ଭୁବନେଶ୍ୱର: ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ କୁମାର ବେହେରାଙ୍କର ୬ କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ ହୋଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେ ନିଜ ଆୟଠାରୁ ପ୍ରାୟ ୨୨୧ ଗୁଣା ଅଧିକ ସମ୍ପତ୍ତି ଠୁଳ କରିଥିବା କୁହାଯାଇଛି। ଭିଜିଲାନ୍ସ ଏହି ଘଟଣାରେ ପ୍ରସନ୍ନ କୁମାର ବେହେରା ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

Advertisment

ସୂଚନା ଅନୁଯାୟୀ, ଡୁମଡୁମାରେ ୦.୨୫୦ ଏକର ଜମିକୁ ସେ ୨୦୧୯ରେ ମାତ୍ର ୧ କୋଟି ୪୬ ଲକ୍ଷ ୬୦ ହଜାର ଟଙ୍କାରେ କିଣିଛନ୍ତି, ମାତ୍ର ଏହି ଜମିର ବଜାର ମୂଲ୍ୟ ଢେର ଅଧିକ ବୋଲି ଆକଳନ କରାଯାଇଛି। ସୋରୁମ ଓ ବେସମେଣ୍ଟ ୧୮ ହଜାର ବର୍ଗଫୁଟ ଜାଗାରେ ରହିଛି। ଏହାର ମୂଲ୍ୟ ଓ ସୋରୁମରେ ଥିବା ଫର୍ଣ୍ଣିଚରର ମଧ୍ୟ ଆକଳନ କରାଯାଇଛି।

ସୂଚନାଯୋଗ୍ୟ, କନେଷ୍ଟବଳ ପ୍ରସନ୍ନ ବେହେରାଙ୍କର କଳ୍ପନା ଛକ ସ୍ଥିତ ସରକାରୀ ବାସଭବନ ଓ ପୈତୃକ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଥିଲା। ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଆଦେଶକ୍ରମେ ସଦାନନ୍ଦ ବେହେରାଙ୍କ ପୁଅ ପ୍ରସନ୍ନ କୁମାର ବେହେରାଙ୍କ ଘରେ ଚଢ଼ାଉ କରାଯାଇଥିଲା। ପ୍ରସନ୍ନଙ୍କ କଳ୍ପନା ଛକରେ ଥିବା ନିଜ ସରକାରୀ ଘର ଏବଂ ଏହା ସମ୍ପ୍ରସାରଣ ବିଲଡିଂ, ଡୁମଡୁମାଠାରେ ଥିବା ସ୍ପାର୍କ ଫର୍ନିଚର ପ୍ରାଇଭେଟ୍ ଲିମିଟେଡ୍,ଲିଙ୍ଗପୁରର ସନ୍ଥବିହାରରେ ଥିବା ଫର୍ନିଚର ୱାର୍କସପ୍, ପାତ୍ରପଡ଼ାଠାରେ ଥିବା ସାଉଥ୍ ସିଟି ବାର୍ ଏବଂ ତାଙ୍କର ଖୋର୍ଦ୍ଧା ଜିଲ୍ଲାର ନୂଆପଡ଼ାରେ ଥିବା ଦୁଇମହଲା ବିଶିଷ୍ଟ ପୈତୃକ ଘରେ ଏହି ଚଢ଼ାଉ କରାଯାଇଥିଲା।
୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀଙ୍କ ନେତୃତ୍ୱରେ ୫ଟି ଟିମ୍ ଏହି ଭିଜିଲାନ୍ସ ଚଢ଼ାଉ କରିଥିଲା।
ମନୀଷ ଅନୁରାଗ ହତ୍ୟା ମାମଲାରେ କନେଷ୍ଟବଳ ପ୍ରସନ୍ନ କୁମାର ବେହେରା ବହିଷ୍କୃତ ହୋଇଥିଲେ। ତାପରେ ତାଙ୍କୁ ଗିରଫ ବି କରାଯାଇଥିଲା।