ଇସଲାମାବାଦ: ଜମ୍ମୁ-କଶ୍ମୀରର ବୈଷ୍ଣୋ ଦେବୀ ମନ୍ଦିର ପରିଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଦେଶ କ୍ରୋଧିତ ହୋଇଛି। ଏହି ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନକୁ ଭାରତର ସୁରକ୍ଷା ଏଜେନ୍ସି ଖୋଜୁଛି ଏବଂ ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିବା ମଧ୍ୟ ଦାବି କରୁଛି। ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରଦର୍ଶନ କରାଯାଉଛି।

Advertisment

ଏଥି ସହ ସୋସିଆଲ ମିଡିଆରେ ଏହି ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ଅନେକ ଲୋକ ବିରୋଧାତ୍ମକ ମନ୍ତବ୍ୟ ପ୍ରଦାନ କରୁଛନ୍ତି ଏବଂ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଖୋଜି ହତ୍ୟା କରାଯାଉ ବୋଲି ଦାବି କରୁଛନ୍ତି। ଏହି କ୍ରମରେ ଜଣେ ପାକିସ୍ତାନୀ କ୍ରିକେଟର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମନ୍ତବ୍ୟ ସେୟାର କରିଛନ୍ତି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ପାକିସ୍ତାନୀ କ୍ରିକେଟରଙ୍କ ଏହି ଇନଷ୍ଟାଗ୍ରାମ ସେୟାର କିଛି ଘଣ୍ଟା ମଧ୍ୟରେ ଭାଇରାଲ ହୋଇଛି।

ଇନଷ୍ଟାଗ୍ରାମରେ ପୋଷ୍ଟ କରି ଖବରରେ ଥିବା ଖେଳାଳି ପାକିସ୍ତାନୀ କ୍ରିକେଟର ହେଉଛନ୍ତି ହାସନ ଅଲି। ସେ ଏପର୍ଯ୍ୟନ୍ତ ପାକିସ୍ତାନ ପାଇଁ ୨୪ ଟି ଟେଷ୍ଟ, ୬୬ ଟି ଦିନିକିଆ ଏବଂ ୫୧ ଟି-୨୦ ମ୍ୟାଚ ଖେଳିଛନ୍ତି। ତେବେ ସେ ଟି-୨୦ ବିଶ୍ୱକପ ୨୦୨୪ରେ ପାକିସ୍ତାନ ଦଳରେ ସ୍ଥାନ ପାଇନାହାନ୍ତି।

ପାକିସ୍ତାନୀ କ୍ରିକେଟର ହାସନ ଅଲି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ‘ ଅଲ୍ ଆଇ ଅନ୍ ବୈଷ୍ଣୋଦେବୀ ଆଟାକ୍’ ଅର୍ଥାତ୍ ସମସ୍ତଙ୍କର ଆଖି ଏବେ ବୈଷ୍ଣୋ ଦେବୀ ଆତଙ୍କବାଦୀ ଆକ୍ରମଣ ଉପରେ। ଏହା ସହିତ ବୈଷ୍ଣୋ ଦେବୀ ମନ୍ଦିର ଏବଂ ଭକ୍ତମାନଙ୍କର ଏକ ପ୍ରତୀକାତ୍ମକ ଚିତ୍ର ମଧ୍ୟ ଷ୍ଟୋରୀରେ ସେ ଅନ୍ତର୍ଭୁକ୍ତ କରିଛନ୍ତି। ସେ କହିଛନ୍ତି ଭାରତ ମୋ ଶ୍ବଶୁର ଘର।

ବର୍ତ୍ତମାନ ହାସନ ଅଲିଙ୍କ ଏହି ଇନଷ୍ଟାଗ୍ରାମ ଷ୍ଟୋରୀ ଭାଇରାଲ ହେବାରେ ଲାଗିଛି। ଲୋକମାନେ ତାଙ୍କ ଷ୍ଟୋରୀ ସେୟାର କରୁଛନ୍ତି ଏବଂ ଲେଖୁଛନ୍ତି ଯେ ମାନବିକତାର କୌଣସି ସୀମା ନାହିଁ ଏବଂ ଆତଙ୍କବାଦର କୌଣସି ଧର୍ମ ନାହିଁ।

ହାସନ ଅଲି ଭାରତୀୟ ମୂଳ ଝିଅଙ୍କ୍ ସହିତ ବିବାହ କରିଛନ୍ତି। ତାଙ୍କ ପତ୍ନୀଙ୍କ ନାମ ସାମିଆ ଅର୍ଜୁ। ସାମିୟା ଆରଜୁ ହରିୟାଣାର ନୁହା ଜିଲ୍ଲାର ବାସିନ୍ଦା । ସାମିୟା ବୃତ୍ତିରେ ଜଣେ ଫ୍ଲାଇଟ୍ ଇଞ୍ଜିନିୟର ଏବଂ ପାକିସ୍ତାନୀ ଖେଳାଳି ହାସନ ଅଲିଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଛି । ଉଭୟଙ୍କର ଜଣେ ଝିଅ ମଧ୍ୟ ଅଛନ୍ତ।