ରାଉରକେଲା: ଗତ ୧୨ ଦିନ ଧରି ସହରବାସୀଙ୍କ ନିଦ ହଜାଇଛି ହଇଜା। ସ୍ବାସ୍ଥ୍ୟବିଭାଗ ଓ ଜିଲ୍ଲା ପ୍ରଶାସନ ସଂକ୍ରମଣ ରୋକିବାକୁ ପ୍ରୟାସ ଜାରି ରଖିଥିଲେ ହେଁ ନିୟନ୍ତ୍ରଣକୁ ଆସୁନି। ସଂକ୍ରମଣ ସଂଖ୍ୟା କେତେବେଳେ ତଳ ପୁଣି କେତେବେଳେ ଉପରମୁହାଁ ହେଉଛି। ହଇଜା ପୁଣି ଜଣଙ୍କ ଜୀବନ ନେଇଛି। ମୃତ ଯୁବକ ଜଣକ ହେଲେ ପାୱାର ହାଉସ୍ ରୋଡର ପଙ୍କଜ ମଣ୍ଡଳ (୪୨)। ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ଫଳରେ ହଇଜା ମୃତ୍ୟୁ ସଂଖ୍ୟା ୧୫ ଛୁଇଁଛି। ହେଲେ ସରକାରୀ ଭାବେ ଏହା ୬ କହାଯାଉଛି। ସଂଧ୍ୟା ସୁଦ୍ଧା ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ୭୯ ଜଣ ଚିକିତ୍ସିତ ହେଉଛନ୍ତି। ସେମିତି ହାଇଟେକ୍ ମେଡିକାଲରେ ଆକ୍ରାନ୍ତ ସଂଖ୍ୟା ହ୍ରାସପାଇ ୨୦ରେ ପହଞ୍ଚିଛି। ବେଦବ୍ୟାସର ଜୟ ପ୍ରକାଶ ହସ୍ପଟାଲ, ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ମଧ୍ୟ ହଇଜାରୋଗୀଙ୍କ ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ପାଇଛି। ଶୁକ୍ରବାର ଆର୍ଜିଏଚ୍ ସମ୍ମିଳନୀ କକ୍ଷରେ ହଇଜା ସଂକ୍ରମଣ ସ୍ଥିତି ସଂକ୍ରାନ୍ତରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଞ୍ଜନ ଶତପଥୀ ସମୀକ୍ଷା କରିଥିଲେ। ଏସ୍ସିବି ଡାକ୍ତରୀ ଟିମ୍, ଆର୍ଏମ୍ଆର୍ସି ଓ ଆର୍ଜିଏଚ୍ ନିର୍ଦ୍ଦେଶକଙ୍କ ସହ ଅନ୍ୟ ଡାକ୍ତରମାନେ ଉପସ୍ଥିତ ଥିଲେ। ୪ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ଓ ସମୀକ୍ଷା ଚାଲିଥିଲା। ସମୀକ୍ଷା ବୈଠକ ପରେ ଏଡିଏମ୍ ଡା. ମହାମାତ୍ର କହିଛନ୍ତି, ସହରରେ ହଇଜା ସଂକ୍ରମଣ ହ୍ରାସ ପାଇଛି। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଆଗାମୀ ଦିନେ ଦୁଇଦିନ ମଧ୍ୟରେ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପିଲା ସ୍ପଷ୍ଟ ହୋଇଯିବ। ମୃତ୍ୟୁ ସଂଖ୍ୟା ୬ରେ ରହିଛି। ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ବିସ୍ତୃତ ତଥ୍ୟ ମଗାଯାଇଛି। ଡେଥ୍ କମିଟି ସମ୍ପୂର୍ଣ୍ଣ ଅଡିଟ୍ କରିବା ପରେ କେତେ ଲୋକଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି କହିହେବ। ସେମିତି ଆର୍ଏମ୍ଆର୍ସି ଟିମ୍କୁ ସହରର ବିଭିନ୍ନ ଅଞ୍ଚଳରୁ ପାଣି ନମୁନା ସଂଗ୍ରହ ପାଇଁ ଆର୍ଏମ୍ସି ସହଯୋଗ କରୁଛି। ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାସରିଛି।
ସହରବାସୀଙ୍କ ଭୟଭୀତ ହେବାର କୌଣସି କାରଣ ନାହିଁ। ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ବୋଲି ଡା. ମହାପାତ୍ର କହିଥିଲେ। ହଇଜାରେ ଶୁକ୍ରବାର ସୁଦ୍ଧା ୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଲେଣି। ଏଥିରୁ ୭୦% ସୁସ୍ଥହୋଇ ଘରକୁ ଫେରିଛନ୍ତି। ଆର୍ଏସ୍ପିର ୧୨ଟି ସ୍ବାସ୍ଥ୍ୟ ଟିମ୍ ଓ ଜଳସାଥୀ ଘରକୁଘର ବୁଲି ଲୋକଙ୍କୁ ସଚେତନ କରାଇବା ସହ ଔଷଧ ବଣ୍ଟନ କରୁଛନ୍ତି। ଲୋକଙ୍କୁ ସଚେତନ କରିବାକୁ ୪୦ରୁ ଅଧିକ ଗାଡ଼ି ବ୍ୟବହାର ହେଉଛି। ଅପରପକ୍ଷେ ହଇଜାକୁ ନେଇ ଉତ୍ତେଜିତ ଲୋକେ ଶକ୍ତିନଗରଠାରେ ସରକାରଙ୍କ ତରଫରୁ ଲାଗିଥିବା ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ହୋର୍ଡିଂରେ କାଳି ବୋଳି ଦେଇଛନ୍ତି।