ଭୁବନେଶ୍ୱର: ଭୁବନେଶ୍ୱରର ପ୍ରତିଷ୍ଠିତ ବିଜେବି କଲେଜ୍ରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରାକ୍ ନିର୍ବାଚନୀ ହିଂସା ଆରମ୍ଭ ହୋଇ ଯାଇଛି। ଛାତ୍ରଛାତ୍ରୀମାନଙ୍କ ଆଗରେ ନିଜ ନିଜର ଦବ୍ଦବା ପ୍ରଦର୍ଶନ କରିବାକୁ ଯାଇ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ୫ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛିି। ସମଗ୍ର କଳେଜରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧ ପ୍ଲାଟୁନ୍ ଫୋର୍ସ ମୂତୟନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବିଜୁ ଛାତ୍ର ଜନତା ଦଳ ସହିତ ସମ୍ପୃକ୍ତ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ନିର୍ବାଚନ ପୂର୍ବରୁ କଲେଜ ପରିସରରେ ଗଣ୍ଡଗୋଳ ଘଟିଛି। ବିଶେଷତଃ ଆଗାମୀ ଛାତ୍ରସଂସଦ ନିର୍ବାଚନରେ ନିଜ ଗୋଷ୍ଠୀର ଛାତ୍ରନେତାମାନଙ୍କ ପ୍ରଭାବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିସ୍ତାର କରିବା ପାଇଁ ଆଜି ଦୁଇ ଛାତ୍ରଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଛନ୍ତି। ପରସ୍ପରକୁ ଆକ୍ରମଣ କରିବା ଫଳରେ ୫ ଜଣ ଛାତ୍ରଙ୍କ ମୁଣ୍ଡ ଫାଟିଛି। ଏଥିରେ ୨ ଜଣ ଛାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କଲେଜରେ ଉତ୍ତେଜନା ଲାଗି ରହିଛି। ତେଣୁ ସେଠାରେ ବ୍ୟାପକ ପୁଲିସ ମୂତୟନ କରାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଛି।
ବିଜେବି କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା, ୭ଗୁରୁତର
/sambad/media/post_attachments/wp-content/uploads/2018/08/bjb-collage.jpg)