ରାୟଗଡ଼ା ଚଇତି ମହୋତ୍ସବରେ ଦେଖାଗଲା ଭାଇଚାରାର ଦୃଶ୍ୟ: ବାଜା ବଜାଇଲେ ମନ୍ତ୍ରୀ, ନାଚିଲେ ବିଧାୟକ

ଦର୍ଶକଙ୍କୁ ଲୋକଗୀତ ଗାଇ ଶୁଣାଇଲେ ପଦ୍ମଶ୍ରୀ ହଳଧର ନାଗ

ରାୟଗଡ଼ା: ଶେଷହୋଇଛି ରାୟଗଡ଼ାର ଲୋକ ମହୋତ୍ସବ ଚଇତି। ଲୁକ୍କାୟିତ କଳା ଓ ସଂସ୍କୃତିକୁ ଲୋକ ଲୋଚନକୁ ଆଣିବା ପାଇଁ ଚଇତି ଏକ ନିଆରା ପ୍ରୟାସ। ଚଇତିରେ ସାମିଲ ହୋଇ ବହୁ ନୃତ୍ୟଶିଳ୍ପୀ ସେମାନଙ୍କ ନୃତ୍ୟ ପରିବେଷଣ କରିଥିବା ବେଳେ ବାଜା ବଜାଇ ନାଚିଲେ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀ। ଏହି ଦୃଶ୍ୟ ଉପସ୍ଥିତ ଦର୍ଶକଙ୍କୁ ଆମୋଦିତ କରିଥିଲା।

ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଚଇତି ମହୋତ୍ସବର ଉଦଯାପନୀ ସଂଧ୍ୟାରେ ସାମିଲ ହୋଇଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ପଦ୍ମିନୀ ଦିୟାନ୍‌, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ପଦ୍ମଶ୍ରୀ ହଳଧର ନାଗ। ହଳଧର ନାଗ ଆଦିବାସୀ ଲୋକ ସଂଗୀତ ଗାନ କରିଥିବା ବେଳେ ମଂଚରେ ନାଚିଥିଲେ ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ।

ରାୟଗଡ଼ା ଜିସିଡି ପଡିଆରେ ୫ଦିନ ଧରି ଚାଲିଥିବା ଚଇତି ମହୋତ୍ସବର ମୁଖ୍ୟ ଉଦେଶ୍ୟ ହେଉଛି ସମୟ କ୍ରମେ ଲୁଚି ଯାଉଥିବା କଳା ସଂସ୍କୃତିକୁ ପୁଣି ଥରେ ଲୋକ ଲୋଚନକୁ ଆଣିବା। ଚଇତିର ଶେଷ ସଂଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଥିଲା ଓଡିଶୀ ନୃତ୍ୟ, ଢେମସା, ଆଦିବାସୀ ନୃତ୍ୟ, ଛଉ ନୃତ୍ୟ ଓ ଆସାମର ବିହୁ ନୃତ୍ୟ।

ଚଇତି ମହୋତ୍ସବକୁ ମନ ଭରି ଉପଭୋଗ କରିଥିବା ଦର୍ଶକ ମହୋତ୍ସବ ପଡ଼ିଆରେ ପଡ଼ିଥିବା ଖାଦ୍ୟ ମେଳାର ବି ଫାଇଦା ଉଠାଇଛନ୍ତି। ମେଳା ବୁଲି ଚଟ୍‌ପଟା ଖାଦ୍ୟ ଖାଇବା ସହ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାର ପ୍ରସ୍ତୁତ ଘର କରଣା ଜିନିଷ କିଣାକିଣି କରିଛନ୍ତି।

ସମ୍ବନ୍ଧିତ ଖବର