ଭୁବନେଶ୍ବର: ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାରେ ରାଜଧାନୀର ନାମକରା ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ରାଜ୍ୟର ପ୍ରଥମ ୧୦ଟି ସ୍ଥାନରେ ବହୁତ୍ କମ୍ ଛାତ୍ରଛାତ୍ରୀ ରହିଛନ୍ତି। ସେଲ୍ଫ ଫାଇନାନ୍ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ନମ୍ବର ରଖି ଏଥର ବି ନିଜର ପରିଆରା ପ୍ରଦର୍ଶନ ଜାରି ରଖିଛନ୍ତି। ବିଜ୍ଞାନ ବିଭାଗରେ ରାଜ୍ୟର ୩୯୪ଜଣ ଛାତ୍ରଛାତ୍ରୀ ୫୪୦ରୁ ଅଧିକ ନମ୍ବର ରଖିଥିବା ବେଳେ ସେଥିରୁ ଶତାଧିକ କେବଳ ଭୁବନେଶ୍ବର ସହରରେ ଥିବା ବିଦ୍ୟାଳୟର ବୋଲି ଜଣାପଡ଼ିଛି।
ରାତି ସୁଦ୍ଧା ଅଧିକାଂଶ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ତଥ୍ୟ ଦେଇନାହାନ୍ତି। ଆଜି ରବିବାର ଛୁଟି ଦିନ ଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷମାନେ ପରୀକ୍ଷା ଫଳ ଜାଣିବାକୁ ଆଦୌ ଇଚ୍ଛା ପ୍ରକାଶ କରି ନାହାନ୍ତି। ଏମିତିକି କେତେ ପିଲା ପାସ୍ କରିଛନ୍ତି ସେନେଇ ନାମକରା ସରକାରୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ତଥ୍ୟ ନ ଥିବା କହିଛନ୍ତି। ଓୟୁଏଟି ଅଧୀନ ବେସିକ୍ ସାଇନ୍ସ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପୁଣିଥରେ ବିଜ୍ଞାନ ବିଭାଗରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଯେତେବେଳେ କି ବିଜେବି, ରମାଦେବୀ ଓ ରାଜଧାନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଛରେ ରହିଛନ୍ତି। ଯୁକ୍ତ୨ ବିଜ୍ଞାନ ପାଠ୍ୟକ୍ରମରେ ନାମଲେଖା ସମୟରେ କଟ୍ ଅଫ୍ ମାର୍କରେ ସବୁଠାରୁ ଆଗରେ ରହୁଥିବା ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହର୍ଷି କଲେଜ ଅଫ୍ ନାଚ୍ୟୁରାଲ ଲ’, ରାଜଧାନୀ କଲେଜର ହାତଗଣତି ଜଣେ ଦୁଇଜଣ ଛାତ୍ରଛାତ୍ରୀ ୯୦% ନମ୍ବର ରଖିଛନ୍ତି। ଏପରିକି ଶ୍ରେଷ୍ଠ ଶହେରେ ଉକ୍ତ ତିନୋଟି ବିଦ୍ୟାଳୟରେ ଅଳ୍ପ କିଛି ଜଣ ରହିଥିବା ଜଣାପଡ଼ିଛି। କେତେକ ସେଲ୍ଫ ଫାଇନାନ୍ସିଂ ବିଦ୍ୟାଳୟ ପୂର୍ବ ସଫଳତା ଦୋହରାଇବା ସହ ପୁଣିଥରେ ବିଜ୍ଞାନ ବିଭାଗରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ବର ଓ ଏହାର ଉପକଣ୍ଠରେ ଥିବା ୧୫ଟି ବିଦ୍ୟାଳୟର ବିଜ୍ଞାନରେ ପାସ୍ହାର ଶତପ୍ରତିଶତ ହୋଇଛି। ଅନୁରୂପ ଭାବେ କଳା ଓ ବାଣିଜ୍ୟରେ ଭୁବନେଶ୍ବରର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି।
ଶିକ୍ଷାବିତ୍ଙ୍କ ମତରେ କେବଳ ବିଜେବି କିମ୍ବା ବେସିକ୍ ସାଇନ୍ସ ବିଜ୍ଞାନରେ ଭଲ ପ୍ରଦର୍ଶନ କଲେ ଯେ ସରକାରୀ ଶିକ୍ଷାନୁଷ୍ଠାନ ଭଲ ପ୍ରଦର୍ଶନ କରୁଛନ୍ତି କହିବା ଠିକ୍ ହେବନି। ରାଜଧାନୀରେ ଥିବା ଆହୁରି ୧୨ କଲେଜର ରେଜଲ୍ଟ ଆଶାନୁରୂପ ହୋଇନାହିଁ। ସରକାରୀ କଲେଜଗୁଡ଼ିକର ଭିତ୍ତିଭୂମି ଏବେ ବି ଦୁର୍ବଳ ରହିଛି। ଆଗଭଳି ଛାତ୍ରଛାତ୍ରୀ ଆଉ ଭଲ ପ୍ରଦର୍ଶନ କରୁନାହାନ୍ତି। ଛାତ୍ରୀଙ୍କ ଶିକ୍ଷାର ପ୍ରାଣକେନ୍ଦ୍ର ରମାଦେବୀ ମହିଳା କଲେଜର ଛାତ୍ରୀ ୯୦%ରୁ ଅଧିକ ନମ୍ବର ନ ରଖିବା ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଉଛି। ମାଟ୍ରିକ୍ରେ ‘ଏ-୧’ ଗ୍ରେଡ୍ ହାସଲ କରୁଥିବା ଛାତ୍ରଛାତ୍ରୀ ସରକାରୀ କଲେଜରେ ପଢ଼ୁଥିବା ବେଳେ ପରବର୍ତୀ ସମୟରେ କାହିଁକି ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି ତାହା ଉପରେ ଚିନ୍ତା କରିବାର ସମୟ ଆସିଛି।