ବାଲିଅନ୍ତା: ବେଆଇନ ଭାବେ ଚାଲିଥିବା ପିପିଲି ଥାନା ଅଧୀନ ସଂଘଳେଇ ଶାସନ ସ’ମିଲରେ ଅତର୍କିତ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହ ମୂଲ୍ୟବାନ କାଠଗଣ୍ଡି ଜବତ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣେ ବନ ବିଭାଗ ଅଧିକାରୀ ଜଣାଇଛନ୍ତି। ଆଜି ଅପରାହ୍‌ଣରେ ବାଳକାଟି ରେଞ୍ଜର ଜୟକୃଷ୍ଣ ଯଦୁମଣି ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଖୋର୍ଧା ଜିଲ୍ଲା ବନଖଣ୍ଡ, ବାଳକାଟିସ୍ଥିତ ବନ ବିଭାଗ ଓ ଡେଲାଙ୍ଗ ରେଞ୍ଜକୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ମିଳିତ ଚଢ଼ଉ ସମୟରେ ବହୁ ବନ ବିଭାଗ କର୍ମଚାରୀଙ୍କ ସହ ଉତ୍ତରା ଫାଣ୍ଡି ପୁଲିସ ଉପସ୍ଥିତ ଥିବା ସତ୍ତ୍ବେ ସ’ମିଲ ମାଲିକ ଓ କର୍ମଚାରୀ ଫେରାର ହୋଇଯିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ବାଳକାଟି ବନ ବିଭାଗ କାର୍ଯ୍ୟାଳୟରେ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ଏଥି ପୂର୍ବରୁ ବାଳକାଟି ଭାର୍ଗବୀ ନଦୀପଠା ଓ ଝିଣ୍ଟି ଶାସନରେ ବେଆଇନ ଭାବେ ଚାଲିଥିବା ଦୁଇଟି ସ’ମିଲରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ୧୦ ଲକ୍ଷରୁ ଅଧିକ ଟଙ୍କାର ଯନ୍ତ୍ରାଂଶ, କାଠ ଓ ଟ୍ରାକ୍ଟର ଜବତ କରିଥିଲା।