କୋଲକାତା : ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଚାନକ ଟଙ୍କା ଜମା ହେବ, ସେତେବେଳେ ଆପଣ ନିଶ୍ଚିତ ଭାବେ ଖୁସି ହୋଇଯିବେ । ଠିକ୍ ଏପରି ହିଁ କିଛି ଘଟଣା ଏବେ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଦେଖିବାକୁ ମିଳିଛି । ସେଠାକାର ୧୫୦ରୁ ଅଧିକ ଲୋକଙ୍କ ବ୍ୟାଙ୍କ ଖାତାରେ ୨ ହଜାରରୁ ଆରମ୍ଭ କରି ୨୪ ହଜାର ପର୍ଯ୍ୟନ୍ତ ଟଙ୍କା ଜମା ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ହଠାତ୍ ଟଙ୍କା ଜମା ହେବା ଦ୍ୱାରା ଗ୍ରାହକମାନେ ଖୁସି ହେଉଥିବା ବେଳେ ଏପରି ଘଟଣା କିନ୍ତୁ ବ୍ୟାଙ୍କ କର୍ମଚାରୀଙ୍କ ନିଦ ହଜାଇ ଦେଇଛି । ତେବେ କେଉଁ ଦିଗରୁ ଆଉ କିପରି ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା ଜମା ହେଉଛି ତା’ର ଖୋଳତାଡରେ ଲାଗିଛନ୍ତି ବ୍ୟାଙ୍କ କର୍ମଚାରୀ ।
ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ କଟୱା ଅନୁମଣ୍ଡଳରେ ପାଖାପାଖି ୧୫୦ରୁ ଅଧିକ ଗରିବ ଲୋକଙ୍କ ଖାତାରେ ଏପରି ହେଉଥିବା ଦେଖିବାକୁ ମିଳିଛି । ଗୋଟିଏ ପରେ ଗୋଟେ ଅଞ୍ଚଳରେ ଏମିତି ଦେଢଶହରୁ ଅଧିକ ଗରିବ ଗ୍ରାହକଙ୍କ ଆକାଉଣ୍ଟରେ ହଠାତ୍ କୌଣସି କାରଣରୁ ଟଙ୍କା ଜମା ହେବାରେ ଲାଗିଛି । ତେବେ ବ୍ୟାଙ୍କ କର୍ମଚାରୀ କହିବା ମୁତାବକ୍ ଏସବୁ ଟଙ୍କା ଏକ୍ସିସ୍ ବ୍ୟାଙ୍କରୁ ଏନଇଏଫଟି ମାଧ୍ୟମରେ ବ୍ୟାଙ୍କ ଖାତାରେ ଜମା ହେଉଛି । କିନ୍ତୁ ବର୍ତମାନ ସୁଦ୍ଧା ଏ ନେଇ କୌଣସି ଖୁଲାସା ହୋଇପାରିନାହିଁ ଯେ, ଟଙ୍କା କାହିଁକି ଓ କିପରି ଭାବେ ଏହି ଲୋକମାନଙ୍କ ଖାତାରେ ଜମା ହେଲା ।
ସମଗ୍ର ଅଞ୍ଚଳରେ ଏହି ଘଟଣା ପ୍ରଚାର ହେବା ଫଳରେ କଟୱାର ଆଖପାଖ ଅଞ୍ଚଳରେ ହଜାର ହଜାର ସଂଖ୍ୟକ ଜମାକାରୀ ନିଜ ପାସବୁକ୍ ଧରି ବ୍ୟାଙ୍କ ଆଗରେ ଲମ୍ବା ଲାଇନ ଲଗାଉଛନ୍ତି । ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥିବ ସେ ଆଶା ନେଇ ସେମାନେ ବ୍ୟାଙ୍କ ସମ୍ମୁଖରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି ।
ତେବେ ଏ ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକ ଶାହନୱାଜ ହୁସେନ କହିଛନ୍ତି, ଟଙ୍କା କୌଣସି ସ୍କିମ୍ ଆକାରରେ ବ୍ୟାଙ୍କ ଆକାଉଣ୍ଟରେ ଆସିବାରେ ଲାଗିଛି । କେବଳ ସେତିକି ନୁହେଁ, ଗରିବ ଲୋକଙ୍କ ଆକାଉଣ୍ଟରେ ହଠାତ୍ କୌଣସି କାରଣରୁ ଟଙ୍କା ଜମା ହେବା ଘଟଣା ନେଇ ସେ ସିଧାସଳଖ ମୋଦି ସରକାରଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି । ବିଧାୟକ ଜଣକ କହିଛନ୍ତି ମୋଦି ସରକାର ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା କଥା କହିଥିଲେ । ଯେହେତୁ ଆଗକୁ ନିର୍ବାଚନ ଆସୁଛି, ତେଣୁ ହୁଏତ ମୋଦି ସରକାର ଚୁପଚାପ ଭାବେ ଟଙ୍କା ପଠାଉଛନ୍ତି ବୋଲି ବିଧାୟକ ଶାହନୱାଜ ହୁସେନ କହିଛନ୍ତି ।