ଭୁବନେଶ୍ବର: ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ପିପଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କୋଭିଡ ଗାଇଡଲାଇନ ଅନୁଯାୟୀ ୭୨ ଘଣ୍ଟା ପୂର୍ବରୁ ସାଇଲେଣ୍ଟ ପିରିଅଡ ଲାଗୁ ହେବା କଥା। ସେହି ଅନୁଯାୟୀ ଗତକାଲି ସନ୍ଧ୍ୟା ୬ଟା ରୁ ସାଇଲେଣ୍ଟ ପିରିଅଡ ଲାଗୁ ହୋଇଛି। ପୁଲିଂ ପାର୍ଟି ପେଣ୍ଠକଟାରେ ରହିଛନ୍ତି। ସେଠୁ ବୁଥକୁ ବାହାରିବେ।
ପିପିଲିରେ ସର୍ବମୋଟ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ରହିଥିବା ବେଳେ ମୋଟ ବୁଥ ସଂଖ୍ୟା ରହିଛି ୩୪୮। ଏଥିମଧ୍ୟରୁ ୨୦୧ଟି ସମ୍ବେଦନଶୀଳ। ସେଠାରେ ମାଇକ୍ରୋ ଅଵଜର୍ଭର୍ କିମ୍ୱା ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି। ସେଠାରେ ୱବେ କାଷ୍ଟ କିମ୍ୱା ସିସିଟିଭି ବି ଲଗାଯିବ। ୨୨୦୦ ଜଣ ପୁଲିଂ କର୍ମଚାରୀ ନିୟୋଜିତ ଅଛନ୍ତି।
ଏହାଛଡ଼ା ଦୁଇ ହଜାର ପୁଲିସ ଓ ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହେବେ। ପୁଲିଂ କର୍ମଚାରୀଙ୍କ ଯାତାୟତ ପାଇଁ ୪୨୩ଟି ଗାଡି ନିଆଯାଇଛି। ୩୪୮ଟି ଭିଭିପାଟ ବ୍ୟବହାର ହେବ। ୯୨୪ଟି ପୋଷ୍ଟାଲ ବାଲାଟ ଭୋଟ ଆମେ ପାଇଛୁ।
କୋଭିଡ ଗାଇଡଲାଇନ ଭିତରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରତି ବୁଥରେ ହଜାର ଜଣ ମତଦାତା ଭୋଟ ଦେଇ ପାରିବେ । ତେବେ ଏହି ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ। ସମସ୍ତେ ଡବଲ ଡୋଜ ଭ୍ୟାକ୍ସିନ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ସମସ୍ତେ ଆସିବା ବେଳେ ସାର୍ଟିଫିକେଟ ନେଇ କି ଆସିବେ ବୋଲି କୁହାଯାଇଛି। ଭୋଟର ଆଇକାର୍ଡ ପରେ ୧୧ଟି ଅନ୍ୟ ଆଇଡି ଦେଖାଇ ଲୋକମାନେ ଭୋଟ ଦେଇ ପାରିବେ। ପ୍ରତ୍ୟେକ ଭୋଟରଙ୍କୁ ହ୍ୟାଣ୍ଡ ଗ୍ଲୋବ୍ ଦିଆଯିବ। ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ। ଯେଉଁମାନଙ୍କର ତାପମାତ୍ରା ଅଧିକ ଥିବ ସେମାନଙ୍କୁ ଚିରକୁଟ ଦିଆଯାଇ ପଠାଯିବ। ଶେଷ ଘଣ୍ଟାରେ ସେମାନେ ଆସି ଭୋଟ ଦେବେ। ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।
ନିର୍ବାଚନ ପ୍ରଚାର ସମୟରେ ଆସିଥିବା ଆଚରଣ ବିଧିର ଉଲ୍ଲଂଘନର ତିନିଟି ଅଭିଯୋଗର ତଦନ୍ତ କରାଯାଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ୫ ହଜାର ଟଙ୍କା ଜରିମାନା ବି ଆଦାୟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/CEO-Sushil-Kumar-Lohani.jpg)