ମାତ୍ର ୧ ଟଙ୍କା ଦେଇ ସାଇକେଲ ଚଢନ୍ତୁ

ନୂଆ ସାଇକେଲ ଷ୍ଟାର୍ଟ-ଅପ୍‌ ଆରମ୍ଭ କରିବେ ମୋବିକ୍ୱିକ୍‌ର ପୂର୍ବତନ ଭିପି

ସାଇକେଲ ରାଇଡିଂ ଆପ୍‌ ଉପରେ ବିଭିନ୍ନ କମ୍ପାନି କାମ କରିବା ଆରମ୍ଭ କରିଦେଇଛନ୍ତି । ପୂର୍ବରୁ ଓଲା ପକ୍ଷରୁ ପେଡାଲ ନାମକ ସାଇକେଲ ସେବା ଆରମ୍ଭ କରାଯିବା ସଂପର୍କରେ ଘୋଷଣା କରାଯାଇଥିବାବେଳେ ଏବେ ମୋବିକ୍ୱିକ୍‌ର ପୂର୍ବତନ ମାର୍କେଟିଂ ମୁଖ୍ୟ ଆକାଶ ଗୁପ୍ତା ମଧ୍ୟ ମୋବିସାଇ ନାମକ ସାଇକ୍ଲିଂ ଆପ୍‌ ଆରମ୍ଭ କରିବା ବିଷୟରେ ଘୋଷଣା କରିଛନ୍ତି । ଏହି ଷ୍ଟାର୍ଟ ଅପ୍‌ରେ ସେ ପ୍ରାୟ ୫ ଲକ୍ଷ ଡଲାର ବା ୩.୩ କୋଟି ଟଙ୍କା ନିବେଶ କରିବେ ।

ମାତ୍ର ୧ ଟଙ୍କା ଦେଇ ଗ୍ରାହକମାନେ ଏହି ସାଇକେଲ ସେବା ପାଇପାରିବେ । ମାସକୁ ୯୯ ଟଙ୍କାର ସବସ୍କ୍ରିସନ ଦେଇ ୬୦ଟି ରାଇଡ୍‌ ମିଳିପାରିବ । ଏଥିପାଇଁ ସାଧାରଣ ଗ୍ରାହକମାନଙ୍କୁ ୯୯୯ ଟଙ୍କାର ସିକ୍ୟୁରିଟି ଜମା ଦାଖଲ କରିବାକୁ ହେବ । ତେବେ ଛାତ୍ରଛାତ୍ରୀମାନେ ମାସିକ ମାତ୍ର ୯୯ ଟଙ୍କା ଦେଇ ଦିନକୁ ୪ଟି ରାଇଡ୍‌ ପାଇପାରିବେ । ଆପ୍‌ ସାହାଯ୍ୟରେ ଏହି ରାଇଡ୍‌ ବୁକ କରିହେବ ।

ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ସେବା ପ୍ରାୟ ୪-୫ଟି ସହରରେ ଆରମ୍ଭ ହେବ । ସେହି ସହରଗୁଡିକ ହେଲେ ଦିଲ୍ଲୀ, ନୋଇଡା, ଫରିଦାବାଦ, ଗୁରୁଗ୍ରାମ ଓ ଚଣ୍ଡିଗଡ଼ । ୬ ମାସ ମଧ୍ୟରେ ୧୨ଟି ସହର ଓ ଏକ ବର୍ଷ ମଧ୍ୟରେ ୨୦ଟି ସହରରେ ଏହି ସେବା ଆରମ୍ଭ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

କିଛିଦିନତଳେ ଓଲା ପକ୍ଷରୁ ପେଡାଲ ନାମକ ସେବା ଆରମ୍ଭ କରିବା ବିଷୟରେ ଘୋଷଣା କରାଯାଇଥିଲା । କିନ୍ତୁ ବୋଧହୁଏ ମୋବିସାଇ ଓଲା ଆଗରୁ ଏହି ସେବା ଆରମ୍ଭ କରିଦେବ । କାରଣ ମୋବିସାଇ ଚଳିତ କିମ୍ବା ଆସନ୍ତା ସପ୍ତାହରେ ଏହି ସେବା ଆରମ୍ଭ କରିବାକୁ ଯାଉଥିବାବେଳେ ଓଲାକୁ ଆଉ କିଛି ଦିନ ଲାଗିବ । ଓଲା ପକ୍ଷରୁ ଏବେ ଏହି ସେବାର ପାଇଲଟିଂ ଚାଲିଛି ।

ସମ୍ବନ୍ଧିତ ଖବର