ମନ୍ତ୍ରୀଙ୍କୁ ପୁଲିସ କର୍ମୀଙ୍କ ଗୁଳିମାରି ହତ୍ୟା ଉଦ୍ୟମ: ଓଡ଼ିଶା ପାଇଁ ଏଭଳି ଘଟଣା ପ୍ରଥମ

ଭୁବନେଶ୍ବର : ଏମିତି ଘଟଣା କେବେ ଘଟି ନଥିଲା। ସ୍ବାଧୀନୋତ୍ତର ଓଡ଼ିଶାରେ ଇଏ ପ୍ରଥମ ଘଟଣା। ତା’ପୂର୍ବରୁ ବି ଘଟିଥିବା ମନେହୁଏନା। ଅତୀତରେ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ଜଣେ ମନ୍ତ୍ରୀଙ୍କୁ ଗୁଳିମାରି ହତ୍ୟା ଉଦ୍ୟମ କରିବା ନଜୀର ରାଜ୍ୟରେ ଦେଖିବାକୁ ମିଳି ନଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣା ଏକ ଦୁର୍ଭାଗ୍ୟଜନକ ଉଦାହରଣ ସୃଷ୍ଟି କରିଛି।

ଯଦିଓ ଦେଶରେ ଓ ଦେଶ ବାହାରେ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ତାଙ୍କର ସୁରକ୍ଷା କର୍ମୀ ଗୁଳି କରି ହତ୍ୟା କରିବାର ବହୁ ଉଦାହରଣ ରହିଛି, ମାତ୍ର ଓଡ଼ିଶା ଲାଗି ଏହା ସଂପୂର୍ଣ୍ଣ ନୂଆ।

ନବୀନ ସରକାରର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ଜଣେ ତଳ ପାହ୍ୟାର ପୁଲିସ କର୍ମଚାରୀ ନିଜ ସର୍ଭିସ ରିଭଲଭରରୁ ଗୁଳି କରିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଣି ଯେଉଁ ପୁଲିସ କର୍ମଚାରୀ ମନ୍ତ୍ରୀଙ୍କ ସୁରକ୍ଷା ଲାଗି ମୁତୟନ ଥିଲେ  ସେ ଅତି ନିକଟରୁ ମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବା ସମସ୍ତଙ୍କୁ ବିସ୍ମିତ କରିଛି।

ଅନ୍ୟ ପକ୍ଷରେ ଜଣେ ମନ୍ତ୍ରୀଙ୍କୁ ପୁଲିସ କର୍ମଚାରୀ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳି ଚଳାଇବା ଘଟଣା ଓଡ଼ିଶାରେ ପ୍ରଥମ। ଜଣେ ଲୋକପ୍ରିୟ ସରକାରର ମନ୍ତ୍ରୀଙ୍କୁ ଏପରି ସ୍ପଷ୍ଟ ଦିବାଲୋକରେ ଶହଶହ ଲୋକଙ୍କ ସାମ୍ନାରେ ଗୁଳି କରାଯିବା ବି ପ୍ରଥମ ଘଟଣା। ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ କିଶୋର ଦାସ ଯେ ଆଜି ଏଭଳି ଅପ୍ରତ୍ୟାଶିତ ଆକ୍ରମଣର ଶିକାର ହେବେ ତାହା ଆଦୌ ଆଶା କରାଯାଉ ନଥିଲା।

ଏ ପ୍ରସଙ୍ଗରେ ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ବିଶ୍ଲେଷକ ସମ୍ପଦ ମହାପାତ୍ର କହନ୍ତି, ଅତୀତରେ ମନ୍ତ୍ରୀମାନଙ୍କୁ ଢ଼େଲାମାଡ଼ କରାଯିବା କିମ୍ବା ଅଣ୍ଡାମାଡ଼ କରାଯିବାର ବହୁ ନଜୀର ରହିଛି। ରାଜନୈତିକ ଶତ୍ରୁତା କାରଣରୁ ଆକ୍ରମଣ କରାଯିବା ଭଳି ଘଟଣା ଘଟିଛି, କିନ୍ତୁ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ପୁଲିସ କର୍ମଚାରୀ ଗୁଳି କରିବା ଘଟଣା କେବେ ଘଟିନାହିଁ।

ତେବେ ୨୦୧୪ ମସିହା ଫେବ୍ରୁଆରି ୨୧ ତାରିଖରେ ରାଜ୍ୟ  ସରକାରରେ ଆଇନ ମନ୍ତ୍ରୀ ଥିବା ପୁରୀ ବିଧାୟକ ମହେଶ୍ବର ମହାନ୍ତିଙ୍କୁ ଗୁଳିମାଡ ହୋଇଥିଲା। ତେବେ ପୂର୍ବ ଶତ୍ରୁତା ହେତୁ ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ପରେ ଜଣାପଡ଼ିଥିଲା। ଏ ମାମଲାରେ ୨୦୧୭ରେ ତିନି ଜଣ ଅପରାଧୀଙ୍କୁ ୫ ବର୍ଷ ଲାଗି ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଯଦିଓ ଏହି ଘଟଣା ସେ ସମୟରେ ଚାଞ୍ଚଲ୍ୟ ଖେଳାଇ ଥିଲା, କିନ୍ତୁ ମହେଶ୍ବରଙ୍କର ହାତ ଓ କାନ୍ଧରେ ଗୁଳି ବାଜିଥିବାରୁ ସେ ଅଳ୍ପକେ ହତ୍ୟା ଉଦ୍ୟମରୁ ବଞ୍ଚିଯାଇଥିଲେ। ତେବେ ଏହି ଆକ୍ରମଣରେ ‌ପେସାଦାର ଅପରାଧୀ ସଂଶ୍ଲିଷ୍ଟ ଥିବା ସ୍ପଷ୍ଟ  ହୋଇଥିଲା।

ଏଏସଆଇସ୍ତରର ଜଣେ  ପୁଲିସ କର୍ମଚାରୀ ରାଜ୍ୟର ଜଣେ ପ୍ରଭାବଶାଳୀମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିବା ନିଶ୍ଚିତ ଭାବେ ଏକ ବିରଳ ଘଟଣା। କେଉଁ ପରିସ୍ଥିତିରେ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡିର ଏଏସଆଇ ଗୋପାଳ ଦାସ ଏଭଳି କାଣ୍ଡ ଘଟାଇବାକୁ ସାହସ କରିପାରିଲେ ତାହା ପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିବ। ଅନ୍ୟ ପକ୍ଷରେ ଏହି ଘଟଣା ରାଜ୍ୟର ପୁଲିସ ପ୍ରଶାସନର ଶୃଙ୍ଖଳା ଓ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର