ରାଜାମୁଣ୍ତା/ଲହୁଣିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ଡା ବାଇପାସ୍‌ ଛକ ନିକଟରେ ୨୧୫/୫୨୦ ନମ୍ବର ଜାତୀୟ ରାଜପଥରେ ହାଇୱା ଧକ୍କାରେ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ପକ୍ଷରୁ ରାସ୍ତାରୋକ କରାଯାଇଛି। ୨୧୫/୫୨୦ ନମ୍ବର ଜାତୀୟ ରାଜପଥର ରଜାମୁଣ୍ଡା ନିକଟରେ ଏହି ରାସ୍ତାରୋକ ହୋଇଛି।

Advertisment

ହାଇୱା ଚାପାରେ ମୃତ୍ୟୁବରଣ କରିଥିବା ତିନି ଶ୍ରମିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରାଯାଇଛି। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ମୃତକଙ୍କ ପରିବାର ଆଜି ସକାଳୁ ରାସ୍ତା ଅବରୋଧ କରିଛନ୍ତି। ଯେ ପର୍ଯ୍ୟନ୍ତ କ୍ଷତିପୂରଣ ନ ମିଳିଛି ରାସ୍ତାରୁ ହଟିବେ ନାହିଁ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି। ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ଏବେ ବି ସେଠାରେ ଉତ୍ତେଜନା ଲାଗି ରହିଛି।

ସୂଚନାଯୋଗ୍ୟ, ରାଜାମୁଣ୍ଡା ବାଇପାସ୍‌ ଛକ ନିକଟରେ ରାତି ପ୍ରାୟ ସାଢ଼େ ୭ଟା ସମୟରେ ଏକ ପୋଲ ନିର୍ମାଣ କାମରେ ନିୟୋଜିତ ୩ ଜଣ ଶ୍ରମିକଙ୍କର ହାଇୱା ଧକ୍କାରେ ମୃତ୍ୟୁ ହୋଇଥିଲା। ଟ୍ରକ୍‌ଟି ଦ୍ରୁତଗତିରେ ଆସି କାମ କରୁଥିବା ଶ୍ରମିକଙ୍କ ଉପରେ ଚଢ଼ିଯିବା ସହ ଛିଡ଼ା ହୋଇଥିବା ଏକ କ୍ୟାମ୍ପରକୁ ପ୍ରଚଣ୍ଡ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଡାକ୍ତରଖାନାରେ ଆଖି ବୁଜିଛନ୍ତି। ଏହି ଦୁର୍ଘଟଣାରେ ତିନିଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକ ହେଉଛନ୍ତି କେ.ବଲାଙ୍ଗ ଥାନା ଅଞ୍ଚଳର ଡିଲୁ ପାତ୍ର, ମଦନ ମୁଣ୍ଡାରୀ ଓ ଶୁକ୍ରା ମୁଣ୍ଡାରୀ।

ସେଠାରେ କାମ କରୁଥିବା ପ୍ରାୟ ୧୧ ଜଣ ଶ୍ରମିକ ପ୍ରାଣବିକଳରେ ଯିଏ ଯୁଆଡେ ଦୌଡ଼ି ପଳାଇଥିବାବେଳେ ସୁକାନ୍ତ ମାହାନ୍ତି, ଅଶୋକ ଜଗଦେବ ଓ ରାମସିଂ ମୁଣ୍ଡା ଆହତ ହୋଇ ଲହୁଣିପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଖବରପାଇ ଲହୁଣିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବଣାଇ ଉପଖଣ୍ଡ ଚିକିତ୍ସାଳୟ ଶବାଗାରକୁ ପଠାଇଥିଲା।