ଚନ୍ଦ୍ରଶେଖରପୁର: ପଟିଆ ଷ୍ଟେସନ ରାସ୍ତାର ରୂପ ବଦଳିବ। ରାସ୍ତା ଅବସ୍ଥା ଶୋଚନୀୟ ‌ହେବା ନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପରେ ଆଜି ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଏହି ରାସ୍ତାର ନବକଳେବର କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପାଖାପାଖି ୮ କୋଟି ଟଙ୍କା ବ୍ୟୟରେ ପଟିଆ ବିଗ୍‌ ବଜାର ସମ୍ମୁଖ ପେଟ୍ରୋଲ ପମ୍ପ ନିକଟରୁ ପଟିଆ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କରାଯିବ। ବିଧାୟକ ଶ୍ରୀ ରାଉତଙ୍କ ଏଭଳି ପଦକ୍ଷେପ ଦ୍ବାରା ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Advertisment

ଏହି ରାସ୍ତା ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ୫ଟି ପଞ୍ଚାୟତକୁ ମୁଖ୍ୟ ରାସ୍ତା ଭାବେ ସଂଯୁକ୍ତ ହୋଇଛି। ଗ୍ରାମବାସୀଙ୍କ ପାଇଁ ଉପଲବ୍ଧ ସମସ୍ତ ମୌଳିକ ଆବଶ୍ୟକତା ଯେମିତିକି ବିଦ୍ୟାଳୟ, କଲେଜ, ହସ୍ପିଟାଲ୍, ବ୍ୟାଙ୍କ୍, ଅଫିସ୍ ଆଦିରେ ପହଞ୍ଚିବା ପାଇଁ ସେମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ। ଏହି ରାସ୍ତାଟି ପଟିଆ ଅଞ୍ଚଳକୁ ଭୁବନେଶ୍ବର-କଟକକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୬ ସହ ମଧ୍ୟ ସଂଯୋଗ କରୁଛି। ଏଠାରେ ଥିବା ରେଳଲାଇନ୍‌ ଦେଇ ପ୍ରତିଦିନ ବହୁ ଟ୍ରେନ୍ ଯାତାୟାତ କରୁଥିବାରୁ ଯାତ୍ରୀମାନେ ମଧ୍ୟ ପଟିଆ ଷ୍ଟେସନକୁ ଉକ୍ତ ରାସ୍ତା ଦେଇ ଯାଇଥା’ନ୍ତି। ରାସ୍ତା ଅବସ୍ଥା ଏବେ ମରଣଯନ୍ତା ପାଲଟିଥିବାରୁ ଅଞ୍ଚଳର ପ୍ରାୟ ୪୦ ହଜାର ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେଉଛି। ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ ହେବା ସହ ଆମ୍ବୁଲାନ୍ସ ସେବା ମଧ୍ୟ ବିଳମ୍ବିତ ହେଉଥିବା ନଜରକୁ ଆସିଛି।

ଅନ୍ୟପକ୍ଷରେ ବିଧାୟକ ଶ୍ରୀ ରାଉତଙ୍କ ଦ୍ବାରା କଲ୍ୟାଣପୁର ପଞ୍ଚାୟତ ଗଣ୍ଡରପୁର ହାଇସ୍କୁଲଠାରେ ୩୫ ଲକ୍ଷ ଅଟକଳରେ ଏକ ବ୍ରିଜ୍‌ର ଭିତ୍ତିପ୍ରସ୍ତର ଏବଂ ଇଞ୍ଜଣା ହାଇସ୍କୁଲରେ ଏକ ସାଇକେଲ୍‌ ଷ୍ଟାଣ୍ଡ୍‌ର ଉଦ୍‌ଘାଟନ ହୋଇଛି। କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର, ଯୁବନେତା ମିହିର ରାଉତ, ନୃସିଂହ ରାଉତ, ବିଷ୍ଣୁ ପାତ୍ର, ନୃସିଂହ ଖାଡ଼ଙ୍ଗା, ଗୋପିନାଥ ଦାସ, ବସନ୍ତ ରଥ, କୈଳାଶ ରାଉତ, ରାଜେନ୍ଦ୍ର ସ୍ବାଇଁ, ଧନୁର୍ଦ୍ଧର ସ୍ବାଇଁ, ଚିତ୍ତରଞ୍ଜନ ପାତ୍ର, ହିମାଂଶୁ ଶେଖର ଦାସ, ତ୍ରୈଲୋକ୍ୟ ରାଉତ, ଜିତେନ୍ଦ୍ରନାଥ ରାୟ, ଭୁବନେଶ୍ବର ଛାତ୍ର ବିଜେଡି ସଭାପତି ସୁବାସ ସାହୁ ପ୍ରମୁଖ ସାମିଲ ହୋଇଥିଲେ।