ବାଲେଶ୍ବରରେ ସମର୍ଥନ, ଭୁବନେଶ୍ବରରେ ବିରୋଧ: ସିଏଏକୁ ବିରୋଧ କରି ବାଣୀବିହାରରେ ଶାହା ଓ ମୋଦୀଙ୍କ କୁଶପୁତ୍ତଳିକା ଦାହ କଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏ ନେଇ ଅନେକ ପ୍ରାଣ ହରାଇ ସାରିଥିବା ବେଳେ ଏହା ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଆଜି ଓଡ଼ିଶ‌ାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଭୁବନେଶ୍ବରର ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ନାରେ  ଛାତ୍ର କଂଗ୍ରେସ ସିଏଏ ବିରୋଧରେ ବିକ୍ଷୋଭ କରିଥିବା ବେଳେ ଜାତୀୟ ରାଜପଥରେ ଗୃହମନ୍ତ୍ରୀ ଅମିତ ଶାହା ଓ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରିଥିଲା। କିଛି ସମୟ ପାଇଁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ପୁଲିସ ଆସି ସେମାନଙ୍କୁ ଘଉଡ଼ାଇଥିଲା ବୋଲି ଜଣା ପଡ଼ିଛି। ଅନ୍ୟପକ୍ଷରେ ବାଣପୁର ଓ ବାଉଗାଁରେ ମଧ୍ୟ ସିଏଏ ବିରୋଧୀ ବିକ୍ଷୋଭ ଦେଖିବାକୁ ମିଳିଛି।

ଭୁବନେଶ୍ବରରେ ସିଏଏକୁ ବିରୋଧ କରାଯାଇଥିଲେ ବାଲେଶ୍ବରରେ ଏହାକୁ ସମର୍ଥନ କରାଯାଇଛି। ସିଏଏକୁ ସମର୍ଥନ କରି ରାଜ୍ୟରେ ଏନ୍ଆରସି ଲାଗୁ କରିିବା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ବର ଶାଖା ପକ୍ଷରୁ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ବିଭିନ୍ନ ମହାବିଦ୍ୟାଳୟ, ଡିଗ୍ରି କଲେଜ ଓ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀମାନେ ବିଶାଳ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରାରେ ଜିଲ୍ଲା ସଂଯୋଜକ ରତନ କୁମାର ପାତ୍ରଙ୍କ ନେତୃତ୍ବରେ ୧୦ଟି ବ୍ଲକରୁ ଛାତ୍ର-ଛାତ୍ରୀମାନେ ଆସି ଶୋଭାଯାତ୍ରାରେ ଯୋଗ ଦେଇଥିଲେ।

ଶୋଭାଯାତ୍ରା ପରେ ଜିଲ୍ଲା ପ୍ରମୁଖ ଅଧ୍ୟାପକ ପ୍ରତ୍ୟୁଷ କୁମାର ବେହେରାଙ୍କ ନେତୃତ୍ବରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବ୍ଲକ ସଂଯୋଜକ ଓ ନଗର ସଂପାଦକମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ଦେଇଛନ୍ତି। ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କୁହାଯାଇଛି କି, ଦୀର୍ଘଦିନ ଧରି ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧାର୍ମିକ ଆଧାରରେ ନିର୍ଯ୍ୟାତନାର ଶିକାର ହୋଇ ଭାରତରେ ଶରଣ ନେଇଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ପାଇଁ ଏହା ଏକ ବରଦାନ। ଏହି ‌ଆଇନ ଦେଶ ବିରୋଧୀ କି ଦେଶର କୌଣସି ମୁସଲମାନଙ୍କ ବିରୋଧୀ ନୁହେଁ। ହେଲେ କିଛି ନିର୍ଦ୍ଦିଷ୍ଟ ଦଳ ନିଜର ରାଜନୈତିକ ସୁବିଧା ପାଇଁ ଅପପ୍ରଚାର ଓ ହିଂସା ବଢ଼ାଉଛନ୍ତି। ଏହା ସହ ଓଡ଼ିଶା ଭଳି ରାଜ୍ୟରେ ଏନ୍ଆରସିର ନିତାନ୍ତ ଆବଶ୍ୟକ ରହିଛି ବୋଲି କହିଛନ୍ତି ରାଜ୍ୟ ସହ ସଂପାଦକ ଲକ୍ଷ୍ମୀନାରାୟଣ ନାୟକ।

ସମ୍ବନ୍ଧିତ ଖବର