କୋଭିଡ୍ ପରିସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଖୁବ୍‌ ଶୀଘ୍ର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ

ତରୁଣ ଓ କରୋନା ଯୋଦ୍ଧାଙ୍କ ଟିକାକରଣ ମିସନ୍‌ ମୋଡ୍‌ରେ ହେଉ

ନୂଆଦିଲ୍ଲୀ : ଦେଶବ୍ୟାପୀ ତୃତୀୟ ଲହରରେ କୋଭିଡ୍‌ର ଦ୍ରୁତ ସଂକ୍ରମଣ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସମେତ କୋଭିଡ୍‌ ମୁକାବିଲା ସମ୍ବନ୍ଧିତ ବିଭିନ୍ନ ଏଜେନ୍ସିର ଶୀର୍ଷ ଅଧିକାରୀମାନେ ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକରେ ସତର୍କତା ଅବଲମ୍ବନ କରିବା ହିଁ ସୁରକ୍ଷାର ଏକମାତ୍ରା ରାସ୍ତା ବୋଲି କହିବା ସହ କୋଭିଡ୍‌ ପ୍ରୋଟକଲ ପାଳନ ଉପରେ ଗୁରୁତ୍ବ ଦେଇଥିଲେ। ସମସ୍ତେ କୋଭିଡ୍‌ ପ୍ରୋଟୋକଲ ମାନିବା ଏବଂ ମାସ୍କ ପିନ୍ଧିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏବେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୦ ହଜାରରୁ ବଢ଼ି ୬ ଲକ୍ଷରେ ପହଞ୍ଚିବା ଚିନ୍ତାଜନକ ହୋଇଛି। ଆଗକୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ଟପିବା ସମ୍ଭାବନା ରହିଛି ଏବଂ ଏଭଳି ସ୍ଥିତିରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଚାପ ବଢ଼ିବ। ତେଣୁ ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁନିଶ୍ଚିତ କରିବା ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରୀୟ ଅଧିକାରୀମାନେ ରାଜ୍ୟମାନଙ୍କ ସହିତ ସମନ୍ବୟ ରକ୍ଷା କରି ଏ ଦିଗରେ କାମ କରିବେ। କୋଭିଡ୍‌ କ୍ଲଷ୍ଟରଗୁଡ଼ିକରେ ସତର୍କତା ପଦକ୍ଷେପ ଯେଭଳି କଡ଼ାକଡ଼ି ଭାବେ ଲାଗୁ ହେବ ତାହା ସୁନିଶ୍ଚିତ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ବୈଠକରେ ଅଧିକାରୀମାନଙ୍କୁ କହିଛନ୍ତି। ୧୫ରୁ ୧୮ ଆୟୁବର୍ଗର ପିଲାଙ୍କ ପାଇଁ ଚାଲିଥିବା ଟିକାକରଣ ଏବଂ ଆସନ୍ତାକାଲିଠାରୁ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କର୍ମୀଙ୍କ ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ମିସନ୍‌ ମୋଡ୍‌ରେ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କୋଭିଡ୍ ପରିସ୍ଥିତି ନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି।

ବିଭିନ୍ନ ରାଜ୍ୟରେ ସଂକ୍ରମଣ ସ୍ଥିତି ଏବଂ ସୁରକ୍ଷା ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅଧିକାରୀମାନେ ତଥ୍ୟ ଅବଗତ କରାଇଥିଲେ। ଏବେ ଦିଲ୍ଲୀ ଏବଂ ମୁମ୍ବାଇ ସମେତ ବିଭିନ୍ନ ବଡ଼ ସହରରେ ସଂକ୍ରମଣ ସ୍ଥିତି ଅତି ଉଦ୍‌ବେଗଜନକ ରହିଥିବାରୁ ବୈଠକରେ ଏ ନେଇ ମଧ୍ୟ ଆଲୋଚନା ହୋଇଛି। ବିଗତ ୧୫ ଦିନ ମଧ୍ୟରେ ଦେଶରେ ସଂକ୍ରମଣ ଅତି ଦ୍ରୁତ ହୋଇଥିବା ବେଳେ ଗତକାଲି ନିର୍ବାଚନ କମିସନ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର