ଧଉଳିରେ ରଜ ମହୋତ୍ସବ

ଧଉଳି: ଧଉଳି ପାଦଦେଶରେ ରଜ ମହୋତ୍ସବ ଧୁମ୍‌ଧାମରେ ଆରମ୍ଭ ହୋଇଛି। ୩ଦିନ ବ୍ୟାପୀ ଏଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପିଲାଙ୍କ ମନୋରଞ୍ଜନ ପାଇଁ ମୀନାବଜାର ଖୋଲିଛି।
ଓଡ଼ିଶା ଟୁରିଷ୍ଟ ଗାଇଡ୍‌ ଆସୋସିଏସନ ପକ୍ଷରୁ ପାନ୍ଥିକା ପରିସରରେ ରଜ ମହୋତ୍ସବ ଆରମ୍ଭ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭାରତୀୟ ପର୍ଯ୍ୟଟନ ବିଭାଗର ସୂଚନା ଅଧିକାରୀ ଜଗନ୍ନାଥ ବେହେରା, ଓଡ଼ିଶା ପର୍ଯ୍ୟଟନ ବିଭାଗ ଉପନିର୍ଦ୍ଦେଶକ ସରୋଜ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ।

ସେହିଭଳି ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ବହିରଙ୍ଗେଶ୍ବର ମନ୍ଦିର ନିକଟରେ ଅନୁଷ୍ଠିତ ଉତ୍ସବରେ ମନ୍ତ୍ରୀ ଶ୍ରୀ ପଣ୍ଡା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ସରପଞ୍ଚ ଚନ୍ଦନ ମଲ୍ଲିକ, ହରେକୃଷ୍ଣ ସାହୁ, ପୂର୍ବତନ ସମିତି ସଭ୍ୟ ଭଗବାନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଂପାଦକ କୃଷ୍ଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏକାମ୍ର ଗ୍ରାମୀଣ ଛ’ ପଞ୍ଚାୟତ ଯୁବ ସଂଗଠନ ପକ୍ଷରୁ ଆୟୋଜିତ ମହୋତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିଲେ। ଗୋପୀନାଥପୁର ମେଳଣ ପଡ଼ିଆରେ କଳିଙ୍ଗ ସୁରକ୍ଷା ଐତିହ୍ୟ ସୁରକ୍ଷା ମଞ୍ଚ(କାପୋକ) ଏବଂ ମା’ ଦକ୍ଷିଣଚଣ୍ଡୀ ମହିଳା ମହାସଂଘ ପକ୍ଷରୁ ରଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ କାପୋକ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ବରମୁଣ୍ଡା ରଜ ମହୋତ୍ସବର ଦ୍ବିତୀୟ ଦିନ

ଭୁବନେଶ୍ବର: ତେଜସ୍ବିନୀ ମିସନ୍‌ ଶକ୍ତି ମହିଳା ମହାସଂଘ ଓ ତ୍ରିଶକ୍ତି ମହିଳା ପରିଷଦ ପକ୍ଷରୁ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ରଜ ମହୋତ୍ସବର ଦ୍ବିତୀୟ ଦିନରେ ବେଶ୍‌ ଭିଡ଼ ଦେଖିବା ପାଇଁ ମିଳିଥିଲା। ଏଠାରେ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ପିଠା ପଣା, ପାନ ଓ ବିଭିନ୍ନ ଖାଦ୍ୟର ଚାହିଦା ଦେଖିବାକୁ ମିଳିଛି। ତେବେ ଏଠାରେ ମୁଖ୍ୟ ଆକର୍ଷଣ ଥିଲା ଦୋଳି ଖେଳ। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମରେ ନୂଆ ପୁରୁଣା ଗୀତ ସହ ନୃତ୍ୟର ଆସର ବେଶ୍ ଜମିଥିଲା।

ଦ୍ବିତୀୟ ସଂଧ୍ୟାରେ ଅତିଥି ଭାବେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ସମାଜସେବୀ କସ୍ତୁରୀ ମହାପାତ୍ର, ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ସଂଯୁକ୍ତା ମହଲ, ବିଏମ୍‌ସି ୫୨ ନମ୍ବର ୱାର୍ଡ କର୍ପୋରେଟର ଧୀରେନ୍ଦ୍ର ବେହେରା, ୫୦ ନମ୍ବର ୱାର୍ଡର ପୂ୍ର୍ବତନ କର୍ପୋରେଟର ଇଂ ସୁଜିତ୍‌ ସ୍ବାଇଁ, ୫୫ ନମ୍ବର ୱାର୍ଡ କର୍ପୋରେଟର ସୀମା ନାୟକ, ୬୩ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ରୁନୁ ଜେନା, ବିପିସି ଗଙ୍ଗୋତ୍ରୀ ପ୍ରିୟଦର୍ଶନୀ ପ୍ରମୁଖ ଯୋଗ ଦେଇଥିଲେ। ତ୍ରିଶକ୍ତି ମହିଳା ପରିଷଦର ସଂପାଦିକା ସଂଯୁକ୍ତା ଭୂତିଆ ସଂପାଦକୀୟ ବିବରଣୀ ପାଠ କରିଥିଲେ। ମହିଳା ସଂଘର ସଭାନେତ୍ରୀ ମହାମାୟା ସ୍ବାଇଁ ସ୍ବାଗତ ଭାଷଣ ଓ କୋଷାଧ୍ୟକ୍ଷା ବୀଣାପାଣି ଶତପଥୀ ଧନ୍ୟବାଦ ଦେଇଥିଲେ। ସଂଘର ସଦସ୍ୟା ସତ୍ୟଭାମା ଖୁଣ୍ଟିଆ, ନାରାୟଣୀ ମିଶ୍ର, ରାଜଲକ୍ଷ୍ମୀ ନାୟକ, ମମତା ରାଣୀ ଜେନା, ଅନ୍ନପୂର୍ଣ୍ଣା ବାରିକ, ଲକ୍ଷ୍ମୀ ଭୋଇ, ରେଣୁବାଳା ଦାସ, ସସ୍ମିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରଜ ଉତ୍ସବରେ ‘ଦାରୁ ଦିଅଁ’ ଉନ୍ମୋଚିତ

ବାଲିପାଟଣା: ଆଜି ବାଲିପାଟଣା ଶିଶୁ ଅନନ୍ତଙ୍କ ପୀଠରେ ମହା ଆଡ଼ମ୍ବରରେ ରଜ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମହିଳାମାନଙ୍କ ମଧ୍ୟରେ ହୋଇଥିବା ହୁଳହୁଳି ପ୍ରତିଯୋଗିତା ସହ ଅଳତା ଲଗାଇବା, କାନ୍ଦଣା, ଝୋଟି ପକାଇବା, ପାନ ଭଙ୍ଗା ଆଦି ପ୍ରତିଯୋଗିତା ବେଶ୍ ଆକର୍ଷଣୀୟ ହୋଇଥିଲା। ତେବେ କାନ୍ଦଣା ପ୍ରତିଯୋଗିତା ଥିଲା ସବୁଠୁ ବେଶି ମନମୁଗ୍‌ଧକର। ଏହି ଅବସରରେ ଅତିଥିମାନେ ଆଧ୍ୟାତ୍ମିକ ପତ୍ରିକା ‘ଦାରୁଦିଅଁ’ ଉନ୍ମୋଚନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅରବିନ୍ଦ ଢାଲି ଯୋଗ ଦେଇଥିବା ବେଳେ ବିଶିଷ୍ଟ ସଂଳାପ ଲେଖକ ଅଧ୍ୟାପକ ରଜନୀ ରଞ୍ଜନ ଦାଶ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଲେଖକ ତଥା ସମାଲୋଚକ ତ୍ରିନାଥ ପଟ୍ଟନାୟକ, ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼, ଗବେଷକ ହଂସନାଥ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ନଳିନୀ ବେହେରା, ଉଦ୍ୟୋଗପତି ରଶ୍ମିରଞ୍ଜନ ବଳିୟାରସିଂହ, ଜ୍ୟୋତିର୍ବିଦ୍‌ ହରିହର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଝୋଟି ପ୍ରତିଯୋଗିତାରେ ନିଷ୍ଠା ପ୍ରିୟଦର୍ଶିନୀ, ହୁଳହୁଳିରେ ସବିତା ତ୍ରିପାଠୀ, କାନ୍ଦଣାରେ କାଞ୍ଚନ ଦେଇ ଓ ଅଳତା ଲଗାରେ ଆରତି ବେହେରାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବକୁ କବି ବିପିନ ମହାନ୍ତି, ଭଗବାନ ସାହୁ ଓ ଅଭିମନ୍ୟୁ ନାୟକ ପରିଚାଳନା କରିଥିଲେ। ପତ୍ରିକା ‘ଦାରୁଦିଅଁ’ର ସମ୍ପାଦକ ଦେବେନ୍ଦ୍ର ନାଥ ସେନାପତି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅଧ୍ୟାପକ ମୁରଲୀଧର ସାହୁ, ଶିଶୁ ଅନନ୍ତ ସ୍ମୃତି ସଂସଦ ସଂପାଦିକା ତନୟା ଦାସ ଗୋସ୍ୱାମୀ, ରାଧାକାନ୍ତ ମହାନ୍ତି, ଦିଲ୍ଲୀପ କୁମାର ଓଝା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବାଲିପାଟଣା ଅଞ୍ଚଳର ୧୫ ଜଣ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା।

ନୀଳଚକ୍ର ପକ୍ଷରୁ ରଜ ମହୋତ୍ସବ

ଭୁବନେଶ୍ୱରdsa: ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ହାଇଟ୍ସରେ ତିନି ଦିନିଆ ରଜ ମହୋତ୍ସବ ପାଳିତ ହେଉଛି। ଉତ୍ସବ ଅବସରରେ ପିଲାମାନଙ୍କ ଦ୍ୱାରା ନାଚ ଓ ଗୀତ ପରିବେଷଣ କରାଯାଇଥିଲା। ଏଥିସହ ଏଠାରେ ବସବାସ କରୁଥିବା ପରିବାରର ଗୃହିଣୀମାନଙ୍କ ଦ୍ୱାରା ଓଡିଶାର ପାରମ୍ପରିକ ଖାଦ୍ୟ ଯଥା ଚକୁଳି, ପୋଡ଼ପିଠା, କ୍ଷୀର ପିଠା, ଓଡ଼ିଆ ଡାଲମା, ଖଜା, ଖାସି ମାଂସ, ମୁଢ଼ି, କୁକୁଡ଼ା ମାଂସ ଝୋଳ ଆଦି ପ୍ରସ୍ତୁତ ହେଉଛି। ଆଜି ରଜର ଦ୍ବିତୀୟ ଦିନରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରଜର ଶେଷ ଦିନ ଓଡିଶୀ, ସମ୍ବଲପୁରୀ ଓ ଡାଲଖାଇ ନୃତ୍ୟ ପ୍ରଦର୍ଶିତ ହେବ। ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବା ଏହି ଉତ୍ସବ ଆୟୋଜନର ମୁଖ୍ୟ ଲକ୍ଷ୍ୟ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର