ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ଠକେଇ: ପ୍ରଦୀପଙ୍କ ସମେତ ୩ ଦିନକ ପାଇଁ ଛତ୍ରପୁର ପୁଲିସ ରିମାଣ୍ଡ୍‌ରେ  

ଏସ୍‌ଡିଜେଏମ୍‌ କୋର୍ଟ ହାଜର, ଡିସେମ୍ବର ୫ରେ ଅନ୍ୟ ଦୁଇ ହାଜର ହେବେ

ଛତ୍ରପୁର: ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଆଜି ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ, ପୋଲସରା ଷଣ୍ଢ ସାହିର ମନୋଜ ପଟ୍ଟନାୟକ ଏବଂ ବାଲେଶ୍ବର ଦହିସୋର ଗ୍ରାମର ଶ୍ରୀକୃଷ୍ଣ ଚନ୍ଦ୍ର ପାଢ଼ୀ ଆଜି ଛତ୍ରପୁର ଏସ୍‌ଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ଛତ୍ରପୁର ଥାନା ପୁଲିସ ସେମାନଙ୍କୁ ଦିନକ ପାଇଁ ରିମାଣ୍ଡ୍‌ରେ ନେଇଛି।

ଛତ୍ରପୁର ଥାନା ପୁଲିସ ପକ୍ଷରୁ ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଉପରୋକ୍ତ ୩ ଜଣଙ୍କ ସମେତ ଚକାଜଗନ୍ନାଥ ଗ୍ରାମର ଜଗବନ୍ଧୁ ପଣ୍ତା ଓ ଭୁବନେଶ୍ବର ସନ୍ତୋଷୀ ବିହାର ଅ‌ଞ୍ଚଳର ମହମ୍ମଦ ହଜିଫ୍‌ଙ୍କୁ ରିମାଣ୍ଡ୍‌ରେ ନେବା ଲାଗି ଗତ ମାସ ୨୦ ତାରିଖରେ ଛତ୍ରପୁର ଏସ୍‌‌ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଜରିଆରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ (ଭୁବନେଶ୍ବର)ଙ୍କୁ ନିବେଦନ କରା ଯାଇଥିଲା। ଏହା ଉପରେ ନଭେମ୍ବର ୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ବିଚାର କରି ଗୋଟିଏ ଦିନ ପାଇଁ ଅର୍ଥାତ୍ ନଭେମ୍ବର ୨୩ ତାରିଖରେ ପ୍ରଦୀପ ସେଠୀ, ମନୋଜ ପଟ୍ଟନାୟକ ଓ ଶ୍ରୀକୃଷ୍ଣ ଚନ୍ଦ୍ର ପାଢୀଙ୍କୁ ରିମାଣ୍ତରେ ଛାଡ଼ିବାକୁ ଅନୁମତି ଦେଇଥିଲେ। ଭୁବନେଶ୍ବର ସ୍ବତନ୍ତ୍ର କାରାଗାରରେ ବିଚାରଧୀନ ବନ୍ଦୀ ଥିବା ପ୍ରଦୀପ ସେଠୀ, ମନୋଜ ପଟ୍ଟନାୟକ ଓ ଶ୍ରୀକୃଷ୍ଣ ଚନ୍ଦ୍ର ପାଢ଼ୀଙ୍କୁ କଡ଼ା ସୁରକ୍ଷାରେ ଆଜି ଛତ୍ରପୁର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରା ଯାଇଥିଲା। ଅନ୍ୟ ଦୁଇଜଣ ଜଗବନ୍ଧୁ ପଣ୍ତା ଓ ମହମ୍ମଦ ହଜିଫ୍ ଅନୁପସ୍ଥିତ ରହିଥିଲେ। ସେମାନଙ୍କୁ ଆସନ୍ତା ମାସ ୫ ତାରିଖରେ ହାଜର କରାଇବା ଲାଗି ଛତ୍ରପୁର ପୁଲିସକୁ

ଏସ୍‌ଡ଼ିଜେଏମ୍‌ ନିର୍ଦ୍ଦେଶ ଦେଇଛନ୍ତି। ଛତ୍ରପୁର ପୁଲିସ୍‌ର ରିମାଣ୍ଡ ଆବେଦନକୁ ଭିତ୍ତି କରି ପ୍ରଦୀପ ସେଠୀ, ମନୋଜ ପଟ୍ଟନାୟକ ଓ ଶ୍ରୀକୃଷ୍ଣ ଚନ୍ଦ୍ର ପାଢୀଙ୍କୁ ଛତ୍ରପୁର ପୁଲିସକୁ ହସ୍ତାନ୍ତର କରା ଯାଇଥିଲା। ପ୍ରଦୀପ ସେଠୀ, ମନୋଜ ପଟ୍ଟନାୟକଙ୍କ ପାଇଁ ହାଇକୋର୍ଟ ଓକିଲ ସଞ୍ଜୟ ନାରାୟଣ ସାହୁ ଓ ଏସ୍‌.ମୋହନ ରାଓ ଏବଂ ଛତ୍ରପୁର କୋର୍ଟର ଓକିଲ କୃଷ୍ଣଚନ୍ଦ୍ର ସାହୁ, ଶ୍ରୀକୃଷ୍ଣ ଚନ୍ଦ୍ର ପାଢ଼ୀଙ୍କ ପାଇଁ ବ୍ରହ୍ମପୁରର ଓକିଲ ଶ୍ରୀହର୍ଷ ପ୍ରସାଦ ଦାଶ ଏବଂ ସରକାରଙ୍କ ପକ୍ଷରୁ କ୍ୟାଡର୍‌ ଏପିପି ରାଜେଶ କୁମାର ମିଶ୍ର ମକଦ୍ଦମା ପରିଚାଳନା କରିଥିଲେ।

ସୂଚନା ଅନୁଯାୟୀ, ଛତ୍ରପୁର ସହରରେ ଅର୍ଥତତ୍ତ୍ବ ସଂସ୍ଥାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଥିଲା। ସେଠାରେ ଛତ୍ରପୁର ବ୍ଲକ୍ କଣମଣା ଗ୍ରାମର ଦେବରାଜ ସାହୁ ଏକ ଲକ୍ଷ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ସଂସ୍ଥାର କାର୍ଯ୍ୟାଳୟ ଉଭାନ୍‌ ହୋଇ ଯାଇଥିଲା। ଦେବରାଜ ଜମା ଅର୍ଥ ଫେରି ପାଇ ନଥିଲେ। ୨୦୧୩ ମସିହା ମେ ୧୦ରେ ଦେବରାଜ ତାଙ୍କ ଅର୍ଥ ହଡ଼ପ ହୋଇଥିବା ସଂକ୍ରାନ୍ତରେ ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ଛତ୍ରପୁର ଥାନା ପକ୍ଷରୁ ୧୨୦ (ବି), ୪୨୦, ୪୬୮, ୪୭୧/୩୪ ଆଇପିସି, ୪,୫,୬ ପ୍ରାଇସ୍‌ ଚିଟ୍ ମନି ସର୍କୁଲେସନ୍ (ବାନିଂ) ଦଫାରେ ଉପରୋକ୍ତ ୫ଜଣଙ୍କ ନାମରେ ମାମଲା ରୁଜୁ ( କେସ୍‌ ନମ୍ବର -୬୮/୨୦୧୩ ) ହୋଇଥିଲା। ସେତେବେଳକୁ ଉପରୋକ୍ତ ୫ ଜଣ ଅଭିଯୁକ୍ତ ଗିରଫ ହୋଇ ଜେଲ୍‌ରେ ଥିଲେ। ସେମାନଙ୍କୁ ରିମାଣ୍ତ୍‌ରେ ଆଣିବା ପାଇଁ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍‌ ରଞ୍ଜନ ଛୋଟରାୟ କ୍ୟାଡର୍‌ ଏପିପି ରାଜେଶ କୁମାର ମିଶ୍ରଙ୍କ ଜରିଆରେ ଏସ୍‌ଡିଜେଏମ୍ କୋର୍ଟରେ ଗତ ମାସ ୨୦ ତାରିଖରେ ଆବେଦନ କରିଥିଲେ। ଏହା ପୂର୍ବରୁ ଛତ୍ରପୁର ପୁଲିସ ଗତ ବର୍ଷ ଅକ୍ଟୋବର ୨୨ ଓ ୨୫ ତାରିଖରେ ରିମାଣ୍ତ ପାଇଁ ଆବେଦନ କରାଯାଇଥିଲା।

ସମ୍ବନ୍ଧିତ ଖବର