୫% ବଦଳରେ ୨% ଷ୍ଟାମ୍ପ ଡ୍ୟୁଟି
ଭାରତୀୟ ଷ୍ଟାମ୍ପ(ଓଡ଼ିଶା ସଂଶୋଧନ) ବିଲ୍- ୨୦୨୧ ପାରିତ
ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ ବି ସଂଶୋଧିତ ହେଲା
ଭୁବନେଶ୍ବର : ରାଜ୍ୟରେ ଜମି/ଘର କିଣାବିକା ପାଇଁ ହେଉଥିବା ପାୱାର ଅଫ୍ ଆଟର୍ଣ୍ଣି ଶସ୍ତା ହେବ। ପାୱାର ଅଫ୍ ଆଟର୍ଣ୍ଣି ଦେବା ସମୟରେ ଲାଗୁଥିବା ୫% ଷ୍ଟାମ୍ପ୍ ଡ୍ୟୁଟି କମି ୨% ହେବ। ଏହାପରେ ଗୃହ ନିର୍ମାଣ ଓ ତଥା ବାସେଶପାଯୋଗୀ କରିବା ପାଇଁ ଚୁକ୍ତି ପତ୍ର (କନଭେୟାନ୍ସ ଡିଡ୍) କଲେ ୫% ବଦଳରେ ଏହା ବାବଦକୁ ହଜାରେ ଟଙ୍କା ଦେବାକୁ ପଡ଼ିବ। ଏହି ବ୍ୟବସ୍ଥା ଥାଇ ଭାରତୀୟ ଷ୍ଟାମ୍ପ(ଓଡ଼ିଶା ସଂଶୋଧନ) ବିଲ୍- ୨୦୨୧ ଆଜି ବିଧାନସଭାରେ ପାରିତ ହୋଇଛି।
ବିଲ୍ ଆଲୋଚନା ବେଳେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ ପ୍ରଚଳିତ ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ଆଇନ, ୨୦୧୪ ଅନୁଯାୟୀ କୌଣସି ସମ୍ପତ୍ତି ଦଖଲ ପ୍ରଦାନ ସହିତ ବିକ୍ରୟ ନିମନ୍ତେ ରାଜିନାମା ଓ ସ୍ଥାବର ସମ୍ପତ୍ତି ବିକ୍ରୟ କରିବା ନିମନ୍ତେ ପରିବାରର ସଦସ୍ୟଙ୍କ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ପ୍ରାଧିକୃତ କରାଉଥିବା ପାୱାର୍ ଅଫ୍ ଆଟର୍ଣ୍ଣିକୁ ସମ୍ପତ୍ତିର ହସ୍ତାନ୍ତର ରୂପେ ବିବେଚନା କରିବାକୁ ବ୍ୟବସ୍ଥା ରହିଛି। ସେହି ଅନୁସାରେ ଉକ୍ତ ଦଲିଲ ସମ୍ପାଦନ ସମୟରେ ସମ୍ପତ୍ତିର ବଜାର ମୂଲ୍ୟ ଆଧାରରେ ୫% ଷ୍ଟାମ୍ପ ଶୁଳ୍କ ଆଦାୟ କରାଯାଉଛି। ଏହା ଦ୍ବାରା ରାଜ୍ୟରେ ସ୍ଥାବର ସମ୍ପତ୍ତିର କାରବାର ବୃଦ୍ଧି ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ଦର୍ଶାଇ ବିକ୍ରୟ ନିମନ୍ତେ ରାଜିନାମା ଓ ପାୱାର୍ ଅଫ୍ ଆଟର୍ଣ୍ଣି ଉପରେ ଷ୍ଟାମ୍ପ ଶୁଳ୍କ ହ୍ରାସ କରିବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ ପତ୍ର ମିଳିଛି। ଏହି ଆଇନ ସଂଶୋଧନ ହେଲା ଫଳରେ ରାଜ୍ୟରେ ରିୟଲ୍ ଇଷ୍ଟେଟ୍ ବିକାଶ ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି କରିବ। ଏହା ଦ୍ବାରା ଅର୍ଥନୀତି ଉପରେ ଭଲ ପ୍ରଭାବ ପକାଇବା ସହ ସବୁ ବର୍ଗର ଲୋକଙ୍କ ନିମନ୍ତେ ସୁଲଭ ମୂଲ୍ୟରେ ଗୃହ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ସହାୟକ ହେବ।
ବିଲ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ ପାୱାର ଅଫ୍ ଆଟର୍ଣ୍ଣି ନିୟମରେ କୋହଳ କରାଯିବ। ପୂର୍ବରୁ କେବଳ ସ୍ତ୍ରୀ, ପୁଅ, ବାପା, ମା’ଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ଦେବାର ନିୟମ ଥିବାବେଳେ ଏବେ ଏଥିରେ ବୋହୂ, ନାତି, ନାତୁଣୀ, ଜେଜେ ବାପା, ଜେଜେ ମା’ଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ନାମରେ ପାୱାର ଅଫ୍ ଆଟର୍ଣ୍ଣି କଲେ ମାତ୍ର ହଜାରେ ଟଙ୍କା ଦେବାକୁ ପଡ଼ିବ। ସେହିପରି ସମାନ ପକ୍ଷଙ୍କ ମଧ୍ୟରେ ଏବଂ ସମାନ ସମ୍ପତ୍ତି ଉପରେ କ୍ଷମତା ପତ୍ର ଓ ଚୁକ୍ତି ପତ୍ର ଭଳି ଦୁଇ ପ୍ରକାରର ଦଲିଲ୍ ସମ୍ପାଦନ କଲେ, ଦ୍ବିତୀୟ ଦଲିଲ୍ରେ ଷ୍ଟାମ୍ପ ଦେୟ ମାତ୍ର ହଜାରେ ଟଙ୍କା ପଡ଼ିବ। ଏହା ସହ ସମ୍ପତ୍ତିର ବିକ୍ରିୟ ନିମିତ୍ତ ଚୁକ୍ତି କ୍ଷେତ୍ରରେ ପୂର୍ବରୁ ଦିଆଯାଇଥିବା ଷ୍ଟାମ୍ପ ଦେୟ ଚୁକ୍ତିନାମା ଅନୁସାରେ ସେହି ବ୍ୟକ୍ତି ବିକ୍ରୟ କବଲା ସମ୍ପାଦନ କରିବା ସମୟରେ ଦଲିଲ୍ରେ ଦେବାକୁ ପଡ଼ୁଥିବା ଷ୍ଟାମ୍ପ ଦେୟ ସହ ଆଡଜଷ୍ଟମେଣ୍ଟ (ସମାୟୋଜନ) କରାଯିବ। ସେହିପରି ରାଜସ୍ବ ବୃଦ୍ଧି ନିମନ୍ତେ ପୂର୍ବ ନିବନ୍ଧିତ ଦଲିଲ୍ର ପ୍ରମାଣିତ ନକଲ ପ୍ରାପ୍ତି ପାଇଁ ଷ୍ଟାମ୍ପ ଦେୟ ୧୦ଟଙ୍କାରୁ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ବିଧାନସଭାରେ ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଲ୍ ‘ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ(ସଂଶୋଧନ) ବିଲ୍-୨୦୨୧’ ମଧ୍ୟ ପାରିତ ହୋଇଛି। ଏହା ଦ୍ବାରା ଯେଉଁମାନେ ପୂର୍ବର ମାନ୍ଦ୍ରାଜ ଇଷ୍ଟେଷ୍ଟ୍ ଅଞ୍ଚଳରେ ରହୁଥିଲେ ସେମାନଙ୍କ ପାଇଁ ଜମି ଦଖଲ ନିୟମ କୋହଳ ହେବ। ୨୦୧୮ ପୂର୍ବରୁ ଦଖଲରେ ଥିବା ଖସମାହଲ, ନାଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦି ଜମିକୁ ଦଖଲକାରୀଙ୍କ ନାମରେ ପଞ୍ଜୀକରଣ କରାଯିବ। ଏଥିପାଇଁ ସେମାନେ ଆବେଦନ କରିବେ। ରାଜସ୍ବ ବିଭାଗ ପକ୍ଷରୁ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ(ସଂଶୋଧନ),୧୯୯୧ରେ ଥିବା ଅସଙ୍ଗତିକୁ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ (ସଂଶୋଧନ) ଆଇନ,୨୦୦୯ ଦ୍ବାରା ହଟାଇ ଦିଆଯାଇଛି। ୨୬.୦୨.୨୦୦୬ (ନିଯୁକ୍ତି ତାରିଖ) ପରେ, ଏହି କ୍ଷେତ୍ରରେ ଅନେକ ଜମି କାରବାର କିମ୍ବା ହସ୍ତାନ୍ତର ହେବା ସହ ବିକ୍ରି ହୋଇଥିବାରୁ ନିଯୁକ୍ତି ତାରିଖ ଅବଧି ଉପଯୁକ୍ତ ଭାବେ ବଢ଼ାଯାଇଛି। ଓଜିଏଲ୍ଏସ୍ ଅଧିନିୟମର ଧାରା ୩ର ଉପଧାରା (୪)ର ସଂଶୋଧନ ଦ୍ବାରା ଖସମାହଲ, ନାଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦି ଜମି ଦଖଲ କରୁଥିବା ବ୍ୟକ୍ତିଙ୍କୁ ଲିଜ୍ ଆଧାରରେ କିମ୍ବା ପ୍ରସ୍ତାବିତ ଆଇନ ଆରମ୍ଭ ହେବାର ତିନି ବର୍ଷ ପୂର୍ବରୁ ଦଖଲରେ ଥିବା ବ୍ୟକ୍ତି ବା ଉତ୍ତରାଧିକାରୀଙ୍କ ସପକ୍ଷରେ ସରକାରଙ୍କୁ ଧାର୍ଯ୍ୟ ଅନୁଯାୟୀ ଏହାର ଦେୟ ପ୍ରଦାନ କରି ସ୍ଥାନାନ୍ତର ଯୋଗ୍ୟ ଅଧିକାର ସହିତ ସ୍ଥାୟୀ ଭାବରେ ହସ୍ତାନ୍ତର ହୋଇପାରିବ। ଏହାସହ ଉପରୋକ୍ତ ଜମିର ଦଖଲରେ ଥିବା ଯେକୌଣସି ବ୍ୟକ୍ତି ସରକାରଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଆଧାରରେ ଆବେଦନ କରିବେ ଏବଂ ଆବେଦନ କରିବାରେ ବିଫଳ କ୍ଷେତ୍ରରେ ଜମିକୁ ସରକାରୀ ଖାତାରେ ପୁନଃ ଫେରାଇ ଆଣିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/power-of-attorney-fff.jpg)