ଜି’କୁ ରିଲାଏନ୍ସର ବଳପୂର୍ବକ ଅଧିଗ୍ରହଣ ଉଦ୍ୟମ ଅଭିଯୋଗ: କଂପାନିର ଖଣ୍ଡନ

ନୂଆଦିଲ୍ଲୀ: ଜି ଏଣ୍ଟରଟେନ୍‌ମେଣ୍ଟ୍‌ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଜେଡ୍‌ଇଇଏଲ୍‌) ଓ ଏହାର ନିବେଶକ ଇନ୍‌ଭେସ୍କୋ ମଧ୍ୟରେ ଚାଲିଥିବା ଝଗଡ଼ାରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଜି’କୁ ଅଧିଗ୍ରହଣ କରିବା ଲାଗି ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଉଦ୍ୟମ କରିଥିଲା। ଏଥିପାଇଁ ଆଲୋଚନାରେ ଭାଗ ମଧ୍ୟ ନେଇଥିଲା ବୋଲି ଜଣାପଡ଼ିଛି। ଜି’କୁ ବଳପୂର୍ବକ ଅଧିଗ୍ରହଣ କରିବା ଲାଗି ରିଲାଏନ୍ସ ଉଦ୍ୟମ କରୁଥିବା ଅଭିଯୋଗ ରହିଛି। ଏହାକୁ ରିଲାଏନ୍ସର ପ୍ରବକ୍ତା ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ଆମେ ଅଧିଗ୍ରହଣ ଆଲୋଚନାରେ ଭାଗ ନେଇଥିଲୁ। ଜି’ର ପ୍ରତିଷ୍ଠାତା ଓ ଇନ୍‌ଭେସ୍କୋ ମଧ୍ୟରେ ଏନେଇ କଥାବାର୍ତା ଚାଲିଥିଲା। ହଠାତ୍‌ ସେମାନଙ୍କ ଭିତରେ ମତଭେଦ ଦେଖାଦେବାରୁ ଆମେ ଆଲୋଚନାକୁ ଆଉ ଆଗକୁ ବଢ଼ାଇନଥିଲୁ। ଜି’କୁ ବଳପୂର୍ବକ ଅଧିଗ୍ରହଣ କରିବା ଲାଗି ଆମେ କୌଣସି ଉଦ୍ୟମ କରିନାହୁଁ। ଅତୀତରେ ଆମେ କେବେବି ସେଭଳି ଉଦ୍ୟମ କରିନଥିଲୁ କି ଭବିଷ୍ୟତରେ ସେଭଳି ଉଦ୍ୟମ କରିବୁ ନାହିଁ ବୋଲି ରିଲାଏନ୍ସ ସ୍ପଷ୍ଟ କରିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକାନାରେ ନେଟ୍‌ୱର୍କ୧୮ମିଡିଆ ଓ ଟିଭି୧୮ ବ୍ରୋଡ୍‌କାଷ୍ଟ୍‌ ରହିଛି। ମିଡିଆ ବ୍ୟବସାୟରେ ଆଗରେ ରହିବା ଲାଗି ରିଲାଏନ୍ସ ପାଇଁ ଜି’ ଏକ ବହୁତ ଭଲ ସୁଯୋଗ ଥିଲା। ଜି’କୁ ରିଲାଏନ୍ସ ଅଧିଗ୍ରହଣ କରୁ ବୋଲି ଇନ୍‌ଭେସ୍କୋ ଚାହୁଥିଲା। ସେଥିପାଇଁ ଉକ୍ତ ସଂସ୍ଥା ରିଲାଏନ୍ସ ଓ ଜି’ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପାଇଁ ବୈଠକର ଆୟୋଜନ ମଧ୍ୟ କରିଥିଲା। ବୈଠକରେ ଏହା ନିଷ୍ପତ୍ତି ହୋଇଥିଲା ଯେ ରିଲାଏନ୍ସ ସହିତ ଜି’ର ମିଶ୍ରଣ ହେବ। ମିଶ୍ରଣରୁ ଯେଉଁ ନୂଆ ସଂସ୍ଥା ସୃଷ୍ଟି ହେବ ତାହାର ନେତୃତ୍ବ ନେବେ ପୁନିତ ଗୋଏଙ୍କା। ହଠାତ୍‌ ଇନ୍‌ଭୋସ୍କୋ ଓ ଗୋଏଙ୍କାଙ୍କ ମଧ୍ୟରେ ମତଭେଦ ଦେଖାଦେବାରୁ କଥାବାର୍ତା ଆଗକୁ ବଢ଼ିନଥିଲା। ଏହି ସମୟରେ ସୋନି ସହିତ ମିଶ୍ରଣ ହେବା ନେଇ ଜି’ ପକ୍ଷରୁ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର