ରୁଷ୍‌ ବୋଧହୁଏ ଦ୍ବିତୀୟ ବିଶ୍ବଯୁଦ୍ଧରୁ ପାଇଥିବା ଶିକ୍ଷା ଭୁଲିଗଲାଣି: ଜେଲେନ୍‌ସ୍କି

କିବ୍‌: ଦ୍ବିତୀୟ ବିଶ୍ବଯୁଦ୍ଧରୁ ପ୍ରାପ୍ତ ଶିକ୍ଷା ରୁଷ୍‌ ଭୁଲି ଯାଇଥିବା ପରି ମନେହେଉଛି ବୋଲି ସୋମବାର ଦିନ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ଉଦ୍‌ବୋଧନ ଦେବା ବେଳେ କହିଛନ୍ତି।

ରୁଷୀୟ ଆକ୍ରମଣକୁ ପ୍ରତିରୋଧ କରିବା ୧୦ମ ସପ୍ତାହରେ କହିବା ବେଳେ ୪୪ ବର୍ଷିୟ ଜେଲେନ୍‌ସ୍କି ରାତ୍ରକାଳୀନ ଭିଡିଓ ବାର୍ତ୍ତାରେ କହିଛନ୍ତି, କହିବାକୁ ମୁଁ ଭାଷା ପାଉନି। ମସ୍କୋରୁ କେହି କ‌ୌଣସି ଅଗ୍ରାହ୍ୟ ଅଥବା ଯଥାର୍ଥତା ପ୍ରସଙ୍ଗ ଶୁଣୁନାହିଁ। ସବୁଥିରେ ରୁଷ୍‌ ମୌନତା ବଜାୟ ରଖିଛି। ଏହାର ଅର୍ଥ ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ରୁଷ୍‌ ପାଇଥିବା ଶିକ୍ଷା ଭୁଲି ଯାଇଛି। କିଂବା ସେଥିରୁ ସେମାନଙ୍କର କିଛି ଉପଲବ୍ଧି ହୋଇନାହିଁ।

Image Courtesy of The Indian Express

ଉଲ୍ଲେଖଯୋଗ୍ୟ, ଜର୍ମାନ୍‌ ଏକଚ୍ଛତ୍ରବାଦୀ ଆଡ୍‌ଲଫ୍‌ ହିଟ୍‌ଲର୍‌ ଇହୁଦୀ ରକ୍ତରୁ ଜାତ ବୋଲି ରୁଷୀୟ ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭ୍‌ରୋଭ୍‌ଙ୍କ ମନ୍ତବ୍ୟ ଭୀଷଣ ଆଲୋଡ଼ନ ସୃଷ୍ଟି କରିଛି। ଇହୁଦୀ ସମ୍ପ୍ରଦାୟର ହୋଇଥିବାରୁ ଏଭଳି ମନ୍ତବ୍ୟ ଶୁଣି ଜେଲେନ୍‌ସ୍କି ମଧ୍ୟ ତୀବ୍ର ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି।  ଇହୁଦୀ ବହୁଳ ଦେଶ ଇଜ୍ରାଏଲ୍‌ ମଧ୍ୟ ରୁଷ୍‌କୁ କ୍ଷମା ମାଗିବାକୁ କହିଛି।

ସ୍ବଂୟ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଇହୁଦୀ ହୋଇଥିବା ବେଳେ ରୁଷ୍‌ କାହିଁକି ୟୁକ୍ରେନ୍‌କୁ ନାଜି ପ୍ରଭାବମୁକ୍ତ କରିବାକୁ ଚାହୁଁଛି ବୋଲି ଇଟାଲୀୟ ଟେଲିଭିଜନ୍‌ ‘ରେଟେ ୪ ଚାନେଲ୍‌’ ପଚାରିବାରୁ ଲାଭ୍‌ରୋଭ୍‌ କହିଥିଲେ, ସେମାନେ ଯେତେବେଳେ କହୁଛନ୍ତି କି, ଆମ୍ଭେମାନେ ଇହୁଦୀ ହୋଇଥିବାରୁ ଏଠାରେ ନାଜିକରଣର ସ୍ଥିତି ରହିଲା କେଉଁଠି? ମୋ ମତରେ, ହିଟ୍‌ଲର୍‌ ମଧ୍ୟ ଇହୁଦୀ ରକ୍ତରୁ ଜାତ ହୋଇଥିଲେ। ତେଣୁ, ସେମାନଙ୍କ କଥାର ଆଦୌ ଯଥାର୍ଥତା ନାହିଁ। କିଛି ଦିନ ହେବ ଇହୁଦୀମାନଙ୍କଠାରୁ ଶୁଣୁଛୁ ଯେ, ଇହୁଦୀମାନେ ହିଁ ହେଉଛନ୍ତି ଇହୁଦୀମାନଙ୍କର ବଡ଼ ଶତ୍ରୁ।

ସମ୍ବନ୍ଧିତ ଖବର