ନୂଆଦିଲ୍ଲୀ: ପାରାଦୀପ ବନ୍ଦରକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଉ। ଆଜି ରାଜ୍ୟସଭାରେ ଏଭଳି ଦାବି କରିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ରାଜ୍ୟସଭାରେ ଶୂନ୍ୟକାଳରେ ଲିଖିତ ଆକାରରେ ପ୍ରସନ୍ନ ଆଚାର୍ଯ୍ୟ ଏଭଳି ଦାବି କରିଥିବା ଜଣା ପଡ଼ିଛି। ତାଙ୍କର ଏହି ଦାବିକୁ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଡିଏମକେ ସମର୍ଥନ କରିଛନ୍ତି।
ଆଜି ଶୂନ୍ୟକାଳରେ ସେ ଦାବି ଜଣାଇଥିଲେ କି ନବ ଉତ୍କଳର ନିର୍ମାତା ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ପାରାଦୀପ ବନ୍ଦର ନାମିତ ହେବା ଉଚିତ୍। ବିଜୁ ପଟ୍ଟନାୟକ ନବ ଉତ୍କଳର ନିର୍ମାଣ, ସ୍ବାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ, ଉଲ୍ଲେଖନୀୟ ନେତୃତ୍ୱ ଏବଂ ତାଙ୍କ ସାହସ ପାଇଁ ଜାତୀୟସ୍ତରରେ ପରିଚିତ । ସେ ଜଣେ ବିଚକ୍ଷଣ ପାଇଲଟ ଥିଲେ, ଯିଏକି ଇଣ୍ଡୋନେସିଆର ସ୍ବାଧିନତା ସଂଗ୍ରାମୀଙ୍କୁ ସାହସର ସହ ଉଦ୍ଧାର କରିଥିଲେ। ସେ ପାରାଦୀପ ବନ୍ଦରର ପ୍ରତିଷ୍ଠାତା ଥିଲେ, ଯାହା ଏବେ ଭାରତର ବଡ଼ ବନ୍ଦରମାନଙ୍କ ମଧ୍ୟରେ ପରିଗଣିତ ହୋଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଆଖି ଆଗରେ ରଖି ତାଙ୍କ ସ୍ମୃତିରେ ପାରାଦୀପ ବନ୍ଦରକୁ ତାଙ୍କ ନାମରେ ନାମିତ କରାଯାଉ ଏବଂ ଏହାର ନାମ ବିଜୁ ପଟ୍ଟନାୟକ ପୋର୍ଟ ଟ୍ରଷ୍ଟ ରଖାଯାଉ ବୋଲି ପ୍ରସ୍ତାବ ରଖିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।
ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏହି ଦାବିକୁ ଗୃହରେ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଡିଏମକେ ସମର୍ଥନ କରିଥିବା ଜଣାପଡ଼ିଛି। ୨୦୧୧ରେ ତାମିଲନାଡୁର ତୁତିକୋରିନ ବନ୍ଦରକୁ କଂଗ୍ରେସ ନେତା ତଥା ସ୍ବାଧିନତା ସଂଗ୍ରାମୀ ଭି. ଓ ଚିଦାମ୍ବରନାର ବନ୍ଦର ନାମରେ ନାମିତ କରାଯାଇଥିଲା, ୨୦୧୪ରେ ଏନ୍ନୋର ବନ୍ଦର ଲିମିଟେଡକୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ କାମରାଜଙ୍କ ନାମରେ ନାମିତ କରାଯାଇଥିଲା, ୨୦୧୭ରେ ଗୁଜୁରାଟରେ ଥିବେ କନ୍ନଡ ବନ୍ଦରକୁ ଦୀନଦୟାଲ ଉପାଧ୍ୟାୟ ବନ୍ଦର ନାମରେ ନାମିତ କରାଯାଇଥିଲା ଏବଂ କୋଲକାତା ବନ୍ଦରକୁ ଶ୍ୟାମ ପ୍ରସାଦ ମୁଖାର୍ଜୀ ବନ୍ଦର ନାମରେ ନାମିତ କରାଯାଇଥିଲା। ଏହାକୁ ଆଖିରେ ଆଗରେ ରଖି ପାରାଦୀପ ବନ୍ଦରର ନାମ ପରିବର୍ତ୍ତନ କରି ବିଜୁ ପଟ୍ଟନାୟକ ପୋର୍ଟ ଟ୍ରଷ୍ଟ ରଖିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Prasanna-Raised-Voice-in-RS-on-Paradip-Port-For-Name-of-Biju_Thumbnail_2.jpg)