ପାୱାରଟିଲର ପାଇଲଟ୍‌ ‘ସଞ୍ଜୁଲତା’

କେନ୍ଦୁଝର: ପାୱାରଟିଲର ପାଇଲଟ୍‌ ସଞ୍ଜୁଲତା। ନିଜେ ପାୱାରଟିଲର ଚଳାଇ ଆରମ୍ଭ କରିଛନ୍ତି ମାଣ୍ଡିଆ ଚାଷ। ତେବେ ସେ ଶାଢ଼ୀ ପିନ୍ଧି ପାୱାର ଟିଲର ଚଲାଉଥିବା ବେଳେ ତାଙ୍କୁ ଦେଖିବା ବେଳେ ଦେଖଣାହାରୀ ଘଡିଏ ରହି ଯାଉଛନ୍ତି। କେନ୍ଦୁଝର ଜିଲ୍ଲା ସଦର ବ୍ଲକର କାଉଁରିକଳା ଗ୍ରାମର ପାୱାର ଟିଲର ଚଳାଇ ଚାଷ କରୁଥିବା ସଞ୍ଜୁଲତା ମହାନ୍ତଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଉଁରିକଳା ପଂଚାୟତ ଅନ୍ତର୍ଗତ କାଉଁରିକଳା ଗାଁ। ଏହି ଗାଁରେ ନିଜ ସ୍ବାମୀ ମହେନ୍ଦ୍ର ମହାନ୍ତ ଏବଂ ପିଲାମାନଙ୍କ ସହିତ ରୁହନ୍ତି ସଞ୍ଜୁଲତା ମହାନ୍ତ। ଘରେ ଚାଷ ବାସ କରି ପରିବାର ଚଳାଉଥିବା ମହେନ୍ଦ୍ରଙ୍କୁ ବିବାହ ପରଠାରୁ ନିୟମିତ ଭାବେ ସହଯୋଗ କରି ଆସୁଥିଲେ ସଞ୍ଜୁଲତା। ତେବେ ବର୍ଷାଦିନିଆ ଧାନ ଚାଷ ସହିତ ଶୀତଦିନେ ପରିବା ଚାଷ କରି ଦି’ ପଇସା ରୋଜଗାର କରୁଥିବା ସଞ୍ଜୁଲତା ଖରାଦିନେ ମାଣ୍ଡିଆ ଚାଷ ପାଇଁ ମନ ବଳାଇଥିଲେ। ଏଥିପାଇଁ ଗତ ୨୦୨୦ ମସିହାରୁ ଆଇଡିଆ ନାମକ ଏକ ବେସରକାରୀ ସଂଗଠନ ସହ‌ୋଗରେ ମାଣ୍ଡିଆ ଚାଷ ଆରମ୍ଭ କରିଥିଲେ। ପ୍ରଥମ ବର୍ଷ ପ୍ରାୟ ଦେଢ଼ ଏକର ଚାଷ କରିବା ପରେ ସେଥିରୁ କିଛି ଅର୍ଥ ରୋଜଗାର କରୁଥିଲେ। ଏହାପରେ ଗତ ବର୍ଷ ମଧ୍ୟ ଦୁଇ ଏକର ମାଣ୍ଡିଆ ଚାଷ କରିବା ପରେ ସେଥିରୁ ପ୍ରାୟ ୩୦ ହଜାର ଟଙ୍କା ରୋଜଗାର କରିଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି ଏହି ମାଣ୍ଡିଆ ଚାଷ ଲାଗି ହଳ କରିବା ପାଇଁ ଭଡାରେ ପାୱାର ଟିଲର ଆଣୁଥିବା ବେଳେ ଏବର୍ଷ ନିଜ ସ୍ବାମୀଙ୍କୁ ପ୍ରବର୍ତ୍ତାଇ ପାୱାରଟିଲରଟିଏ ଆଣିଥିଲେ। ଏହାପରେ ନିଜ ସ୍ବାମୀଙ୍କ ସହାୟତାରେ ପାୱାରଟିଲର ଚଲାଇବା ଶିଖିବା ପରେ ଆଜି ନିଜ ଜମିରେ ନିଜେ ପାୱାରଟିଲର ଚଳାଇ ମାଣ୍ଡିଆ ଚାଷ ଆରମ୍ଭ କରିଛନ୍ତି।

ଏବର୍ଷ ସେ ପ୍ରାୟ ୨ ଏକର ଚାଷ କରିବାକୁ ଥିବା ବେଳେ ତିନି ଚାରି ଦିନ ପାୱାରଟିଲର ଚଲାଇଲେ ସଞ୍ଜୁଲତା ସମସ୍ତ ଜମିକୁ ହଳ କରିଦେବେ। ଏହାପରେ ମାଣ୍ଡିଆ ବିହନ ପକାଇ ଚାଷ ଆରମ୍ଭ କରିବେ ବୋଲି ସେ କହିଛନ୍ତି।

ସଞ୍ଜୁଲତାଙ୍କ କହିବା କଥା ହେଉଛି, ପାୱାର ଟିଲର ଘରେ ଅଛି। ସ୍ବାମୀ ଚଲାନ୍ତି। ମାତ୍ର ସ୍ବାମୀଙ୍କ ଦେହପା ଖରାପ ଥିଲେ ବା ତାଙ୍କ ଅନୁପସ୍ଥତିରେ ମୁଁ କାମ ‌ଚଳେଇ ନେବା ପାଇଁ ପାୱାରଟିଲର ଶିଖିଥିଲି। ଏବେ ତାହା କାମରେ ଆସୁଛି। ତେବେ ସଞ୍ଜୁଲତାଙ୍କ ଏହି ପାୱାରଟିଲର ଚଳାଇବାକୁ ନେଇ କେନ୍ଦୁଝର ଜିଲ୍ଲାରେ ‌ତାଙ୍କର ବେଶ୍‌ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର