ଅହମଦାବାଦ: ଗୁଜରାଟରେ ଦୁଇଦିନ ହେଲା ପ୍ରବଳ ବର୍ଷା ହେଉଛି। ଗତ ୩୦ ଘଣ୍ଟା ମଧ୍ୟରେ ଗୁଜରାଟ ୨୦୦ ମିମି ବର୍ଷାଜଳ ଗ୍ରହଣ କରିଛି। ଅନ୍ୟପକ୍ଷେ ବର୍ଷାଜନିତ କାରଣ ପାଇଁ ରାଜ୍ୟରେ ଗତ ୨ ଦିନ ମଧ୍ୟରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଗୁଜରାଟର ବିଭିନ୍ନ ଜିଲ୍ଲାରେ ଆସନ୍ତାକାଲି ଏବଂ ରବିବାର ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍ଡି ଆକଳନ କରିଛି। ବର୍ଷା ଯୋଗୁଁ ଗୁଜରାଟର ଜୁନାଗଡ଼, ଜାମନଗର, ମୋର୍ବି, କଚ୍ଛ, ସୁରଟ ଏବଂ ତାପି ଜିଲ୍ଲାରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସହର ଜଳମଗ୍ନ ହୋଇଯାଇଛି।
ଗ୍ରାମୀଣ ଅଞ୍ଚଳରେ ରାସ୍ତାଘାଟ ବନ୍ଦ ରହିଛି। ଏସ୍ଇଓସି (ଷ୍ଟେଟ୍ ଏମର୍ଜେନ୍ସି ଅପରେସନ୍ସ ସେଣ୍ଟର)ର ତଥ୍ୟ ଅନୁଯାୟୀ ରାଜ୍ୟର ୪୦ରୁ ଅଧିକ ଗ୍ରାମ ଜଳବନ୍ଦୀ ସ୍ଥିତିରେ ରହିଛି। ଗତ ୨ ଦିନ ମଧ୍ୟରେ ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୯ ଜଣଙ୍କ ମୃତ୍ୟୁ ହୋଇଛି। ପଞ୍ଚମହଲ ଜିଲ୍ଲାରେ ଗତକାଲି ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଆନନ୍ଦରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତଙ୍କର କାନ୍ଥ ପଡ଼ି ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଜାମନଗର ଏବଂ ଆରାବଳି ଜିଲ୍ଲାରେ ୨ ଜଣଙ୍କର ବନ୍ୟା ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।