‘ପଦ୍ମାବତୀ’ର ସେନସର୍‌ରେ ସହାୟତା କରିବେ ମେବାର ରାଜ ପରିବାରର ଜଣେ ସଦସ୍ୟ

ମୁମ୍ବାଇ:ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ‘ପଦ୍ମାବତୀ’ର ସେନସର୍‌ ଲାଗି ଆବେଦନ କରାଯାଇଛି ଢ଼େର ଦିନ ହେବ। କିନ୍ତୁ ତାହା ହୋଇ ପାରି ନାହିଁ। ଏବେ ସେନସର୍‌ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାଲାଗି ସି ବି ଏଫ୍‌ ସି ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି।କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସି ବି ଏଫ୍‌ ସି)ର ଅଧ୍ୟକ୍ଷ ପ୍ରସୁନ ଯୋଶୀ ଇତି ମଧ୍ୟରେ ମେବାର ରାଜ ପରିବାରର ବିଶ୍ୱରାଜ ସିଂହଙ୍କୁ ସି ବି ଏଫ୍‌ ସି ସଦସ୍ୟମାନଙ୍କ ସହ‘ପଦ୍ମାବତୀ’ ଦେଖିବା ଲାଗି ଅନୁରୋଧ କରିଛନ୍ତି । ସେ ଏଥିରେ ଯୋଗ ଦେବାପରେ ହିଁ ସେନସର ହେବ ବେଲେି ଜଣାଯାଇଛି। ସେନସର ବୋର୍ଡ ଏହି ସିନେମାରୁ କେଉଁ ସିନ୍‌ ବାଦ ଦେବେ କି ବିନା କଟରେ ତାକୁ ପାସ୍‌ କରିବେ ତାହାର ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ସେନସର୍‌ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବ ।ଲାଗି ସି ବି ଏଫ୍‌ ସକୁ ସଞ୍ଜୟ ଲୀଲା ଭଂସାଲୀ
ଆବେଦନ କରିଥିଲେ। କିନ୍ତୁ ଏଭଳି ଆବେଦନକୁ ସିଧାସଳଖ ଅଗ୍ରାହ୍ୟ କରି ଦେଇଥିଲା ସି ବି ଏଫ୍‌ ସି। କ୍ରମ ଅନୁସାରେ ଯେବେ ‘ପଦ୍ମାବତୀ’ର ପାଳି ପଡ଼ିବ ସେବେ ନିୟମ ଅନୁଯାୟୀ ଫିଲ୍ମର ସେନସର୍‌ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଥିଲା ଯେ ପୂର୍ବରୁ ପ୍ରଯୋଜନା ସଂସ୍ଥା ପକ୍ଷରୁ‘ପଦ୍ମାବତୀ’ର ସେନସର୍‌ ଲାଗି ଯେଉଁ ଆବେଦନ ପତ୍ର ଦିଆଯାଇଥିଲା ତାହା ଅସଂପୂର୍ଣ୍ଣ ଥିଲା। ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନତଳେ କିଛି ବରିଷ୍ଠ ସାମ୍ବାଦିକଙ୍କୁ‘ପଦ୍ମାବତୀ’ର ପ୍ରଦର୍ଶନ ଲାଗି ଯେଉଁ ଆୟୋଜନ କରାଯାଇଥିଲା ତାହାକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସି ବି ଏଫ୍‌ ସି)ର ଅଧ୍ୟକ୍ଷ ପ୍ରସୁନ ଯୋଶୀ ନିନ୍ଦା କରିବା ସହିତ ଏହା ସେନସର ବୋର୍ଡ ପ୍ରତି ଅପମାନଜନକ ବୋଲି ମନ୍ତବ୍ୟ ଦେଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡର ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ । ଅନ୍ୟପକ୍ଷରେ ଏଥିରେ ଆଲ୍ଲାଉଦ୍ଦିନ ଖିଲଜି ଚରିତ୍ର ନିଭାଇଛନ୍ତି ରଣବୀର ସିଂହ । ଠିକ୍‌ ସେହିପରି ଶାହିଦ୍‌ କପୁର ଅଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ଏହାର କାହାଣୀ ଜଣେ ସୁଫି କବିଙ୍କ ରଚିତ ପଦ୍ମିନୀଙ୍କ ଉପରେ ଆଧାରିତ।

photo-deccanchronicle

ଆହୁରି ମଧ୍ୟ ଏହାକୁ ଗୁଜୁରାଟ ,ରାଜସ୍ଥାନ, ଏବଂ ମଧ୍ୟ ପ୍ରଦେଶ ସରକାର ସେମାନଙ୍କ ରାଜ୍ୟରେ ପ୍ରଦର୍ଶନ ପାଇଁ ଅନୁମତି ଦେବାକୁ ମନା କରିଛନ୍ତି। ତେଣେ ସର୍ବ ବ୍ରାହ୍ମଣ ମହାସଭା ‘ ପଦ୍ମାବତୀ’ ବିରୁଦ୍ଧରେ ଆନ୍ଦୋଳନର ପ୍ରତୀକ ଭାବେ ଏକ ରକ୍ତ ଲେଖା ଚିଠି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପାଖକୁ ପଠାଇଥିବା ମଧ୍ୟ ଜଣାଯାଇଥିଲା । ସମାଜବାଦୀ ପାର୍ଟି ନେତା ତଥା କ୍ଷତ୍ରିୟ ସମାଜର କର୍ମକର୍ତ୍ତା ଠାକୁର ଅଭିଷେକ ସୋମ୍‌ ଦୀପିକା ପାଦୁକୋନଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଥିଲେ ଯେ ସେ ଦେଶ ଛାଡି ଚାଲି ଯାଆନ୍ତୁ, ଅଥବା ମୁଣ୍ଡକାଟ ଲାଗି ପ୍ରସ୍ତୁତ ରହନ୍ତୁ । ସେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଫିଲ୍ମକୁ ରିଲିଜ୍‌ ନ କରିବାର ଚେତାବନୀ ଦେବା ସହ, ଯଦି ସେପରି ନ କରନ୍ତି, ତାହାର କୁପରିମାଣ ଭୋଗିବାକୁ ପ୍ରସ୍ତୁତ ରହନ୍ତୁ ବୋଲି କହିଥିଲେ। ଡିସେମ୍ବର ୧ ତାରିଖରେ ‘ପଦ୍ମାବତୀ’ ରିଲିଜ୍‌ ହେବାର ଥିଲା ମାତ୍ର ତାହା ସମ୍ଭବପର ହୋଇ ନଥିଲା।

ସମ୍ବନ୍ଧିତ ଖବର