ଆରମ୍ଭ ହେଲାଣି ଗଣେଶ ପୂଜା ପ୍ରସ୍ତୁତି: ଅଧାକୁ ଖସିଲା ବଜେଟ୍‌

ଭୁବନେଶ୍ବର: ଆସୁଛନ୍ତି ପାର୍ବତୀନନ୍ଦନ। ଦୁଇବର୍ଷ ହେଲା କରୋନା କଟକଣାରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଆବାହନ ଭକ୍ତଙ୍କ ମନ ମୁତାବକ ହୋଇନଥିବା ବେଳେ ଏଥର କିନ୍ତୁ ମାସକ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗତ ୨ ବର୍ଷ ହେଲା କେବ‌େ କେବଳ ଘରେ ଓ ଶିକ୍ଷାନୁଷ୍ଠାନରେ ପୂଜା ଆୟୋଜନର ଅନୁମତି ଥିଲା ତ’ ଆଉ କେବେ ଅଳ୍ପ ଭକ୍ତରେ ସ୍ବଳ୍ପ ଖର୍ଚ୍ଚରେ ମଣ୍ଡପରେ ପୂଜା ପାଇଁ କଟକଣା ଲାଗୁ ହୋଇଥିଲା। ଏତେସବୁ କଟକଣା ଭିତରେ ଗତ ୨ ବର୍ଷ ହେଲା ପାର୍ବଣ କେବେ ଆସୁଛି ଓ ପଳାଇ ଯାଉଛି ତାହା ଜଣାପଡ଼ୁନଥିଲା।

ଆଖି ଝଲସା ତୋରଣ ଦେଖିବାକୁ ମିଳୁନଥିଲା କି ଭଗବାନଙ୍କ ବିଶାଳକାୟ ମୂର୍ତି ଶୋଭା ପାଉନଥିଲା। କେଉଁଠି ମେଲୋଡିରେ ମଞ୍ଚ ଦୁଲୁକୁ ନ ଥିଲା କି ମୀନାବଜାର ଲୋକଙ୍କୁ ଆକର୍ଷିତ କରୁନଥିଲା। କିନ୍ତୁ ଚଳିତ ବର୍ଷ କରୋନାର କୋପ କମିଛି। ନିକଟରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଣୁ ସମସ୍ତ ଗଣେଶ ପୂଜା କମିଟି ପୂଜ‌ା ଆୟୋଜନକୁ ନେଇ ବେଶ୍‌ ଆଶାବାଦୀ ରହିଥିବା ବେଳେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ କରୋନା କାଳରେ ଆୟ କମ୍‌ ଓ ଦରଦାମ୍‌ ବୃଦ୍ଧିର ମାଡ଼ରେ ଏଥର କିନ୍ତୁ ସମସ୍ତ ପୂଜା କମିଟିର ବଜେଟ୍‌ ଅଧା ଖସିଛି। ସାଧାରଣତଃ ପୂଜା କମିଟିଗୁଡ଼ିକୁ ପୂଜା ପାଇଁ ସିଂହଭାଗ ଟଙ୍କା ନିକଟସ୍ଥ ବ୍ୟବସାୟୀମାନେ ଦେଇଥା’ନ୍ତି। ଗତ ୨ ବର୍ଷ ହେଲା ‌ବ୍ୟବସ‌ାୟୀକୂଳ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ବେଳେ ସେମା‌ନଙ୍କ ଅନୁଦାନ ରାଶି ବି କମିଛି। ଫଳରେ ପୂଜା ବଜେଟ ବି କମିଛି ବୋଲି ଆୟୋଜକମାନେ କହିଛନ୍ତି।

ରାଜଧାନୀର ସବୁଠାରୁ ଉଚ୍ଚ ଗଣେଶ ମୂର୍ତି ନିର୍ମାଣ କରି ପ୍ରତିଥର ୱିନର୍ସ ଆସୋସିଏସନ୍‌ ଚର୍ଚ୍ଚାରେ ରହିଆସୁଛି। ଚଳିତ ବର୍ଷ ମଧ୍ୟ ଆସୋସିଏସନ୍‌ ପକ୍ଷରୁ ଏହା ଉଦ୍ୟମ ଜାରି ରହିଛି। ଆସୋସିଏସନ୍‌ର ଉପଦେଷ୍ଟା ନାରାୟଣ ମହାପାତ୍ର କହିଛନ୍ତି, ଚଳିତ ବର୍ଷ ୩୬ ଫୁଟର ଗଣେଶ ମୂର୍ତି ନିର୍ମାଣ ଚ‌ାଲିଛି। ଏଥିସହ ଗଣେଶଙ୍କ ହାତରେ ରହିବ ୧୦ କେଜିର ବୁନ୍ଦି ଲଡ଼ୁ। ୭ ଦିନ ଧରି ୱିନର୍ସ ଆସୋସିଏସନ୍‌ ପକ୍ଷରୁ ସହିଦ ନଗରଠାରେ ଗଣେଶ ପୂଜ‌ା ଉତ୍ସବ ଆୟୋଜିତ ହେବ। ବିଶାଳ ମୀନାବଜାର ଆୟୋଜିତ ହେବ। ଭଜନ, କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରତିଦିନ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିବ। ଏଥିପାଇଁ ଆସୋସିଏସନ୍‌ ପକ୍ଷରୁ ୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ପ୍ରତି‌ବର୍ଷ ବେଶ୍‌ ଜାକଜମକ ଓ ବିଶାଳ ଭାବେ ଗଣେଶ ପୂଜା ଆୟୋଜନ କରୁଥିବା ୱିନର୍ସ ଆସୋସିଏସନ୍‌ ପୂର୍ବ ବର୍ଷଗୁଡ଼ିକରେ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିଲା। କିନ୍ତୁ କରୋନା ଫଳରେ ଲାଗି ରହିଥିବା ଆର୍ଥିକ ସ୍ଥିତି ଚଳିତ ବର୍ଷ ବଜେଟକୁ ଅଧା କମାଇଦେଇଥିବା ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି।

ବ୍ରାଇଟ୍‌ ଷ୍ଟାର କ୍ଲବ୍‌ ପକ୍ଷରୁ ବଡ଼ଗଡ଼ଠାରେ ପ୍ରତିବର୍ଷ ବିଶାଳ ଆକାରରେ ଆୟୋଜିତ ହେଉଥିବା ଗଣେଶ ପୂଜା ଉତ୍ସବ ଚଳିତ ବର୍ଷ ଟିକେ ଚମକ ହରାଇବ। କ୍ଲବ୍‌ର ସମ୍ପାଦକ ସଂଗ୍ରାମ ମାର୍ଥା କହିଛନ୍ତି, ଗତ ଦୁଇ ବର୍ଷ ହେଲା ପୂଜା ପାଇଁ ଅନୁମତି ନଥିବାରୁ ଆମେ ଏବେ ବି ଦ୍ବନ୍ଦ୍ବରେ ରହିଛୁ। ତଥାପି ପ୍ରସ୍ତୁତି ଆରମ୍ଭ କରିଦେଇଛୁ। ୨ ବର୍ଷ ପରେ ପୂଜା ପୁଣି ହେଉଥିବାରୁ ଆମେ ଅଧିକ ଧୁମ୍‌ଧାମ୍‌ରେ ପୂଜା କରିବାକୁ ଇଚ୍ଛା କରିଥିଲୁ। କିନ୍ତୁ ବଜେଟର ଅଭାବ ଓ ଦରଦାମ୍‌ ବୃଦ୍ଧି ଆମକୁ ଏହି ଅନୁମତି ‌ଦେଉନାହିଁ। ପ୍ରତିବର୍ଷ ପୂଜାରେ ତୋରଣ, ମୂର୍ତି, ମେଲୋଡି, ପ୍ରସାଦ ସେବନ ଓ ସ‌ାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଆମେ ୨୦ ଲକ୍ଷରୁ ଅଧିକ ଟଙ୍କାର ବଜେଟ ପ୍ରସ୍ତୁତ କରୁଥିଲୁ। କିନ୍ତୁ ଚଳିତ ବର୍ଷ ଏହା ଅଧାରୁ କମିଯାଇଛି। ଚଳିତ ବର୍ଷ ବଜେଟ ୮ରୁ ୧୦ ଲକ୍ଷ ଟଙ୍କା ରଖାଯାଇଛି। ଏଥିସହ ପୂର୍ବରୁ ୭ ଦିନ ଧରି ଆୟୋଜିତ ହେଉଥିବା ଏହି ପୂଜା ଚଳିତ ବର୍ଷ ମାତ୍ର ୩ ଦିନ ପାଳିତ ହେବ। ୩୦ ଫୁଟ ଉଚ୍ଚତାର ଗଣେଶ ମୂର୍ତି ମଣ୍ଡପରେ ପୂଜା ପାଇଛି। ୩ ଦିନ ଧରି ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନରେ ଭକ୍ତ ଆପ୍ୟାୟିତ ହେବେ।

ପ୍ରତିବର୍ଷ ଚାଉଳ, ବିରି, ମୁଗ, ଡାଲି, କାଇଁଚ, ଧାନ ଓ କାଗଜ ଆଦି ପାରମ୍ପରିକ ସାମଗ୍ରୀ ବ୍ୟବହାରରେ ବିନା ରସାୟନ ରଙ୍ଗରେ ପରିବେଶଭିତ୍ତିକ ଗଣେଶ ମୂର୍ତି ତିଆରି କରି କରି ସଚେତନତା ବାର୍ତା ବାଣ୍ଟନ୍ତି ବୁଦ୍ଧେଶ୍ବରୀ କଲୋନିସ୍ଥିତ ମା’ ମଙ୍ଗଳା ୟୁଥ୍‌ କ୍ଲବ୍‌ କର୍ମକର୍ତା। ଚଳିତ ବର୍ଷ ମଧ୍ୟ କ୍ଲବ୍‌ ପକ୍ଷରୁ ପରିବେଶଭିତ୍ତିକ ୮ ଫୁଟ ଉଚ୍ଚତାର ଗଣେଶ ମୂର୍ତି ପ୍ରସ୍ତୁତ ହେବ। ଗତବର୍ଷଗୁଡ଼ିକରେ ୯ରୁ ୧୦ ଲକ୍ଷ ବ୍ୟୟ ବଜେଟରେ ପୂଜା ହେଉଥିବା ବେଳେ ଚଳିତ ବର୍ଷ ବଜେଟ୍‌କୁ ୬ ଲକ୍ଷ ଟଙ୍କାରେ ସୀମିତ ରଖାଯିବ ବୋଲି କ୍ଲବର ସମ୍ପାଦକ ସଞ୍ଜୟ ଆଚାର୍ଯ୍ୟ କହିଛନ୍ତି। ଗତ ୨ ବର୍ଷ କରୋନା ଯୋଗୁଁ ବ୍ୟବସାୟୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନଙ୍କ ଅନୁଦାନ କମ୍‌ ରହିବ। କ୍ଲବ୍‌ କର୍ମକର୍ତା ପୂଜାର ସିଂହଭାଗ ଟଙ୍କା ଦେବେ। ଏଣୁ ଚଳିତ ବର୍ଷ ପୂଜା ବଜେଟ ସଙ୍କୁଚିତ ହୋଇଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ତେବେ ଗତବର୍ଷ ଗୁଡ଼ିକ ଭଳି ୭ ଦିନ ଧରି ଉତ୍ସବ ଅନୁଷ୍ଠିତ ହେବ। ମୀନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡି ସହ ପ୍ରସାଦ ସେବନର ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର