ଋତୁକାଳୀନ ବେପାର ପାଇଁ ଅନଲାଇନ୍‌ରେ ମିଳିବ ଅନୁମତି

ଏବେ ୭୭୮ଟି ଷ୍ଟଲ୍‌ ପାଇଁ ଦିଆଯିବ, ବିନା ଅନୁମତିରେ ଦୋକାନ ଖୋଲିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ରାଜଧାନୀରେ ବିଭିନ୍ନ ସମୟରେ ଋତୁକାଳୀନ ବେପାର କରୁଥିବା ବ୍ୟବସାୟୀମାନଙ୍କୁ ଏଣିକି ବିଏମ୍‌ସି ଅଫିସକୁ ବାରମ୍ବାର ଦଉଡ଼ିବାକୁ ପଡ଼ିବନି। ବ୍ୟବସାୟୀମାନେ ଭୁବନେଶ୍ବର.ମି ୱେବ୍‌ପୋର୍ଟାଲରେ ଅନଲାଇନ୍‌ରେ ଆବେଦନ କରି ଅନୁମତି ପାଇପାରିବେ। ଏଥିପାଇଁ ବିଏମ୍‌ସି ପକ୍ଷରୁ ତିନିଟି ଜୋନ୍‌ରେ ୭୭୮ଟି ଷ୍ଟଲ୍‌ ଚିହ୍ନଟ କରାଯାଇଛି। ୧୦ ଫୁଟ୍‌ରେ ୧୦ଫୁଟ୍‌ ବିଶିଷ୍ଟ ଏହି ଷ୍ଟଲ୍‌ଗୁଡ଼ିକ ପାଇଁ ଲାଇସେନ୍ସ ଫି’ ବାବଦକୁ ପ୍ରତି ବର୍ଗଫୁଟ ପିଛା ଦିନକୁ ୬୦ ପଇସା, ଜମି ଭଡ଼ା ବର୍ଗଫୁଟ୍‌ ପିଛା ଦିନକୁ ୧ଟଙ୍କା ୬୦ପଇସା ଏବଂ ପରିମଳ ଫି’ ୫୦ଟଙ୍କା ଦେବାକୁ ପଡ଼ିବ।

ଏନେଇ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ସ୍ମାର୍ଟ ସଲ୍ୟୁସନ୍ ବ୍ୟବସ୍ଥାରେ ଆବେଦନ ଓ ଅନୁମତି ପ୍ରଦାନ କରାଯିବ। ଏହାଦ୍ବାରା ଷ୍ଟଲ୍‌ ଆବଣ୍ଟନର ସ୍ବଚ୍ଛତା ରହିବ। ବ୍ୟବସାୟୀମାନଙ୍କୁ ବିଏମ୍‌ସି ଅଫିସକୁ ଆସିବାକୁ ପଡ଼ିବନି କି କାହାକୁ ଅନୁରୋଧ କରିବାକୁ ପଡ଼ିବନି। ଯିଏ ଆଗ ଆବେଦନ କରିବେ, ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଷ୍ଟଲ୍‌ ଆବଣ୍ଟନ ହେବ।

ବିଏମ୍‌ସିର ଡେପୁଟି କମିସନର୍‌ (ରାଜସ୍ବ) ଶ୍ରୀମନ୍ତ ମିଶ୍ର କହିଛନ୍ତି, ବିଭିନ୍ନ ପ୍ରକାରର ପର୍ବପର୍ବାଣୀ, ଯାତ୍ରା ସମୟରେ ବହୁ ବ୍ୟବସାୟୀ ଋତୁକାଳୀନ ବେପାର କରନ୍ତି। ଏପରିକି ବିଭିନ୍ନ ସ୍ଥାନରେ ଶୀତବସ୍ତ୍ର ବେପାର ବି ହୁଏ। ତାହାକୁ ନଜରରେ ରଖି ତିନିଟି ଜୋନ୍‌ର ବିଭିନ୍ନ ସ୍ଥାନରେ ୭୭୮ଟି ଷ୍ଟଲ୍‌ ପକାଇବାକୁ ଜାଗା ଚିହ୍ନଟ ହୋଇଛି। ଏଥିରେ ସହିଦନଗରସ୍ଥିତ ନନ୍ଦନକାନନ ଅଫିସ୍‌ ପଛପାର୍ଶ୍ବ, ଲକ୍ଷ୍ମୀସାଗର ଥାନା ସମ୍ମୁଖ, ପୋଖରୀପୁଟ ଜିମ୍‌ ସେଣ୍ଟର ନିକଟ, ଆଇଗିଣିଆସ୍ଥିତ ଆଇସିଏଆର୍‌ ଗେଟ୍‌ ନିକଟ, ଜାଗମରା ଯାତ୍ରା‌ପଡ଼ିଆ, ଆରଟିଓ-୨ ଅଫିସ୍‌ ପଛ ପାର୍ଶ୍ବ, ଡମଣା କ୍ଲବ୍‌ ଫିଲ୍ଡ ସମ୍ମୁଖ, ନହରକଣ୍ଟା ମିନି ଷ୍ଟାଡିୟମ ହାଟ, ପାହାଳସ୍ଥିତ ପୁରୁଣା ଫାଣ୍ଡି ସମ୍ମୁଖ, କ୍ଲବ୍‌ଟାଉନ୍ ପଡ଼ିଆ ପାର୍ଶ୍ବ, ପଦ୍ମାବତୀ ବିହାର ଯଜ୍ଞପଡ଼ିଆ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ଷ୍ଟାଡିୟମ, ଗାଡ଼କଣ ଧିରିକୁଟି ବସ୍ତି, ପାଣ୍ଡରା ଜଗନ୍ନାଥ ମନ୍ଦିର ନିକଟରେ ବିଭିନ୍ନ ଷ୍ଟଲ୍‌ ପଡ଼ିବ। ଏବେ ନୂଆବର୍ଷ ଓ ଖ୍ରୀଷ୍ଟମାସ ପାଇଁ ଡିସେମ୍ବର ୨୦ରୁ ଜାନୁଆରି ୫ପର୍ଯ୍ୟନ୍ତ ଋତୁକାଳୀନ ବେପାର ପାଇଁ ଅନୁମତି ଦିଆଯାଉଛି।ଏହାସହ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ଋତୁକାଳୀନ ବେପାର ପାଇଁ ଅନୁମତି ନନେଇ ଦୋକାନ ଖୋଲିବେ କିମ୍ବା ଚିହ୍ନଟ ସ୍ଥାନ ବ୍ୟତୀତ ଅନ୍ୟସ୍ଥାନରେ ଦୋକାନ ଖୋଲିବେ, ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର