲେ। ପାଣି ଛିଟାରେ ଧାନର ରଙ୍ଗ ସାମାନ୍ୟ ବି ବଦଳି ଗଲେ ମିଲରଙ୍କୁ କଟନି ଛଟନି କରିବାକୁ ବାହାନା ମିଳିଯିବା ନେଇ ସମସ୍ତେ ଆତଙ୍କିତ ଅଛନ୍ତି। କିନ୍ତୁ ଜିଲ୍ଲାରେ କୌଣସି ସ୍ଥାନରେ ଧାନ ଭିଜି ନଷ୍ଟ କିମ୍ବା କ୍ଷୟକ୍ଷତିର ରିପୋର୍ଟ ଆସି ନାହିଁ। ପ୍ରକୃତି ମାଡ ଆଶଙ୍କା ଅପେକ୍ଷା ପ୍ରଶାସନିକ ମାଡ଼ ବେଶି ବାଧୁଥିବା କହିଛନ୍ତି ଯୁଯୁମୁରା ବ୍ଲକ ସନାତନପାଲି ଚାଷୀ ମନବୋଧ ବାରିକ। ମନବୋଧଙ୍କର ନିଜସ୍ବ ୨ ଏକର, ଭାଗ ଚାଷ ୧୫ ଏକର କରିଛନ୍ତି।

ପଞ୍ଜୀକରଣ ସମୟରେ ବିକ୍ରି ତାରିଖ ନଭେମ୍ବର ବୋଲି ଉଲ୍ଲେଖ କରିଥିଲେ। ମାସେରୁ ଉର୍ଧ୍ବ ସମୟ ହେଲା ଧାନ କାଟି ସାରିଛନ୍ତି। ଆଶା କରିଥିଲେ ମଣ୍ଡି ଖୋଲିବା କ୍ଷଣି ଧାନ ବିକ୍ରି କରିବେ। ମାତ୍ର ଟୋକନରେ ବିକ୍ରି ତାରିଖ ଡିସେମ୍ବର, ଜାନୁଆରି ଦିଆଯାଇଛି। ଏଭଳି ସ୍ଥିତିରେ ଧାନ ଖଳାରେ ରଖିଛନ୍ତି। ଗତରାତିରେ ଯେଉଁ ଭଳି ବର୍ଷା ହେଲା ଆଉ ଅଧିକ ହେଲେ, କିମ୍ବା ଆଗକୁ ଏଭଳି ବର୍ଷା ହେଲେ ସେମାନେ ଏତେ ବସ୍ତା କେଉଁଠୁ ଆଣିବେ ଯେ ଧାନ ରଖିବେ। ପ୍ରଶାସନ ସେମାନଙ୍କ ସହିତ କାହିଁକି ଏଭଳି ଖେଳ ଖେଳୁଛି ବୋଲି ମନବୋଧ ପ୍ରଶ୍ନ କରିଛନ୍ତି। ତାଙ୍କ ଭଳି ଏହି ଗାଁର ଗୁରୁଚରଣ ପ୍ରଧାନ, ଅନାଦି ପ୍ରଧାନ, ଈଶ୍ବର ସାହୁ ସମସ୍ତଙ୍କର ସେହି ସ୍ଥିତି ରହିଛି। ଅନେକ ଚାଷୀ କ୍ଷେତରେ ରଖିଛନ୍ତି। ଚଳିତ ବର୍ଷ ଭଲ ଫସଲ ହୋଇଛି ବୋଲି ଚାଷୀ ଯେଉଁଭଳି ଖୁସି ହେବା କଥା ହୋଇ ପାରୁ ନାହିଁ। ପ୍ରଶାସନିକ ବ୍ୟବସ୍ଥା ତାଙ୍କ ଖୁସିରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅଭିଯୋଗ କରନ୍ତି ଅଧିକାଂଶ। ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର