କେନ୍ଦୁଝର: ପ୍ରବଳ ଖରାରେ ଏବେ ସମଗ୍ର ଓଡ଼ିଶା ସିଝୁଛି। କେଉଁଠି ୩୮ଡିଗ୍ରୀ ତ କେଉଁଠି ୪୦ ଡ଼ିଗ୍ରୀ ଉପରେ ତାପମାତ୍ରା। ଅନେକ ସ୍ଥାନରେ ପୋଖରୀଠାରୁ ଆରମ୍ଭ କରି ନଳକୂପ ପର୍ଯ୍ୟନ୍ତ ଶୁଖିଲା ପଡ଼ିଛି। ଏଭଳି ସ୍ଥିତିରେ ଦେଢ଼ ମାସ ହେଲା ପାନୀୟ ଜଳରୁ ବଂଚିତ ହୋଇ ନାନା ଅସୁବିଧା ଭୋଗ କରୁଛନ୍ତି ଲେ‌ାକେ। ଯେଉଁଥିପାଇଁ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

Advertisment

କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଢେ଼ଙ୍କା ପଞ୍ଚାୟତର ୭ନଂ ୱାର୍ଡ ଝଣଝଣା ଗାଁରେ ବାସ କରନ୍ତି ୬ ଶହରୁ ଉର୍ଦ୍ଧ୍ବ ଲୋକ। ଏମାନଙ୍କ ପାଇଁ ଗାଁରେ ଦୁଇଟି କୂଅ ସହିତ ଦୁଇଟି ନଳକୂପ ଅଛି। ଆହୁରି ମଧ୍ୟ ପାଇପ ଯୋଗେ ପାଣି ଯୋଗାଇବାର ବ୍ୟବସ୍ଥା ବି ରହିଛି। କିନ୍ତୁ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ନଳକୂପ ଶୁଖିଲା ପଡିଥିବା ବେଳେ କୂଅପାଣି ଅପରିଷ୍କାର ହୋଇ ଯାଇଥିବାରୁ ଲୋକେ ପିଇବା ପାଣି ପାଇଁ ନାନା ଅସୁବିଧା ଭୋଗୁଛନ୍ତି। ପାଇପ ଯୋଗେ ପାଣି ଯୋଗାଣ ବନ୍ଦ ହୋଇ ଯାଇଛି।

ଦୀର୍ଘ ଦେଢ଼ ମାସ ହେଲା ପାଣି ଟୋପେ ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବାରୁ ଝଣଝଣା ଗ୍ରାମବାସୀମାନେ ଛେନାପଦି ହଦଗଡ଼ ରାସ୍ତାର ଢେଙ୍କା ଛକ ନିକଟରେ ରାସ୍ତାରୋକ କରିଛନ୍ତି। ସୋସୋ ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଲୋକମାନେ ପାଣି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେନି ବୋଲି ଶୁଣାଇ ଦେଇଛନ୍ତି।