ଭଞ୍ଜନଗର ଉପଖଣ୍ଡର ୧୭୩ ବିଦ୍ୟାଳୟ ବନ୍ଦ ପାଇଁ ପ୍ରସ୍ତାବ, ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେବେ ଦୁର୍ଗମ ଇଲାକାର ଛାତ୍ରଛାତ୍ରୀ!

ଭଞ୍ଜନଗର: ରାଜ୍ୟ ସରକାର ପୂର୍ବରୁ ୧୦ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ୍‌କୁ ବନ୍ଦ କରି ନିକଟସ୍ଥ ସ୍କୁଲରେ ମିଶାଇଥିଲେ। ବର୍ତ୍ତମାନ ରାଜ୍ୟର ୨୦ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତାଲିକା ଗଣ ଶିକ୍ଷା ବିଭାଗ ସଂଗ୍ରହ କରିଛି। ସମ୍ଭବତଃ ୨୦ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ଏହି ସବୁ ସ୍କୁଲ ବନ୍ଦ ହେବା ନେଇ ପ୍ରକ୍ରିୟା ଆରମ୍ଭ ସରକାର କରିଛନ୍ତି। ଏହି ପରିପ୍ରେକ୍ଷିରେ ଗଞ୍ଜାମ ଜିଲ୍ଲାର ୪୩୦ଟି ସ୍କୁଲ୍‌ରେ ୨୦ ଜଣଙ୍କ ଠାରୁ କମ୍‌ ପିଲା ଥିବା ନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଛି।

ଏଥି ମଧ୍ୟରୁ ଭଞ୍ଜନଗର ଉପଖଣ୍ଡର ୧୭୩ ଟି ବିଦ୍ୟାଳୟ ରହିଥିବା ଜଣାପଡିଛି। ଭଞ୍ଜନଗର ଉପଖଣ୍ଡର ଜଗନ୍ନାଥପ୍ରସ‌ାଦ ବ୍ଳକ୍‌ର ସର୍ବାଧିକ ୪୩ ବିଦ୍ୟାଳୟର ନାମକୁ ପ୍ରସ୍ତାବରେ ସାମିଲ କରାଯାଇଛି। ଜଗନ୍ନାଥପ୍ରସାଦ ବ୍ଳକ୍‌ ସମେତ ଭଞ୍ଜନଗର ବ୍ଳକ୍‌ର ୩୪ ଟି, ସୋରଡ଼ାର ୨୪ ଟି, ଧରାକୋଟର ୧୭ ଟି, ଆସିକାର ୧୭ ଟି ତନମଧ୍ୟରୁ ୨ ଟିଏନ୍‌ଏସି ଅଞ୍ଚଳର, ବେଲଗୁଣ୍ଠାର ୧୬ ଟି ତନ୍ମଧ୍ୟରୁ ଏନ୍‌ଏସି ଇଲାକର ୩ଟି, ବୁଗୁଡ଼ାର ୧୦ଟି ତନ୍ମଧ୍ୟରୁ ଏନ୍‌ଏସିର ଗୋଟିଏ ଏବଂ ଶେରଗଡ ବ୍ଳକ୍‌ର ‌୧୨ଟି ସ୍କୁଲରେ ୨୦ ଜଣଙ୍କରୁ କମ୍‌ ଛାତ୍ରଛାତ୍ରୀ ଥିବା ନେଇ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରାଯାଇଛି।

ପୂର୍ବରୁ ରାଜ୍ୟ ସରକାର ୧୦ ଜଣଙ୍କ ଠାରୁ କମ୍‌ ଛାତ୍ରଛାତ୍ରୀ ରହିଥିବା ବହୁ ସ୍କୁଲ୍‌କୁ ବନ୍ଦ କରାଯାଇଥିବା ବେଳେ ୨୦ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲର ତାଲିକା ପ୍ରସ୍ତୁତ ପରେ ଏହି ସବୁ ସ୍କୁଲ ମଧ୍ୟ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ‌ହୋଇଛି। ତେବେ ଏହି ସବୁ ତାଲିକା କେବଳ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ମାନଦଣ୍ଡରେ ନିଆଯାଇ ତାଲିକା ପ୍ରସ୍ତୁତ କରାଯାଇଥିଲେ। ବହୁ ଉପାନ୍ତ ଅଞ୍ଚଳ ଛାତ୍ରଛାତ୍ରୀ ପ୍ରାଥମିକ ଶିକ୍ଷା‌ରୁ ବଞ୍ଚିତ ହୋଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି ସବୁ ସ୍କୁଲ ବନ୍ଦ ହେଲେ ନିକଟସ୍ଥ କେଉଁ ସ୍କୁଲରେ ଏହି ସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଶାଯିବ ଏବଂ ଭ‌ୌଗଳିକ ଦୃଷ୍ଟି କୋଣରୁ ତାହା କେତେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାମାନଙ୍କୁ ସୁହାଇବ ତାହ ବର୍ତ୍ତମାନ ସୁଦ୍ଧା ଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଜଗନ୍ନାଥପ୍ରସାଦ, ସୋରଡ଼ା, ଧରାକୋଟ ଭଳି ଅନେକ ବ୍ଳକ୍‌ରେ ଥିବା ବହୁ ଦୁର୍ଗମ ଗ୍ରାମରେ ପ୍ରାଥମିକ ଶିକ୍ଷା ପାଇଁ ବିଦ୍ୟାଳୟ ରହିଛି। କିନ୍ତୁ ସେଥି ମଧ୍ୟରୁ ଅନେକ ସ୍କୁଲରେ  ୨୦ରୁ କମ୍‌ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଯଦି ସେମାନଙ୍କ ଗ୍ରାମରେ ଥିବା ସ୍କୁଲକୁ ବନ୍ଦ କରିଦିଆଯାଏ ତେବେ ସେମାନେ ଗ୍ରାମ ଠାରୁ ଦୂର ବିଦ୍ୟାଳୟକୁ ପାଠ ପଢିବା ଯାଇ ନପାରି ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସ୍କୁଲ ବନ୍ଦ କରିବା ପରେ ପିଲାଙ୍କ ଯିବା ଆସିବା ପାଇଁ ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଯୋଜନା ରଖିଛନ୍ତି। ତେବେ ଦୁର୍ଗମ ଇଲାକାରେ ରହୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ତାହ ବାସ୍ତବିକ ରୂପରେ ଫଳପ୍ରଦ ହେବ ନା ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଜିଲ୍ଲାରେ ଥିବା ଦୁର୍ଗମ ଅଞ୍ଚଳରେ ଥିବା ବହୁ ବିଦ୍ୟାଳୟ ମଧ୍ୟରୁ ଗୋଟିଏ ହେଉଛି ଭଞ୍ଜନଗର ବ୍ଳକ୍‌ର କାଳିଆମ୍ବା ପ୍ରାଥମିକ ବିଦ୍ୟାଳୟ। କାଳିଆମ୍ବା ଗ୍ରାମଟି ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ଏହି ଗ୍ରାମରେ ଥିବା ବିଦ୍ୟାଳୟରେ ୧୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ପ୍ରଥମ ଶ୍ରେଣୀରେ ୫ ଜଣ, ଦ୍ବିତୀୟ ଶ୍ରେଣୀରେ ୩ ଜଣ,ତୃତୀୟ ଶ୍ରେଣୀରେ ୪ ଜଣ ଏବଂ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀରେ ୨ ଜଣ ଲେଖାଏଁ ରହିଛନ୍ତି। ଯଦି ଏହି ସ୍କୁଲ୍‌ଟିକୁ ବନ୍ଦ କରିଦିଅ‌ଯାଏ ତେବେ ପିଲାମାନଙ୍କୁ ୭ କିମି ଦୂର ମଳାସପଦରକୁ ଯିବାକୁ ପଡିବ। ଏହି ରାସ୍ତା ମଧ୍ୟରେ ୪ କିମି କେବଳ ଘଞ୍ଚ ଜଙ୍ଗଲ ରହିଥିବା ବେଳେ ବାଟରେ ଥିବା ଏକ କେନାଲ୍‌ରେ ବର୍ଷଦିନେ ପ୍ରବଳ ପାଣି ଆସିବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଥାଏ। ପୁଣି ପ୍ରତିଦିନ ଏହି ଜଙ୍ଗଲ ରାସ୍ତାରେ ସରିସୃପ ଓ ବିଷଧର ଜନ୍ତୁ ମାନଙ୍କ ମଧ୍ୟ ଭୟ ରହିଛି। ଏଭଳି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ଯିବା ଆସିବା କରିବା ବିପଦ ପୂର୍ଣ୍ଣ। ଏଭଳି ସ୍ଥତିରେ ସ୍କୁଲକୁ ବନ୍ଦ ନକରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି। ତେଣୁ ଏଭଳି  ଉପାନ୍ତ ଇଲାକାରେ ଥିବା ସ୍କୁଲ ଗୁଡ଼ିକ ପ୍ରତି ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇ ବନ୍ଦ ନିଷ୍ପତି ବଦଳାଇଥିଲେ ସେହି ଅଞ୍ଚଳ ଛାତ୍ରଛାତ୍ରୀ ମାନ‌େ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ‌ହୋଇନଥାନ୍ତ‌େ।

 

 

 

 

 

 

 

 

ସମ୍ବନ୍ଧିତ ଖବର