ହଲିଉଡ୍‌ରେ ପାଦ ଥାପିଲେ ରଣଦୀପ ହୁଡ୍ଡା, କ୍ରିସ୍ ହେମ୍ସ‌ୱାର୍ଥଙ୍କ ସହ ନଜର ଆସିବେ

ମୁମ୍ବାଇ:  ନିଜର ଦମ୍‌ଦାର ଅଭିନୟ ପାଇଁ ହିନ୍ଦୀ ସିନେମା ଜଗତରେ ଖୁବ୍ ସୁନାମ ଅର୍ଜନ କରିଥିବା ଅଭିନେତା ରଣଦୀପ୍ ହୁଡ୍ଡା ନେଟ୍‌ଫ୍ଲିକ୍ସ୍‌ର ଇଂରାଜୀ ଚଳଚ୍ଚିତ୍ର ‘ଏକ୍ସଟ୍ରାକ୍ସନ୍’ରେ ତାଙ୍କର ହଲିଉଡ଼ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା କ୍ରିସ୍ ହେମ୍ସ‌ୱାର୍ଥ। ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶକ ସ୍ୟାମ୍ ହାର୍‌ଗ୍ରେଭ ମଧ୍ୟ ଏହି ଚଳଚ୍ଚିତ୍ର ସହିତ ନିର୍ଦ୍ଦେଶନା ଜଗତରେ ନିଜର ଡେବ୍ୟୁ କରିବେ। ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ବିଖ୍ୟାତ ନିର୍ଦ୍ଦେଶକ ଜୋ ରୁଷୋ, ଯିଏ କି ବ୍ଲକ୍‌ବଷ୍ଟର୍ ଚଳଚ୍ଚିତ୍ର ‘ଆଭେନ୍‌ଜର୍ସ: ଦ ଏଣ୍ଡଗେମ୍’ର ନି‌ର୍ଦ୍ଦେଶକ ଅଟନ୍ତି। ‘ଏକ୍ସଟ୍ରାକ୍ସନ୍’ ଆସନ୍ତା ଏପ୍ରିଲ୍ ୨୪ ତାରିଖରେ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ। ଏହି ହଲିଉଡ୍‌ ଚଳଚ୍ଚିତ୍ର ବ୍ୟତିତ ରଣଦୀପ, ସଲ୍‌ମନ୍ ଖାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ରାଧେ’ରେ ଖଳନାୟକ ଭୂମିକାରେ ନଜର ଆସିବେ। ‘ରାଧେ’ ଚଳିତ ବର୍ଷ ଇଦ୍‌ରେ ମୁକ୍ତିଲାଭ କରିବ।

ନିଜର ହଲିଉଡ୍ ପ୍ରବେଶ ନେଇ ରଣଦୀପ କହନ୍ତି, ‘ଏହି ଚଳଚ୍ଚିତ୍ରରେ ମୋର ବହୁତ ଆକସନ୍ ସିନ୍ ରହିଛି। ମୁଁ ହୁଏତ ହଲିଉଡ୍ ସିନେମାରେ ଏଭଳି ଆକସନ୍ ଅଭିନୟ କରିଥିବା ପ୍ରଥମ ଭାରତୀୟ ଅଭିନେତା ହେବି। ହଲିଉଡ୍ ତାରକା କ୍ରିସ୍ ହେମ୍ସ‌ୱାର୍ଥ ଓ ଋଷୋ ବ୍ରଦର୍ସଙ୍କ ସହିତ କାମ କରି ମୁଁ ବହୁତ ଆନନ୍ଦ ପାଇଛି। ବିଶେଷ କରି  ନିର୍ଦ୍ଦେଶକ ସ୍ୟାମ୍ ହାର୍‌ଗ୍ରେଭଙ୍କ ସହ କାମ କରିବାର ଅନୁଭୂତି ନିଆରା।’

ସମ୍ବନ୍ଧିତ ଖବର