ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ଧର୍ମପୀଠ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଅକ୍ଟୋବର ମାସ ଲାଗି ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ୍‌‌ ଜୋନ୍ ବାହାରେ କେତେକ କାର୍ଯ୍ୟକଳାପ ପୂର୍ବପରି ବନ୍ଦ ରହିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ସର୍ବସାଧାରଣଙ୍କ ଲାଗି ଧାର୍ମିକ ସ୍ଥଳ/ଉପାସନା ସ୍ଥଳ ବନ୍ଦ ରହିବ। ଏଥିସହ  ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ/ତାଲିମ/କୋଚିଙ୍ଗ୍ ପ୍ରତିଷ୍ଠାନ ଓ ଅଙ୍ଗନବାଡ଼ି ଇତ୍ୟାଦି ମଧ୍ୟ ଅକ୍ଟୋବର ମାସ ସାରା  ବନ୍ଦ ରହିବ।  କିନ୍ତୁ, କଣ୍ଟେନ୍‌ମେଣ୍ଟ୍‌‌ ଜୋନ୍ ବାହାରେ କେତେକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। ପରୀକ୍ଷା ପରିଚାଳନା (ଶିକ୍ଷା ସମ୍ବନ୍ଧୀୟ, ପ୍ରତିଦ୍ବନ୍ଦ୍ବିତାମୂଳକ ଏବଂ ପ୍ରବେଶିକା ପରୀକ୍ଷା), ମୂଲ୍ୟାୟନ ଏବଂ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟକଳାପକୁ ଅନୁମତି ରହିଛି।

ତେବେ  ଅନ୍‌ଲାଇନ୍/ଦୂରଶିକ୍ଷା ପାଇଁ ଅନୁମତି ରହିଛି ଏବଂ ଏହାକୁ ଉତ୍ସାହ ଦିଆଯିବ। କଣ୍ଟେନ୍‌ମେଣ୍ଟ୍‌‌ ଜୋନ୍ ବାହାରେ ଅନ୍‌ଲାଇନ୍ ଶିକ୍ଷା ପ୍ରଦାନ/ଟେଲି କାଉନ୍‌ସେଲିଙ୍ଗ୍ ନିମନ୍ତେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ/ଉଚ୍ଚ ଶିକ୍ଷା ବିଭାଗ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀଙ୍କୁ ସ୍କୁଲ୍‌କୁ ଡକାଇପାରନ୍ତି। କିନ୍ତୁ, ଏଥିଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଓ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ଜାରି ‘ଏସ୍‌ଓପି’ ପାଳନ କରିବାକୁ ପଡ଼ିବ।

ପିଏଚ୍‌ଡି ରିସର୍ଚ ସ୍କୋଲାର୍, ସ୍ନାତକତ୍ତୋର ଶିକ୍ଷାର୍ଥୀମାନେ ଟେକ୍ନିକାଲ୍ ଏବଂ ପ୍ରଫେସ୍‌ନାଲ୍ ପ୍ରୋଗ୍ରାମ୍‌ ଲାଗି ଆବଶ୍ୟକ କରୁଥିବା ପରୀକ୍ଷାଗାର ଓ ପରୀକ୍ଷାମୂଳକ କାର୍ଯ୍ୟ ଲାଗି ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଖୋଲିବ। ପରିସ୍ଥିତିର ମୂଲ୍ୟାୟନ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍-୧୯ ମାମଲା ପ୍ରତି ଦୃଷ୍ଟି ଦେଇ ଗୃହବ୍ୟାପାର ମନ୍ତ୍ରାଳୟଙ୍କ ପରାମର୍ଶକ୍ରମେ ଉଚ୍ଚ ଶିକ୍ଷା ବିଭାଗ ଏଥିପାଇଁ ଅନୁମତି ଦେଇପାରିବ।

ଗୃହ ବ୍ୟାପାର ମନ୍ତ୍ରାଳୟ ଅନୁମତି ବିନା ଯାତ୍ରୀମାନେ ବିଦେଶଯାତ୍ରା କରିପାରିବେ ନାହିଁ।

ସମ୍ବନ୍ଧିତ ଖବର