ଭୁବନେଶ୍ୱର: ଓଲିଉଡର କମେଡି କିଙ୍ଗ୍ ପପୁ ପମ୍ପମ୍ଙ୍କୁ ନେଇ ସୋସିଆଲ୍ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ସେ ନିଜର କ୍ୟାରିଅର ପାଇଁ ଯେତିକି ଚର୍ଚ୍ଚିତ ହୋଇନାହାନ୍ତି,ତା’ଠାରୁ ଅଧିକ ଚର୍ଚ୍ଚା ସାଉଁଟିଛନ୍ତି ନିଜର ବ୍ୟକ୍ତିଗତ ଜୀବନକୁ ନେଇ।
ଏବେ ସୋସିଆଲ୍ ମିଡ଼ିଆରେ ପପୁ ପମ୍ପମ୍ଙ୍କର ମୃତ୍ୟୁ ଖବର ପ୍ରଚାରିତ ହୋଇଛି। ସେ କିଛି ଦିନ ତଳେ ନୂଆଦିଲ୍ଲୀର ଏମ୍ସଠାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ପୁଣିଥରେ ସେ ଏମ୍ସକୁ ଯାଇଥିବାବେଳେ ପପୁ ପମ୍ପମ୍ଙ୍କ ନାଆଁରେ ଅପପ୍ରଚାର ହୋଇଛି ଯେ ସେ କୁଆଡ଼େ ମୃତ।
ଏସଂପର୍କରେ ହାସ୍ୟାଭିନେତା ପପୁ ପମ୍ପମ୍ ତତ୍କ୍ଷଣାତ୍ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,ସେ ଏମ୍ସକୁ ନିୟମିତ ଚେକ୍ଅପ୍ ପାଇଁ ଆସିଥିଲେ। ସୋସିଆଲ୍ ମିଡିଆରେ ତାଙ୍କର ମୃତ୍ୟୁ ଗୁଜବ ଯେତେ ହେବ ,ତାଙ୍କର ଆୟୁଷ ସେତେ ବଢ଼ିଯିବ।ଗୁଜବକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ ବୋଲି ପପୁ ପମ୍ପମ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ,ସେ ଦର୍ଶକଙ୍କ ସହ ଥିଲେ ଓ ଏବେ ବି ଅଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ,ପପୁ ପମ୍ପମ୍ଙ୍କୁ ଦର୍ଶକ ଶେଷ ଥରଲାଗି ନିକଟରେ ରିଲିଜ୍ ହୋଇଥିବା ସବ୍ୟସାଚୀ-ଏଲିନା ଷ୍ଟାରର୍ ସିନେମା ‘ଟୋକାଟା ଫସିଗଲାରେ’ ଦେଖିବାକୁ ମିଳିଥିଲା।
ଓଲିଉଡ଼୍ର ଆଗଧାଡ଼ିର ଜଣେ କମେଡ଼ିଆନ୍ ହେଲେ ପପୁ ପମ୍ପମ୍। ଏ ବର୍ଷ ତାଙ୍କର ‘ସୁ ନ୍ଦରଗଡ଼ର ସଲମାନ୍ ଖାନ୍’ ଓ ‘ଦିଓ୍ଵାନା ହେଲି ତୋ’ ପାଇଁ’ ଭଳି ଦୁଇଟି ବିଗ୍ ବଜେଟ୍ ଫିଲ୍ମ ବି ରିଲିଜ୍ ହୋଇଛି।
ପପୁ ପମ୍ପମ୍ଙ୍କୁ ଦର୍ଶକ ଇତିମଧ୍ୟରେ ୨୦ରୁ ଅଧିକ ଓଡ଼ିଆ ଛବିରେ ଦେଖିସାରିଛନ୍ତି। ହେଲେ ତାଙ୍କ ଅଭିନୀତ ଦୁଇଟି ଓଡ଼ିଆ ସିନେମା ଅଟକି ରହିଛି।ଏଥି ମଧ୍ୟରୁ ଗୋଟିଏ ହେଲା‘ଜୋକର୍’ଓ ଅନ୍ୟଟି ‘ସୁରଦାସ’।
୨୦୧୫ରେ ପପୁ ପମ୍ପମ୍ ନାୟକ ଭୂମିକା ପାଇଥିଲେ ‘ଜୋକର୍’ସିନେମାରେ। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ଅଲରାଉଣ୍ଡର୍ ସଞ୍ଜୟ ନାୟକ। ଏଥିରେ ପପୁଙ୍କ ସହିତ ତମନ୍ନା,ଲିପ୍ସା ଓ ଦୁଷ୍ମନ୍ତ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମଟିର ନବେ ଭାଗ ସୁଟିଂ ସରିଛି,କିନ୍ତୁ ବାକି ସୁଟିଂ ହୋଇପାରୁ ନ ଥିବା ହେତୁ ତାହା ରିଲିଜ୍ ହୋଇପାରିନାହିଁ।