ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାଡ଼: ଇରାନ୍‌ର ସର୍ବୋଚ୍ଚ ନେତାଙ୍କ ବିରୋଧରେ ଜନ ଆନ୍ଦୋଳନ

ତେହେରାନ୍‌: ୟୁକ୍ରେନ୍‌ର ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଥିବା ଇରାନ୍‌ ସ୍ବୀକାର କରିବା ପରେ ଏହାକୁ ନେଇ ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି। ତେହେରାନ୍‌ ସମେତ ଇରାନ୍‌ର ୪୦ରୁ ଅଧିକ ସ୍ଥାନରେ ହଜାର ହଜାର ଲୋକ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଇରାନ୍‌ର ସର୍ବୋଚ୍ଚ ନେତାଙ୍କୁ ‘ହତ୍ୟାକାରୀ’ ବୋଲି ଆନ୍ଦୋଳନକାରୀମାନେ ଅଭିହିତ କରିବା ସହ ସେ ତୁରନ୍ତ ଦେଶର କ୍ଷମତାରୁ ହଟିଯିବା ଉଚିତ ବୋଲି କହିଛନ୍ତି। ତେହରାନରେ ଆଜି ଆମେରିକା ଦୂତାବାସ ବାହାରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଲୋକେ ଖେମିନିଙ୍କ ଇସ୍ତଫା ଦାବି କରି ବ୍ୟାନର୍‌ ପୋଷ୍ଟର ପ୍ରଦର୍ଶନ କରିଥିଲେ।

ଇରାନ୍‌ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ନିହତ ହେବା ପରେ ଲୋକେ ଆମେରିକା ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ। କିନ୍ତୁ ଇରାନ୍‌ର ଭୁଲ୍‌ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ୧୭୬ ବିମାନ ଯାତ୍ରୀଙ୍କ ଜୀବନ ଯିବା ଘଟଣାକୁ ଲୋକେ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଶାସନ ବିରୋଧରେ ବ୍ୟାପକ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ମୃତକଙ୍କ ମଧ୍ୟରେ ୮୨ ଜଣ ଇରାନ୍‌ ନାଗରିକ ରହିଥିଲେ। ଇରାନ୍‌ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନି ନିଜ ଦେଶର ନିରୀହ ନାଗରିକଙ୍କ ମୃତ୍ୟୁ ପାଇଁ ସଂପୂର୍ଣ୍ଣ ଦାୟୀ ଥିବାରୁ ତାଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର