କ୍ଷମତାର ଅପବ୍ୟବହାର: ଜବତ ପିକ୍‌-ଅପ୍‌ ବ୍ୟବହାର କରୁଥିଲା ବନ ବିଭାଗ, ଚେକିଂ ବେଳେ ଖୋଲିଲା ଗୁମର

ନୟାଗଡ଼: ପ୍ରାୟ ବର୍ଷେ ତଳେ ଜବତ ହୋଇଥିବା ଏକ ଗାଡ଼ିକୁ ବେଧଡକ ନିଜ କାମରେ ବ୍ୟବହାର କରୁଥିଲା ନୟାଗଡ ବନ ବିଭାଗ । ଏମଭିଆଇ ଚେକିଂରେ ଧରାପଡିବା ପରେ ଏ ସବୁ ଗୁମର ଖୋଲିଯାଇଛି । ତେବେ ରାତି ଅଧିଆ ଫାଇନ ଦେଇ ଗାଡି ମୁକୁଳାଯାଇଥିବା ବେଳେ ତରବରିଆ ଭାବରେ ସେହି ଗାଡିକୁ ସିଜର ଷ୍ଟୋରକୁ ପଠାଇ ଗାଡିର ରଙ୍ଗ ବଦଳାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।

ସିଜର ଷ୍ଟୋରରେ ଥିବା ଗାଡିର ରଙ୍ଗ କାହିଁକି ରାତାରାତି ବଦଳିଗଲା, କାହିିଁକି ବନ ବିଭାଗ ନୟାଗଡ ଲେଖା ବଦଳରେ ଏକ କେଶର ନମ୍ବର ଲେଖି ଦିଆଗଲା, ତାର କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ଗତ ବୁଧବାର ସଂନ୍ଧ୍ୟାରେ ନମ୍ବର ବିହିନ ଏକ ଗାଡିଟି ଏମଭିଆଇଙ୍କ ହାତରେ ଧରାପଡିଥିଲା । ଗାଡିର ଇନସ୍ୟୁରାନସ ନ ଥିଲା, କି ଫିଟନେସ ବି ନଥିଲା । ହେଲେ ଏହାକୁ ରାତି ଅଧିଆ ଫାଇନ କାଟି ମୁକୁଳାଇଥିଲା ନୟାଗଡ ବନାଞ୍ଚଳ । ହେଲେ ଅଫିସ ନ ନେଇ ଗାଡିଟିକୁ ଏହି ଷ୍ଟୋରରେ ଛାଡି ଦେଇଗଲା ।

ମିଳିଥିବା ସୂଚନା ମୁତାବକ, ୧୦ ମାସ ତଳେ ଚୋରା କାଠ ଚାଲାଣ ବେଳେ ଧରାପଡିଥିଲା ଗୋଟିଏ ପିକ-ଅପ ଭ୍ୟାନ । ଇଟାମାଟି ଅଞ୍ଚଳର ପୁଷ୍ପାଞ୍ଜଳି ହୋତାଙ୍କ ନାମରେ ଥିବା ଏହି ଗାଡିର ମାମଲା କୋର୍ଟଙ୍କ ବିଚାରାଧୀନ ରହିଥିବା ସ୍ୱୀକାର କରୁଛନ୍ତି ନିଜେ ଅଧିକାରୀ । ତା ସତ୍ତ୍ୱେ ଗାଡିରେ ବନ ବିଭାଗ ନୟାଗଡ ଲେଖି ବେଧଡକ ନିଜ କାମରେ ଲଗାଇଥିଲା ବିଭାଗ ।

ତେବେ ଏମଭିଆଇ ଓ ଆରଟିଓଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ୨୩ ହଜାର ଟଙ୍କା ଚାଲାଣ କାଟି ଗାଡ଼ିକୁ ମୁକୁଳାଇଛି ବନ ବିଭାଗ । ତେବେ ଫାଇନ ଅର୍ଥ କେଉଁ ହେଡରୁ ଦିଆଯିବ, ସେ ନେଇ ସମସ୍ତେ ଚୁପ ରହୁଛନ୍ତି । ସେପଟେ ଜବତ ଗାଡିକୁ ବ୍ୟବହାର ନ କରିବା ପାଇଁ କଡା ଚେତାବନୀ ଦେଇ ଚିଠି ଲେଖିଥିବା କହିଛନ୍ତି ଡିଏଫଓ ।  ହେଲେ ଜବତ ଗାଡିକୁ ନିଜ କାମରେ ଲଗାଇବା, ଧରାପଡ଼ି ଫାଇନ ଗଣିବା ଓ ରାତାରାତି ଗାଡିର ରଙ୍ଗ ବଦଳାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର