ରଥଖଳା ଚଳଚଞ୍ଚଳ: ଚଉଦ ନାହାକା, ଦଣ୍ଡା କାମ ଜାରି

ପୁରୀ : ରଥଖଳାରେ ତିନି ରଥର ଗରଗରା, ଚଉଦ ନାହାକା, ଚାରି ନାହାକା ଓ ପାଞ୍ଚ ଦଣ୍ଡା ନିର୍ମାଣ ଆଗେଇ ଚାଲିଛି। ତାଳଧ୍ୱଜ ରଥର ଦୁଇଟି ଗରଗରାର ନିର୍ମାଣ ଶେଷ ପରେ ଏହାର ଉଭୟ ପାର୍ଶ୍ୱ ବିନ୍ଧ କାର୍ଯ୍ୟ ବାକି ରହିଛି। ୪ଟି ଚାରି ନାହାକାର ନିର୍ମାଣ ଶେଷ ହୋଇଛି। ୧୧ଟି ଚଉଦ ନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇ ବାକି ତିନିଟି ଚଉଦ ନାହାକାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୩ଟି ଦଣ୍ଡାର ନିର୍ମାଣ ଶେଷ ହୋଇଥିବା ବେଳେ ଆଉ ଦୁଇଟି ଦଣ୍ଡାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇଟି ପାର୍ଶ୍ୱ ଦଣ୍ଡାରୁ ଗୋଟିକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ଦର୍ପଦଳନ ରଥର ଦୁଇଟି ଗରଗରାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଆଜି ଦୁଇଟି ଗରଗରାର ଉଭୟ ପାର୍ଶ୍ୱରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ୩ଟି ଚାରି ନାହାକା ନିର୍ମାଣ ଶେଷ ହୋଇଥିବା ବେଳେ ଚତୁର୍ଥ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇ ଆଠ କୋଣି କାମ ବାକି ରହିଛି। ୧୨ଟି ଚଉଦ ନାହାକାର ନିର୍ମାଣ ଶେଷ ହୋଇଛି। ଆଉ ଦୁଇଟିର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୩ଟି ପାଞ୍ଚ ଦଣ୍ଡା ନିର୍ମାଣ ଶେଷ ହୋଇଥିବା ବେଳେ ଆଜି ଆଉ ଦୁଇଟିର ଚଉପଟ କାର୍ଯ୍ୟ ଜାରି ରହିଛି। ଦୁଇଟି ପାର୍ଶ୍ବ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି।

ନନ୍ଦିଘୋଷ ରଥର ଦୁଇଟି ଗରଗରାର ନିର୍ମାଣ ଓ ଦୁଇପାର୍ଶ୍ବ ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଗତକାଲି ସୁଦ୍ଧା ଦୁଇଟି ଚାରି ନାହାକା ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ଗୋଟିଏ ଚାରି ନାହାକା ନିର୍ମାଣ ଶେଷ ହୋଇଛି। ଶେଷ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି। ଆଠ କୋଣି ଆଂଶ କାର୍ଯ୍ୟ ଆସନ୍ତାକାଲି ଆରମ୍ଭ ହେବ। ନନ୍ଦ‌ିଘୋଷ ରଥର ଆବଶ୍ୟକ ୧୪ଟି ଚଉଦ ନାହାକା କାମ ଶେଷ ହୋଇଛି। ୬ଟି ଦଣ୍ଡା କାମ ଶେଷ ହୋଇଥିବା ବେଳେ ପଞ୍ଚମ ଦଣ୍ଡାର ଚଉପଟ କାର୍ଯ୍ୟ ଜାରି ରହିଛି। ଆଜି ଗୋଟିଏ ପାର୍ଶ୍ୱ ଦଣ୍ଡାର ଚଉପଟ ପାଇଁ ଚିତା କାର୍ଯ୍ୟ ଆରମ୍ଭ ହୋଇଛି। ରୂପକାର ସେବକମାନେ ସାଲଗୁକ, ତିଖଗୁଜରେ ରୂପ ଖୋଦେଇ ଜାରି ରଖିଛନ୍ତି। ତିନି ରଥର ଦୁଇଟି ଲେଖାଏଁ ତିଖ ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଜାରି ରହିଛି। କରତି ସେବକମାନେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଆଜି ଶେଷ କରିଛନ୍ତି। ଓଝା ସେବକମାନେ ତିନିରଥ ପାଇଁ ଆବଶ୍ୟକ ଦଣ୍ଡା ବିଡ଼ିଆ, ଅଗ ପାତେଳିରୁ ମୋଟ ୨୩୧ଟି କଣ୍ଟା ନିର୍ମାଣ ଶେଷ କରି ତିନି ରଥର ଯୋଖା କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର