ଗତ ୨୨ ବର୍ଷ ହେଲା ଦୁର୍ନୀତିରେ ବୁଡ଼ି ରହିଛନ୍ତି ରାଜ୍ୟ ସରକାର: ପିସିସି ସଭାପତି

ଭୁବନେଶ୍ବର: ରାଜନୀତିରୁ ସନ୍ନ୍ୟାସ ନେବେ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ନିର୍ବାଚନ ଲଢ଼ିପାରେ ବା ନ ଲଢ଼ିପାରେ, ପଦପଦବୀରେ ରହିପାରେ କି ନ ରହିପାରେ, ହେଲେ ଶକ୍ତି ଥିବା ଯାଏଁ ରାଜନୀତି କରିବି। କାରଣ ଗାନ୍ଧୀଙ୍କ ଆଦର୍ଶରେ ମୁଁ ଅନୁପ୍ରାଣିତ।
ସୁବ୍ରତ ବାଗଚି ଓ ତାଙ୍କ ପତ୍ନୀଙ୍କୁ ପ୍ରଶଂସା କରି ପିସିସି ସଭାପତି କହିଛନ୍ତି, କାଲି ରାତିରେ କନକ ଟିଭି ଦେଖୁଥିଲି, ସେଥିରେ ଦେଖାଉଥିଲା ବାଗଚି ଦମ୍ପତି ୪୨୫ କୋଟି ଟଙ୍କା ହସ୍ପିଟାଲ ପାଇଁ ପ୍ରଦାନ କରିଛନ୍ତି। ସେମାନଙ୍କର ମାନସିକତା ହେଉଛି ଯେତିକି ଅର୍ଥ ଉପାର୍ଜନ କରୁଛନ୍ତି, ତାକୁ କିଭଳି ସତ୍ ଉପାୟରେ ଖର୍ଚ୍ଚ କରିବେ। ହେଲେ ଦୁର୍ନୀତି, ଭ୍ରଷ୍ଟାଚାର ଓ ହିଂସାକୁ ନେତାମାନେ ପ୍ରୋତ୍ସାହନ ଦେଉଥିବା ବେଳେ ବାଗଚିଙ୍କ ମାନସିକତା ଉଦାହରଣ।
ଏଣେ ପ୍ରତିଦିନ ହିଂସାକାଣ୍ଡ ରାଜ୍ୟରେ ବଢିଚାଲିଥିବାର ଅଭିଯୋଗ ଆଣିଛନ୍ତି ନିରଞ୍ଜନ ପଟ୍ଟନାୟକ। ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କ ହିଂସାକାଣ୍ଡ କଥା ଉଠାଇ ପିସିସି ସଭାପତି କହିଛନ୍ତି, ସୋରରେ ବୃଦ୍ଧ ଲୋକଙ୍କୁ ଆକ୍ରମଣ କରାଗଲା। ଏହା ନିନ୍ଦନୀୟ। ଆଉ ଏସବୁ ହିଂସାକାଣ୍ଡ ନେତାଙ୍କ ଦ୍ଵାରା ହିଁ ହେଉଛି। ଯେପରି ଭାବେ ରାଜନୀତି ହେଉଛି, ସେଥିରୁ ଗଣତନ୍ତ୍ର ନଥିବା ଭଳି ଲାଗୁଛି। ଆଜି ଯାଏ ମୁଁ ପ୍ରଚାରକୁ ଯାଇନି। କିନ୍ତୁ ଅତ୍ୟାଚାରର ଶିକାର ହୋଇଥିବା ଲୋକଙ୍କୁ ଭେଟିବାକୁ ସୋର ଯିବି।
ଦଳର ଇସ୍ତାହାର ସଂପର୍କରେ ସେ ସୂଚନା ଦେଇ କହିଛନ୍ତି, ଆମେ ଜିଲ୍ଲାସ୍ତରରେ ଇସ୍ତାହାର ଘୋଷଣା କରିଛୁ। କଂଗ୍ରେସ ୪୪.୭୮% ଓବିସି ପ୍ରାର୍ଥୀଙ୍କୁ ଏଥର ପଞ୍ଚାୟତ ନିର୍ବାଚନରେ ଟିକେଟ ଦେଇଛୁ। କାହିଁକି ଓବିସି ପ୍ରାର୍ଥୀଙ୍କ ପ୍ରତି ଅବହେଳା କରାଗଲା, ସେନେଇ ନ୍ୟାୟଳୟର ଦ୍ୱାରସ୍ଥ ହେବୁ। ଗଲା ୨୨ ବର୍ଷ ହେଲା ଦୁର୍ନୀତିରେ ବୁଡ଼ି ରହିଛନ୍ତି ରାଜ୍ୟ ସରକାର। କେନ୍ଦ୍ରରେ ବି ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି। ଲୋକ ଅନୁଭବ କଲେଣି। ଲୋକ ବୁଝିଥିଲେ କଂଗ୍ରେସ ଭଲ ଭୋଟ ପାଇବ।

ପ୍ରସାଦ ହରିଚନ୍ଦନ ଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ କାହିଁକି ନାହିଁ ପ୍ରଶ୍ନରେ ପିସିସି ସଭାପତି କହିଛନ୍ତି, ଯିଏ ପ୍ରଚାର କରିବ ତାଙ୍କ ନାଁ ତାଲିକାରେ ଅଛି। ସେ ତ ଆସନ୍ତିନି। ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର। ସେ ପ୍ରେସମିଟରେ କାହିଁକି କାନ୍ଦିଲେ, ତାର ଜବାବ ନିର୍ବାଚନ ପରେ ଦିଆଯାଇପାରେ।

ସମ୍ବନ୍ଧିତ ଖବର