ମାହାଙ୍ଗା ଡବଲ ମର୍ଡରକୁ ନେଇ କଟକ ଜିଲ୍ଲାରେ ରାଜନୈତିକ ତାତି

ଡିଜି ଅଫିସ୍ ଘେରିଲା ବି‌ଜେପି

ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି
ପୁଲିସ୍‌ ସହ ଧସ୍ତାଧସ୍ତି, ଧାରଣା
ଡିଆଇଜି ପାହ୍ୟାର ଅଧିକାରୀ ତଦନ୍ତ କରିବେ
୧୦ ଦିନ ମଧ୍ୟରେ ଗିରଫ ହେବେ ଅନ୍ୟ ଅଭିଯୁକ୍ତ

କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଜେପି ନେତାମାନେ ସଂଧ୍ୟା ପର୍ଯ୍ୟନ୍ତ ଡିଜି ଅଫିସ ସମ୍ମୁଖରେ ଧାରଣା ଦେଇ ବସି ରହିବାରୁ ସେମାନଙ୍କୁ ଉଠାଇବା ପାଇଁ ପୁଲିସ ଉଦ୍ୟମ କରିଥିବା ବେଳେ ଧସ୍ତାଧସ୍ତି ହୋଇଛି। କିନ୍ତୁ ଘଟଣାର ତଦନ୍ତ ଜଣେ ଡିଆଇଜି ପାହ୍ୟାର ଅଧିକାରୀଙ୍କ ଦ୍ବାରା କରାଯିବ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ୧୦ ଦିନ ଭିତରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ବିଜେପି ନେତାମାନେ ଧାରଣାରୁ ଓହରି ଯାଇଛନ୍ତି। ଆଜି ମାତାମଠରୁ ବିଜେପିର ଶୋଭାଯାତ୍ରା ବାହାରି ବକ୍ସି ବଜାରସ୍ଥିତ ଡିଜିଙ୍କ ଅଫିସରେ ପହଞ୍ଚି ଥିଲା। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଆୟୋଜିତ ସଭାରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ପୁଲିସର ନିଷ୍କ୍ରିୟତାକୁ ନେଇ ସମାଲୋଚନା କରିବା ସହିତ ମାହାଙ୍ଗା ଡବଲ ମର୍ଡର ଓ ନୟାଗଡ଼ର ପରୀ ହତ୍ୟାକାଣ୍ଡରେ ପ୍ରକୃତ ଦୋଷୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଥିବାର ବିଜେପି ନେତାମାନେ ଅଭିଯୋଗ କରିଥିଲେ। ମାହାଙ୍ଗା ଡବଲ୍‌ ମର୍ଡର ଘଟଣାରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ଓ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ‌ଦାବି କରାଯାଇଥିଲା। ପରେ ବିଜେପରି ଏକ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ଭେଟି ମାହାଙ୍ଗା ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂହ ତୁମାର, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, କେ.ଭି ସିଂହଦେଓ, ସୁରମା ପାଢୀ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପ୍ରକାଶ ସୋରେନ୍‌, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତ ପରିଡା, ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ, ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରା, ବାବୁ ସିଂ, ବିଭୁ ପ୍ରସାଦ ତରାଇ, ବରିଷ୍ଠ ନେତା ନୟନ ମହାନ୍ତି, ଦିଲ୍ଲୀପ ମଲ୍ଲିକ, ବିଜୟ କୁମାର ଦଳବେହେରା, ଶୁଭ୍ରାଂଶୁ ପାଢୀ, ଅନୁ ଚୌଧୁରୀ, ବ୍ରଜେନ୍ଦ୍ର କୁମାର ରାୟ, ଲଲାଟେନ୍ଦୁ ଦାସ, ଛବି ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।

ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କର: କଂଗ୍ରେସ
ଭୁବନେଶ୍ବର : ମାହାଙ୍ଗା ଡବଲ୍‌ ମର୍ଡ଼ର ଘଟଣାରେ ପୁଲିସର ନିଷ୍କ୍ରିୟତା ଓ ପକ୍ଷପାତିତା ପୁଣି ଥରେ ପଦାରେ ପଡ଼ିଛି। ଏହି ଘଟଣାରେ ଦାୟର ହୋଇଥିବା ଏତଲାରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି। ଅଥଚ ସପ୍ତାହେ ହେଲାଣି ପୁଲିସ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତାଙ୍କୁ ତୁରନ୍ତ ପୁଲିସ ତଦନ୍ତ ପରିସରଭୁକ୍ତ କରିବାକୁ କଂଗ୍ରେସ ଦାବି କରିଛି। ଏ ସମ୍ପର୍କରେ ଦଳୀୟ ନେତା ନିଶିକାନ୍ତ ମିଶ୍ର କହିଛନ୍ତି, ପୁଲିସ ଚାପରେ ରହି ମନ୍ତ୍ରୀଙ୍କୁ ପଚରାଉଚରା କରୁନାହିଁ। ଯେହେତୁ ସେ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀ, ସେଥିପାଇଁ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି।

‘ମାହାଙ୍ଗାରେ ଏବେ ନ୍ୟାୟ ମହଙ୍ଗା’
ମାହାଙ୍ଗା : ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍‌ ଆଜି ମାହାଙ୍ଗା ଆସି ନୁର୍ତ୍ତାଙ୍ଗ ଗ୍ରାମର କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। କୁଳମଣିଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ମାହାଙ୍ଗାରେ ନ୍ୟାୟ ପାଇବା ମହଙ୍ଗା ହୋଇପଡିଛି ବୋଲି କହିବା ସହିତ ଯିଏ ଦୁର୍ନୀତିକୁ ବିରୋଧ କରୁଛି, ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି।
ଦୁଇ ବର୍ଷ ତଳେ ଏହି ପଂଚାୟତରେ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତମାନେ ଏବେ ବି ଖୁଲମଖୁଲା ବୁଲୁଛନ୍ତି। ସେମାନଙ୍କୁ ରାଜନୈତିକ ଚାପରେ ପୁଲିସ ଗିରଫ କରୁ ନଥିଲା। ରାଜ୍ୟରେ ଏବେ ୨୩ ହଜାର ମହିଳା ନିର୍ଯାତିତ ହୋଇଥିବାବେଳେ ୪ ହଜାର ଶିଶୁ ନିଖୋଜ ଅଛନ୍ତି। ପରୀ, କୁନ୍ଦୁଲି ଓ ମାହାଙ୍ଗାରେ ଘଟିଥିବା ହତ୍ୟା ଘଟଣାକୁ ଅନୁଧ୍ୟାନ କଲେ ରାଜ୍ୟରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ସ୍ପଷ୍ଟ। ରାଜ୍ୟରେ ଉଭୟ ବିଜେଡି ଓ ବିଜେପି ଭାଇ ଭାଇ ଭଳି କାର୍ଯ୍ୟ କରୁଛନ୍ତି। ଗୋଟିକ ପରେ ଗୋଟିଏ ମନ୍ତ୍ରୀ ଇସ୍ତଫା ଦେବା ଅପେକ୍ଷା ଏକା ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ଭଲ ହୁଅନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଏବେ ଯେଉଁ ଷଡ଼୍‌ଯନ୍ତ୍ର କଥା ଉଠୁଛି, ତାହା ଦୁଃଖଦାୟକ। କିନ୍ତୁ ପରୀ ମାମଲାରୁ ଆରମ୍ଭ କରି ମାହାଙ୍ଗା ଡବଲ ମର୍ଡର ଘଟଣାକୁ ଏଡ଼ାଇବା ପାଇଁ ଏହା ହୁଏତ ବିଜେଡିର ଏକ ଚାଲ ହୋଇପାରେ ବୋଲି ଆଶଙ୍କା କରାଯିବା ସ୍ବାଭାବିକ।
ଅନ୍ୟମାନଙ୍କ ମଧ୍ୟରେ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଧରଣୀଧର ନାୟକ, ପୂର୍ବତନ କଂଗ୍ରେସ ବିଧାୟକ ଗଣେଶ୍ବର ବେହେରା, ପିସିସ ପୂର୍ବତନ ମୁଖପାତ୍ର ଜ୍ଞାନେନ୍ଦ୍ର ବେହୁରା, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଂଜନ ଚୌଧୁରୀ, ପଦ୍ମାକର ଗୁରୁ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ, ରବୀନ୍ଦ୍ର କର, ଅଜୟ ସାମଲ, ରତିକାନ୍ତ ପ୍ରଧାନ, ଏକାଦଶୀ ସେଠୀ, ଆଇନଜୀବୀ ଭାସ୍କର ବେହେରା, ପ୍ରଦୀପ୍ତ ଭୂୟାଁ ଓ ଅଲେଖ ପ୍ରସାଦ ସ୍ବାଇଁଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର